ଚାନ୍ଦିପୁରରୁ ‘କ୍ୟୁଆର୍‌ସାମ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର : ଡିଆରଡିଓ ଓ ଭାରତୀୟ ସେନାର ମିଳିତ ପ୍ରୟାସରେ ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ‘କ୍ୟୁଆର୍‌ଏସ୍‌ଏଏମ୍‌’ (କୁଇକ୍‍ ରିଆକ୍ସନ୍ ସର୍‌ଫେସ୍‌ ଟୁ ଏୟାର ମିସାଇଲ୍)ର ଷଷ୍ଠ ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଏହି ବିଧ୍ବଂସୀ କ୍ଷେପଣାସ୍ତ୍ରକୁ ସ୍ଥଳଭାଗରୁ ଉତ୍‌କ୍ଷେପଣ କରି ଶତ୍ରୁପକ୍ଷର ଯୁଦ୍ଧବିମାନ, ଡ୍ରୋନ୍‌ ସମେତ ବିଭିନ୍ନ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ନିମିଷକ ମଧ୍ୟରେ ଧ୍ବଂସ କରିଦିଆଯାଇପାରିବ। ଏକାଧିକ ପରୀକ୍ଷଣ ପରେ ଏହାକୁ ବର୍ତ୍ତମାନ ଭାରତୀୟ ସ୍ଥଳସେନାରେ ସାମିଲ୍ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଦ୍ବାରା ଭାରତର ବାୟୁ ସୁରକ୍ଷା ବ୍ୟବସ୍ଥା‌ ଆହୁରି ସୁଦୃଢ଼ ହୋଇପାରିବ ବୋଲି ପ୍ରତିରକ୍ଷା ବି‌ଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

‘କ୍ୟୁଆର୍‌ଏସ୍‌ଏଏମ୍‌’ ମିସାଇଲ୍‌ ଆକାଶମାର୍ଗରେ ଆସୁଥିବା ସବୁପ୍ରକାର ମାରକ ଅସ୍ତ୍ରଶସ୍ତ୍ରକୁ ପ୍ରତିହତ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଅଚିରେ ଟାର୍ଗେଟ୍‌ କରି ତଳକୁ ଖସାଇଦେବାର ସାମର୍ଥ୍ୟ ରଖିଛି। ଏପରିକି କମ୍ ଉଚ୍ଚତାରେ ରାଡାର ଦ୍ୱାରା ଦୃଷ୍ଟିଗୋଚର ହେଉନଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଏହା ଠାବ କରି ଲକ୍ଷ୍ୟଭେଦ କରିପାରିବ। ଏଥିପାଇଁ ଦୂରଗାମୀ, ମଧ୍ୟମ, ସ୍ୱଳ୍ପ ଦୂରତା ଓ ଅଧିକ ଉଚ୍ଚତାରେ ଦୁଇଟି କ୍ଷେପଣାସ୍ତ୍ରକୁ ଭିନ୍ନ ଭିନ୍ନ ଲକ୍ଷ୍ୟସ୍ଥଳକୁ ଛଡ଼ାଯାଇ ଏହାର କାର୍ଯ୍ୟଦକ୍ଷତା ଆକଳନ କରାଯାଇଥିଲା। ଉଭୟ ଦିନ ଓ ରାତିରେ ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷ ପାଇଁ ଘାତକ ସାବ୍ୟସ୍ତ ହୋଇପାରିବ। ପରୀକ୍ଷଣ ସମୟରେ ଆଇଟିଆର୍‌ର ଅତ୍ୟାଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା, ଭ୍ରାମ୍ୟମାଣ ଲଞ୍ଚର୍‌, ୱାର୍‌ହେଡ୍ ଚେନ୍, ଟେଲିମେଟ୍ରି, ରାଡାର୍‌, ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ (ଇଓଟିଏସ୍‍) ପରି ଅନେକ ଅତ୍ୟାଧୁନିକ ଯନ୍ତ୍ରାଂଶ ଦ୍ୱାରା ଏହାର କାର୍ଯ୍ୟଦକ୍ଷତା ସୁନିଶ୍ଚିତ ହୋଇଛି। କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ସମୟରେ ଡିଆର୍‌ଡିଓ ଓ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ‘କ୍ୟୁଆର୍‌ଏସ୍‌ଏଏମ୍‍’ ଅସ୍ତ୍ର ପ୍ରଣାଳୀର ସ୍ୱତନ୍ତ୍ରତା ହେଉଛି, ଏହା ଅଳ୍ପ ସମୟରେ ଉତ୍‌କ୍ଷେପଣ ହୋଇପାରିବ ଏବଂ ଆବଶ୍ୟକ ସ୍ଥଳେ ଗତିପଥ ପରିବର୍ତ୍ତନ କରି ଠିକଣା ଜାଗାରେ ଲକ୍ଷ୍ୟଭେଦ କରିପାରିବ। ଏହାର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଡିଆର୍‌ଡିଓର ଅଧ୍ୟକ୍ଷ ସମସ୍ତ ପ୍ରତିରକ୍ଷା ବୈଜ୍ଞାନିକ ଏବଂ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ସେନା ପାଇଁ କ୍ୟୁଆର୍‌ଏସଏଏମ୍‍ ଅସ୍ତ୍ର ପ୍ରଣାଳୀ ଏକ ଉତ୍କୃଷ୍ଟ ଶକ୍ତି ହେବ ବୋଲି ଶ୍ରୀ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର