ଏଫ୍‌ଏମ୍‌ ଭେଷଜ ମହାବିଦ୍ୟାଳୟରେ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର

ବାଲେଶ୍ବରରେ ପ୍ରଥମ, ଆଣ୍ଠୁ ପ୍ରତିରୋପଣ ପାଇଁ ବି ଯୋଜନା

ବାଲେଶ୍ବର: ଫକୀରମୋହନ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ଆଉ ଗୋଟିଏ ପାଦ ଆଗେଇଛି।  ଡାକ୍ତରଖାନାରେ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ନିକଟରେ ମେରୁଦଣ୍ଡ ଭାଙ୍ଗିଥିବା ଜଣେ ରୋଗୀଙ୍କର ପ୍ରଥମ ସଫଳ ଅସ୍ତ୍ରୋପଚାର କରାଯାଇଛି।

ସୂଚନା ମୁତାବକ, ପଶ୍ଚିମବଙ୍ଗ ପୂର୍ବମେଦିନୀପୁର  ଅର୍ଜୁନନଗର ଅଞ୍ଚଳର ମାନସ ଦାସ (୩୦) ଗଛରୁ ପଡ଼ିଯାଇଥିଲେ। ଫଳରେ ତାଙ୍କର ମେରୁଦଣ୍ଡ (ଏଲ୍‌-୧ ଭର୍ଟିବ୍ରା) ଭାଙ୍ଗିଯାଇଥିଲା। ପଞ୍ଚିମବଙ୍ଗରେ ଏହାର ଅସ୍ତ୍ରୋପଚାର ଠିକ୍‌ରେ ହେଉ ନଥିବାରୁ ମାନସ ବାଲେଶ୍ବର ଫକୀରମୋହନ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଆସିଥିଲେ। ଗତ ନଭେମ୍ବର ୯ ତାରିଖରେ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିଲେ। ୧୬ ତାରିଖରେ ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡାକ୍ତର ଅତନୁ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ମାନସଙ୍କ ଗୋଡ଼ କାମ କରିବା ଆରମ୍ଭ କରିଛି। ଆସନ୍ତା ୩ ମାସ ମଧ୍ୟରେ ସେ ସଂପୂର୍ଣ୍ଣ ଚାଲିପାରିବେ ବୋଳି ଡା. ମହାନ୍ତି କହିଛନ୍ତି। ଏହି ଅସ୍ତ୍ରୋପଚାର ସଫଳ ହେଲେ ଆଗାମୀ ଦିନରେ ତାଲିକାଭୁକ୍ତ ଥିବା ୫ ଜଣଙ୍କର ଅସ୍ତ୍ରୋପଚାର କରାଯିବ। ସେହିପରି ଆଗାମୀ ଦିନରେ ଆଣ୍ଠୁ ପ୍ରତିରୋପଣ କରାଯିବା ନେଇ ମଧ୍ୟ ଯୋଜନା ହୋଇଥିବା ଡା. ମହାନ୍ତି କହିଛନ୍ତି।

ତେବେ ଏଥିପାଇଁ ବିଭାଗରେ ଆଉ ଏକ ସ୍ପେସାଲ୍‌ ଓଟିର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। କାରଣ ଯେଉଁ ଦୁଇଟି ଓଟି ରହିଛି, ରୋଗୀସଂଖ୍ୟା ଅନୁସାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଆଉ ଏକ ଓଟିର ବ୍ୟବସ୍ଥା କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବ ଅପେକ୍ଷା ମେଜର ଟ୍ରମା ସର୍ଜରୀ ବୃଦ୍ଧି ପାଇଛି। ଅସ୍ଥିଶଲ୍ୟ ବିଭାଗକୁ ପ୍ରତିଦିନ ୨୫୦ରୁ ଅଧିକ ରୋଗୀ ଆସୁଛନ୍ତି। ସେଥିରୁ ଟ୍ରମା ରୋଗୀ ୧୦ରୁ ୧୨ ଜଣ ରହୁଛି। ବର୍ତ୍ତମାନ ସମୟରେ ମାସକୁ ୧୦୦ରୁ ୧୨୦ ମେଜର ଟ୍ରମା ରୋଗୀ ଅସ୍ଥିଶଲ୍ୟ ବିଭାଗ ଅଧୀନରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଓ ଗୁରୁବାର ଅସ୍ଥିଶଲ୍ୟ ବିଭାଗର ଇଲେକ୍ଟିଭ୍‌ ଓଟି କରାଯାଉଥିବା ବେଳେ ବାକି ଦିନରେ ଟ୍ରମା ଓଟି ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଡାକ୍ତରଖାନାରେ କାର୍ଡିଓଲୋଜି (ହୃଦ୍‌ରୋଗ) ଓ ନ୍ୟୁରୋଲୋଜି (ସ୍ନାୟୁରୋଗ) ବିଭାଗର ଡାକ୍ତର ନଥିବାରୁ ବହୁ ଅସ୍ତ୍ରୋପଚାର କରାଯାଇପାରୁନାହିଁ। ଫଳରେ ଗୁରୁତର ରୋଗୀଙ୍କୁ କଟକ ଓ ଭୁବନେଶ୍ବର ସ୍ଥାନାନ୍ତର କରାଯାଉଛି। ଯଦି ଏହି ଦୁଇ ବିଭାଗରେ ଡାକ୍ତର ନିଯୁକ୍ତ ହେବା ସହ ଆନାସ୍ଥେସିଆ (ନିଶ୍ଚେତକ) ବିଭାଗର ସହଯୋଗ ରହିବ, ଆସନ୍ତା ଦିନରେ ଆହୁରି ଅଧିକ ଅସ୍ତ୍ରୋପଚାର ଏଠାରେ ହୋଇପାରନ୍ତା ବୋଲି ଡା. ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର