‘ଅଗ୍ନି-୫’ର ସଫଳ ପରୀକ୍ଷା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଏଲିଟ୍‌ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଲବ୍‌ରେ ଭାରତ ସାମିଲ

ବାଲେଶ୍ବର: ସୋମବାର ଅପରାହ୍ନ ୪ଟା ୫୦ ମିନିଟ୍‌ରେ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍‌ କଲାମ ଦ୍ବୀପରୁ ବହୁ ଦୂରଗାମୀ ‘ଅଗ୍ନି-୫’ର ସଫଳ ପରୀକ୍ଷଣ ହୋଇଛି। ଏଥିସହିତ ଅନ୍ତଃମହାଦେଶୀୟ ଏଲିଟ୍‌ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଲବ୍‌ରେ ସାମିଲ୍‌ ହୋଇଛି ଭାରତ। ପୂର୍ବରୁ ଚୀନ, ଫ୍ରାନ୍ସ, ଆମେରିକା, ଇସ୍ରାଏଲ, ରୁଷ୍, ଇଂଲଣ୍ଡ ଭଳି ହାତଗଣତି ଦେଶରେ ରହିଛି ଏ ପ୍ରକାର ବିଧ୍ବଂସୀ କ୍ଷେପଣାସ୍ତ୍ର। ‘ମିସନ୍‌ ଦିବ୍ୟାସ୍ତ୍ର’ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଚ୍ଚପ୍ରଶଂସା କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଡିଆର୍‌ଡିଓ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିବା ବେଳେ ଭାରତ ପାଇଁ ଏହା ଏକ ବଡ଼ ସଫଳତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସୋମବାର ଅପରାହ୍ନରେ କଲାମ ଦ୍ବୀପ ଲଞ୍ଚପ୍ୟାଡ୍‌ରୁ ବଙ୍ଗୋପସାଗରକୁ ନିକ୍ଷେପ ହୋଇଥିଲା ଏହି ପ୍ରଳୟ ସୃଷ୍ଟିକାରୀ କ୍ଷେପଣାସ୍ତ୍ର। ଭାରତର ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ‘ଅଗ୍ନି-୫’ ପାଞ୍ଚ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ସାମର୍ଥ୍ୟ ରଖିଛି। କେବଳ ସେତିକି ନୁହେଁ, ଏଥିରେ ୧.୫ ଟନ୍‌ ଓଜନର ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର ମଧ୍ୟ କ୍ଷମତା ରହିଛି। ଅତ୍ୟାଧୁନିକ ପ୍ରଯୁକ୍ତି ଜ୍ଞାନକୌଶଳରେ ନିର୍ମିତ ‘ଅଗ୍ନି-୫’ କ୍ଷିପ୍ର ବେଗରେ ବାୟୁମଣ୍ଡଳ ଉପରେ ଯାଉଥିବାରୁ ଶତ୍ରୁପକ୍ଷର ରାଡାର୍‌ ଏହାକୁ ନିରୀକ୍ଷଣ କରିବା ମଧ୍ୟ କଷ୍ଟସାଧ୍ୟ। ଏହାର ଓଜନ ୫୦ ଟନ୍‌, ଲମ୍ବ ୧୭.୫ ମିଟର ଓ ମୋଟେଇ ୨ ମିଟର। ଉତ୍‌କ୍ଷେପଣ ସମୟରେ ଡିଆର୍‌ଡିଓର ବହୁ ବୈଜ୍ଞାନିକ ଓ ପ୍ରତିରକ୍ଷା ବାହିନୀ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ବରିଷ୍ଠ ସାମରିକ ଅଧିକାରୀ ଉପସ୍ଥିତ ଥିଲେ। ‘ଅଗ୍ନି-୫’ ପରିଧି ଭିତରେ ଏସିଆ ମହାଦେଶ ସହିତ ୟୁରୋପର କିଛି ରାଷ୍ଟ୍ର ମଧ୍ୟ ଆସୁଛନ୍ତି। ଯାହାଫଳରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହୋଇଛି।

ଡିଆର୍‌ଡିଓର ପୂର୍ବତନ ମହାନିର୍ଦ୍ଦେଶକ ତଥା ବର୍ତ୍ତମାନ ନୀତି ଆୟୋଗର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଦସ୍ୟ ଡକ୍ଟର ଭିକେ ସାରସ୍ୱତ କହିଛନ୍ତି ଯେ ଅଗ୍ନି-୫ କ୍ଷେପଣାସ୍ତ୍ରର ବିକାଶରେ ସେ ସଂପୃକ୍ତ ଥିଲେ। ଏହି କ୍ଷେପଣାସ୍ତ୍ରକୁ ସେ ଏକ ବିରାଟ ଶକ୍ତି-ଗୁଣକ ବୋଲି କହିଛନ୍ତି। ସାରସ୍ୱତ କହିଛନ୍ତି ଯେ ଅଗ୍ନି-୫ର ମା’ କ୍ଷେପଣାସ୍ତ୍ର ଭିତରେ ଥିବା ପ୍ରତ୍ୟେକ ଶିଶୁ କ୍ଷେପଣାସ୍ତ୍ରର ନିଜସ୍ବ ମାର୍ଗଦର୍ଶନ ଓ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ଏହା ମୁଖ୍ୟ ଟାର୍ଗେଟ ସ୍ଥଳଠାରୁ ୩୦୦ରୁ ୪୦୦ କିଲୋମିଟର ଉଚ୍ଚରେ ଲଞ୍ଚ୍ ହୋଇ ସ୍ବାଧୀନ ଭାବରେ ଏକାଧିକ ଟାର୍ଗେଟକୁ ଧ୍ବଂସ କରିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର