ଅଗ୍ନି-୫ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦବାଲି: ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍‌ଡିଓ) ପକ୍ଷରୁ ଆଜି ସନ୍ଧ୍ୟା ୭ଟା ୫୦ ମିନିଟରେ ବହୁ ଦୂରଗାମୀ ଅଗ୍ନି-୫ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ରର ପ୍ରଥମଥର ରାତ୍ରକାଳୀନ ସଫଳ ପରୀକ୍ଷଣ ହୋଇଛି। ଭଦ୍ରକ ଜିଲ୍ଲା ଧାମରାଠାରୁ ୧୫ କିମି ଦୂର ଏପିଜେ ଅବଦୁଲ କଲାମ୍‌ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର ପରୀକ୍ଷା କରାଯାଇଛି। ନାଭିଗେସନ୍‌ ସିଷ୍ଟମ୍‌, ଗ୍ଲୋବାଲ୍‌ ପୋଜିସନିଂ ସିଷ୍ଟମ୍‌ ଏବଂ ୩ଟି ଉଚ୍ଚ କ୍ଷମତାସଂପନ୍ନ ରାଡାର‌ ଦ୍ବାରା କ୍ଷେପଣାସ୍ତ୍ରର ଗତିବିଧି ଉପରେ ନଜର ରଖାଯାଇଥିଲା। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ରେ ତ୍ରିସ୍ତରୀୟ ଇନ୍ଧନ ବ୍ୟବହାର କରାଯାଇଛି।

କ୍ଷେପଣାସ୍ତ୍ରର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ଟନ୍‌ ଥିବା ବେଳେ ସେକେଣ୍ଡ ପ୍ରତି ୪.୨ କିମି ବେଗରେ ଏହା ୧୨ ମିନିଟ୍‌ରେ ଲକ୍ଷ୍ୟଭେଦ କରିଥିଲା। ଅଗ୍ନି-୫ ପରିଧି ଭିତରେ ପାକିସ୍ତାନ, ଚୀନ୍, ଆମେରିକା, ରୁଷିଆ, ମଧ୍ୟପ୍ରାଚ୍ୟ ରା‌ଷ୍ଟ୍ର ସମୂହ ଆସୁଥିବା ବେଳେ ଏହାର ମାରକ କ୍ଷମତା ଅବ୍ୟର୍ଥ ବୋଲି ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନା ଥାଉକି ଅଗ୍ନି-୫ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ରର ଏହା ଅଷ୍ଟମ ବ୍ୟାବହାରିକ ପରୀକ୍ଷା ହୋଇଥିବା ବେ‌ଳେ ପ୍ରଥମ ପରୀକ୍ଷା ୧୯ ଏପ୍ରିଲ୍‌ ୨୦୧୨ରେ କରାଯାଇଥିଲା।

ସମ୍ବନ୍ଧିତ ଖବର