ବାଲେଶ୍ବର/ଚାନ୍ଦିପୁର : ଚାନ୍ଦିପୁର ଡିଆରଡିଓ ଅଧୀନ ଆଇଟିଆର୍ ୩ ନମ୍ବର ଲଞ୍ଚପ୍ୟାଡ୍ରୁ ସୋମବାର ସକାଳ ୧୦ଟା ୩୦ ମିନିଟ୍ ସମୟରେ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ବ୍ୟାବହାରିକ ପରୀକ୍ଷଣ ହୋଇଛି। ରୁଷ୍ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରକୁ ଯେ କୌଣସି ପ୍ରତିକୂଳ ପାଗରେ ସ୍ଥଳ, ଜଳ ଓ ଆକାଶମାର୍ଗରୁ ନିକ୍ଷେପ କରାଯାଇପାରିବ। ଶବ୍ଦର ବେଗଠାରୁ ୩ ଗୁଣ ଅଧିକ ବେଗରେ ଗତି କରୁଥିବା ‘ବ୍ରହ୍ମୋସ୍’କୁ ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ରହ୍ମାସ୍ତ୍ର ବୋଲି ବିବେଚନା କରାଯାଉଛି। ଏହି କ୍ଷେପଣାସ୍ତ୍ରରେ ଦୁଇ ଷ୍ଟେଜ୍ ବିଶିଷ୍ଟ ଶକ୍ତିଶାଳୀ ଇଂଜିନ୍ ବ୍ୟବହାର କରାଯାଇଛି। ଏହାକୁ ଟ୍ରକ୍, ରେଳ ଲଞ୍ଚର୍, ସମୁଦ୍ରରେ ବୁଡ଼ାଜାହାଜ, ଯୁଦ୍ଧ ଜାହାଜ ଓ ଆକାଶମାର୍ଗରେ ଯୁଦ୍ଧବିମାନ ଯୋଗେ ଶତ୍ରୁପକ୍ଷ ଉପରକୁ ନିକ୍ଷେପ କରାଯାଇପାରିବ।
୩ ହଜାର କିଲୋଗ୍ରାମ୍ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ‘ବ୍ରହ୍ମୋସ୍’ ସ୍ଥଳଭାଗରୁ ୪୫୦ କିଲୋମିଟରରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ବେଳେ ବାୟୁସେନା ଯୁଦ୍ଧ ବିମାନରୁ ୪ ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍ ହିଟ୍ କରିପାରିବାର କ୍ଷମତା ରଖିଛି। ଘଣ୍ଟା ପ୍ରତି ୩ ହଜାର ୪ ଶହ କିଲୋମିଟରରୁ ୩ ହଜାର ୭ ଶହ କିଲୋମିଟର ବେଗରେ ଗତି କରିପାରୁଥିବା ‘ବ୍ରହ୍ମୋସ୍’କୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ସାମିଲ କରାଯାଇଛି। ଭାରତର ବ୍ରହ୍ମପୁତ୍ର ନଦୀ ଓ ରୁଷ୍ର ମସ୍କଭା ନଦୀର ନାମ ଅନୁସାରେ ଏହାର ନାମ ‘ବ୍ରହ୍ମୋସ୍’ ରଖାଯାଇଛି।