ବେତନଟୀ/ବୈଶିଙ୍ଗା : ଗୋଠଛଡ଼ା ଏକ ଅସୁସ୍ଥ ଦନ୍ତାହାତୀର ଆଜି ସଫଳ ଅସ୍ତ୍ରୋପଚାର କରାଯାଇଛି। ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ହାତୀଟିର ଗୋଡ଼ରୁ ଏକ ପ୍ଲାଷ୍ଟିକ୍‌ ଦଉଡ଼ି କଢ଼ାଯାଇଛି। ଶିକାର ପାଇଁ ପ୍ରସ୍ତୁତ ପ୍ଲାଷ୍ଟିକ୍‌ ଦଉଡ଼ି ଫାଶରେ ହାତୀଟି ଛନ୍ଦି ହୋଇଥିଲା କିମ୍ବା ଅନ୍ୟ କୌଣସି କାରଣ ପାଇଁ ତା’ର ଏ ଅବସ୍ଥା ହୋଇଛି, ତାହା ଠିକ୍‌ ଭାବେ ଜଣାପଡ଼ିନି।

Advertisment

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ଡୁମାପଦା, ଖଡ଼ିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ଏହି ଗୋଠଛଡ଼ା ଦନ୍ତାହାତୀ ଅବାଧରେ ବିଚରଣ କରୁଥିବାବେଳେ ହଠାତ୍‌ ତାର ଗତିବିଧି ବନ୍ଦ ହୋଇ ଯାଇଥିଲା। ବନ କର୍ମଚାରୀ ପତ୍ତା ଲଗାଇ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ଦନ୍ତାକୁ ଠାବ କରିଥିଲେ। ବାମ ଗୋଡ଼ରେ ଘାଆ ହୋଇଥିବାରୁ ଚଲାବୁଲା କରିପାରୁନଥିଲା ଦନ୍ତା। ଏ ସଂକ୍ରାନ୍ତରେ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ୱାଇଲ୍‌ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ ପକ୍ଷରୁ ଡା.ବ୍ରଜରାଜ, ଡା.ରୁଦ୍ରନାରାୟଣ ମହାପାତ୍ର, ଓୟୁଏଟି ପ୍ରାଣୀ ଚିକିତ୍ସା ବିଭାଗର ପ୍ରଫେସର ଡା.ଇନ୍ଦ୍ରମଣି ନାଥ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡା.ପୀୟୁଷ ସୋରେନ ପ୍ରମୁଖ ଡାକ୍ତରଙ୍କ ଏକ ଟିମ୍‌ ରବିବାର ସକାଳେ ହାତୀ ନିକଟରେ ପହଞ୍ଚିଥିଲେ।

ପ୍ରଫେସର ଇନ୍ଦ୍ରମଣି ନାଥ ହାତୀକୁ ନିଶ୍ଚେତକ (ଟ୍ରାଙ୍କୁଲାଇଜ୍‌) ଦେଇ ଚେତାଶୂନ୍ୟ କରିବା ପ‌ରେ ତାର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସମୟରେ ଡିଏଫ୍‌ଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ.ସମ୍ରାଟ ଗୌଡ଼ା, ଏସିଏଫ୍‌ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂଙ୍କ ସମେତ ବିଭିନ୍ନ ରେଞ୍ଜର ବନପାଳ, ବନରକ୍ଷୀ, ସବୁଜ ବାହିନୀ ସଦସ୍ୟ ଓ ପାରା ବନ କର୍ମଚାରୀ ଉପସ୍ଥିତ ଥିଲେ।