ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲର ସର୍ଜରି ବିଭାଗରେ ପୁଣି ଏକ ଜଟିଳ ଅସ୍ତ୍ରୋପଚାର କରାଯାଇଛି। ମଳଦ୍ବାରରେ ସାଇକେଲ ପମ୍ପ୍‌ ଭର୍ତ୍ତି କରି ହାୱା ଦେଇଦେବାରୁ ଜଣେ ଯୁବକ ଗୁରୁତର ହୋଇଥିଲେ। ତାଙ୍କର ବୃହତ ଅନ୍ତଃନଳୀ ଫାଟି ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଥିବାରୁ ଏମ୍‌କେସିଜି ସର୍ଜରି ବିଭାଗ ପ୍ରଫେସର ଶିବ ପ୍ରସାଦ ଦାଶଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍‌ ଦୀର୍ଘ ୩ଘଣ୍ଟାର ପରିଶ୍ରମ ପରେ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରିଛନ୍ତି। ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ପ୍ରଫେସର ଦାଶ ସୂଚନା ଦେଇଛନ୍ତି।

Advertisment

ଫୁଲବାଣୀରେ ମୃତ୍ୟୁଞ୍ଜୟ ପାତ୍ର ନାମକ ଜଣେ ଯୁବକ ଗ୍ୟାରେଜ୍‌ କରିଛନ୍ତି। ଗତ ୯ତାରିଖରେ ମୃତ୍ୟୁଞ୍ଜୟଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପେଟ ଫୁଲି ରହିଥିବା ବେଳେ ଅବସ୍ଥା ଗୁରୁତର ଥିଲା। ସମସ୍ୟା ସମ୍ପର୍କରେ ଡାକ୍ତରମାନେ ତାଙ୍କୁ ପଚାରିବାରୁ ସମ୍ପର୍କୀୟ କିଛି କହି ନଥିଲେ। ପରେ ମୃତ୍ୟୁଞ୍ଜୟଙ୍କ ପତ୍ନୀଙ୍କ ସବୁ କଥା କହିଥିଲେ। ଫୁଲବାଣୀରେ କିଛି ଯୁବକ ମୃତ୍ୟୁଞ୍ଜୟଙ୍କ ମଳଦ୍ବାରରେ ଜୋରଜବରଦସ୍ତ ଏକ ସାଇକେଲ ପମ୍ପ ଭର୍ତ୍ତି କରି ପମ୍ପ ଦେଇ ଦେଇଥିଲେ। ଫଳରେ ତାଙ୍କର ପେଟ ଫୁଲି ଯାଇଥିଲା। ଅଲଟ୍ରାସାଉଣ୍ଡ୍‌ କରିବା ପରେ ତାଙ୍କର ଅନ୍ତଃନଳୀ ଫାଟି ଯାଇଥିବା ଜଣାପଡ଼ିଥିଲା। ଏଣୁ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିଥିଲା। ସର୍ଜରି ବିଭାଗ ପ୍ରଫେସର ଦାଶଙ୍କ ନେତୃତ୍ବରେ ଏକ ଟିମ୍‌ ତାଙ୍କର ସଫଳ ଅସ୍ତ୍ରୋପଚାର କରିଛନ୍ତି।

ଫାଟି ଯାଇଥିବା ଅନ୍ତଃନଳୀ ସିଲେଇ କରାଯିବା ସହିତ ମଳ ବାହାରିବା ପାଇଁ ଆଉ ଏକ ରାସ୍ତା କରାଯାଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାହା ବନ୍ଦ କରାଯିବ ବୋଲି ପ୍ରଫେସର ଦାଶ ସୂଚନା ଦେଇଛନ୍ତି। ଡାକ୍ତରୀ ଟିମ୍‌ରେ ଡା. ସଂଜୀବ କୁମାର ପ୍ରଧାନ, ଡା. ଅଭିଳାଶ ପଣ୍ଡା ଓ ଡାକ୍ତର ଭି. ରାଜେଶ ପ୍ରମୁଖ ସାମିଲ ଥିଲେ।

ପ୍ରକାଶ ଥାଉ କି ସର୍ଜରି ବିଭାଗରେ ପୂର୍ବରୁ ମଧ୍ୟ ଏଭଳି ଦୁଇଟି ଜଟିଳ ଅସ୍ତ୍ରୋପଚାର ହୋଇଛି। ଜଣେ ଯୁବକଙ୍କ ମଳଦ୍ବାରରେ ଶାବଳ ପଶି ଯାଇଥିବା ବେଳେ ଆଉ ଜଣଙ୍କ ମଳଦ୍ବାରରେ ଷ୍ଟିଲ୍‌ ଗ୍ଲାସ୍‌ ଭର୍ତ୍ତି କରି ଦିଆଯାଇଥିଲା। ଉଭୟଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିଲା।