ଚାନ୍ଦିପୁରରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ବାଲେଶ୍ବର/ଚାନ୍ଦିପୁର : ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଡିଆରଡିଓର ଆଇଟିଆର ଲଞ୍ଚ ପ୍ୟାଡ୍‌ରୁ ରବିବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର(ଏମଆର-ସାମ୍‌)ର ସଫଳ ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ଓ ସେନା ବାହିନୀର ମିଳିତ ସହଯୋଗରେ ଏହି ପରୀକ୍ଷା କରାଯାଇଥିଲା।
ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇ ପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୫ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ରହିଥିବାବେଳେ ୧୨ କିଲୋମିଟର ଆକାଶ ମାର୍ଗରେ ଥାଇ ମଧ୍ୟ ଲକ୍ଷ୍ୟସ୍ଥଳକୁ ଧ୍ବଂସ କରିପାରିବା ଭଳି ଏହାର କ୍ଷମତା ରହିଛି। ଶବ୍ଦର ବେଗଠାରୁ ସାଢ଼େ ୪ ଗୁଣ ଅଧିକ ବେଗରେ ଏହା ଗତି କରିଥାଏ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ ସଲିଡ୍ ପ୍ରପୋଲ୍ୟାଂଟ ରକେଟ ଇଂଜିନ ବ୍ୟବହାର କରାଯାଇଛି। ଏହି ପରୀକ୍ଷା ପାଇଁ ଆଜି ସକାଳୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୨.୫ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ଅଂଚଳରୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ୭ ହଜାର ଲୋକଙ୍କୁ ଅସ୍ଥାୟୀ ଭା‌ବେ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳ ଏବଂ ସ୍କୁଲ ଘରଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା।

ଖଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ତୁଣ୍ତରାପାହି, ଜୟଦେବ କସବାପାହି, ସାହାଜାନଗର ଆଦି ଗ୍ରାମର ଲୋକଙ୍କୁ ଖଡ଼ୁପାହି, ତୁଣ୍ତୁରା ଓ ଜୟଦେବକସବା ପାହି ବାତ୍ୟାଶ୍ରୟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। କ୍ଷେପଣାସ୍ତ୍ର ପରୀକ୍ଷଣ ନିମନ୍ତେ ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବୀଙ୍କୁ ମଧ୍ୟ ସଚେତନ କରିବା ସହ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା। ଅସ୍ଥାୟୀ ଶିବିରରେ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ନିୟୋଜିତ ରହିଥିଲେ। ଏମ୍‌ଆର-ସାମ୍‌ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଭାରତୀୟ ସେନା ଓ ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାନ୍ଦିପୁରରୁ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷା ହେବାକୁ ଥିବା ନେଇ ପୂର୍ବରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର