ବାଲେଶ୍ବର/ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆର୍‌ଡିଓ) ପକ୍ଷରୁ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦୁଇଦିନରେ ଦୁଇଥର ସଫଳ ବ୍ୟବହାରିକ ପରୀକ୍ଷଣ ହୋଇଛି। ସର୍ବାଧିକ ଓ ସର୍ବନିମ୍ନ ଦୂରତାରେ ଲକ୍ଷ୍ୟଭେଦ କ୍ଷମତା ଜାଣିବା ପାଇଁ ଓଡ଼ିଶା ଉପକୂଳସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଓ ଆଜି ‘ପ୍ରଳୟ’ର ପରୀକ୍ଷା କରାଯାଇଥିଲା। ଡିଆର୍‌ଡିଓର ବରିଷ୍ଠ ବୈଜ୍ଞାନିକ ଓ ବ୍ୟବହାରକାରୀ ପ୍ରତିନିଧି ଦଳ, ଭାରତୀୟ ବାୟୁସେନା ଓ ସ୍ଥଳସେନାର ବରିଷ୍ଠ ଅଧିକାରୀଙ୍କ ସହ ଶିଳ୍ପ ପ୍ରତିନିଧିମାନେ ପରୀକ୍ଷଣ ସମୟରେ ଉପସ୍ଥିତ ଥିଲେ। 

Advertisment

ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଡିଆର୍‌ଡିଓ ସଚିବ ତଥା ଅଧ୍ୟକ୍ଷ ଡ. ସମୀର ଭି କାମତ ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଲ୍ଲେଖ ଥାଉକି; ‘ପ୍ରଳୟ’ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏକ କଠିନ ପ୍ରପେଲାଣ୍ଟ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର। ଯାହା ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ। ପ୍ରତିରକ୍ଷା ଗବେଷଣା ଓ ବିକାଶ ପରୀକ୍ଷାଗାର, ଅସ୍ତ୍ରଶସ୍ତ୍ର ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଟର୍ମିନାଲ୍‌ ବାଲିଷ୍ଟିକ୍ସ ଗବେଷଣା ପରୀକ୍ଷାଗାର, ଆଇଟିଆର୍‌, ଡିଆର୍‌ଡିଓ, ରିସର୍ଚ୍ଚ ସେଣ୍ଟର୍‌ ଇମାରତ୍‌ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ୍‌ ସହ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ପକ୍ଷରୁ ‘ପ୍ରଳୟ’କୁ ବିକଶିତ କରାଯାଇଥିବା ଜଣାପଡ଼ିଛି।