ବାଲେଶ୍ବର/ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆର୍ଡିଓ) ଏବଂ ଭାରତୀୟ ସେନା ଏପ୍ରିଲ ୩ ଓ ୪ ତାରିଖରେ ଧାମରାସ୍ଥିତ ଅବଦୁଲ କଲାମ୍ ଦ୍ବୀପରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ‘ଏମ୍ଆର୍ସାମ୍’ର ୪ଟି ସଫଳ ପରୀକ୍ଷଣ ହୋଇଛି। ଏହି ୪ଟି ପରୀକ୍ଷଣ ହାଇସ୍ପିଡ୍ ଏରିଆଲ୍ ଟାର୍ଗେଟ୍ ବିରୁଦ୍ଧରେ କରାଯାଇଥିଲା। କ୍ଷେପଣାସ୍ତ୍ରଗୁଡ଼ିକ ଆକାଶ ମାର୍ଗର ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଦେଇଥିଲେ। ଦୀର୍ଘ ଦୂରଗାମୀ, କ୍ଷୁଦ୍ର ଦୂରଗାମୀ, ଉଚ୍ଚ ଏବଂ ନିମ୍ନ ଉଚ୍ଚତାରେ ୪ଟି ଲକ୍ଷ୍ୟକୁ ଅଟକାଇବା ପାଇଁ ପରୀକ୍ଷଣ କରାଯାଇଥିଲା, ଯାହା କାର୍ଯ୍ୟକ୍ଷମ କ୍ଷମତାକୁ ପ୍ରମାଣିତ କରିଥିବା ଡିଆର୍ଡିଓ ପକ୍ଷରୁ ସୂଚନା ଦିଆଯାଇଛି।
ଏହାକୁ ଡିଆରଡିଓ ଏବଂ ଇସ୍ରାଏଲର ‘ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍’ (ଆଇଏଆଇ) ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଛି। ଭାରତୀୟ ସେନାର ବ୍ୟବହାର ପାଇଁ ଏହି କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି। ଏମ୍ଆର୍ସାମ୍ ସେନା ଅସ୍ତ୍ର ପ୍ରଣାଳୀରେ ବହୁମୁଖୀ କାର୍ଯ୍ୟକ୍ଷମତା ବିଶିଷ୍ଟ ରାଡାର୍, ମୋବାଇଲ୍ ଉତ୍କ୍ଷେପଣ ପ୍ରଣାଳୀ ଏବଂ ଅନ୍ୟାନ୍ୟ ବାହନ ସଂଯୋଗ ହୋଇଛି। ଡେଲିଭରେବଲ୍ କନ୍ଫିଗୁରେସନ୍ ବା ନିକ୍ଷେପ ଯୋଗ୍ୟ ଅସ୍ତ୍ର ପ୍ରଣାଳୀ ସହିତ ଏହି ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା। ଚାନ୍ଦିପୁର ଆଇଟିଆର ପକ୍ଷରୁ ନିୟୋଜିତ ରାଡାର୍, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରି ଭଳି ଦୂରତା ମାପନ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ପ୍ରଦର୍ଶନ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା। ପରୀକ୍ଷଣ ସମୟରେ ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
‘ଏମ୍ଆର୍ସାମ୍’ର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ସେନା ଏବଂ ପ୍ରତିରକ୍ଷା ଉଦ୍ୟୋଗକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ୪ଟି ପରୀକ୍ଷଣ ସଫଳ ହେବା ଦ୍ବାରା ଗୁରୁତ୍ବପୂର୍ଣ୍ଣ ଦୂରତାରେ ଥିବା ଲକ୍ଷ୍ୟକୁ ଭେଦ କରିବାରେ ଅସ୍ତ୍ର ପ୍ରଣାଳୀର କ୍ଷମତା ପ୍ରମାଣିତ ହୋଇଛି। ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମାତ ସଫଳ ଉଡ଼ାଣ ପରୀକ୍ଷଣରେ ସାମିଲ ଦଳଗୁଡ଼ିକୁ ପ୍ରଶଂସା କରିଛନ୍ତି। ଏହା ଭାରତୀୟ ସେନାର କ୍ଷମତା ବଢ଼ାଇବା ପାଇଁ ପ୍ରମୁଖ ମାଇଲଖୁଣ୍ଟ ବୋଲି କହିଛନ୍ତି।