ବାଲେଶ୍ୱର/ଚାନ୍ଦିପୁର/ଚାନ୍ଦବାଲି : ସୀମା ବିବାଦକୁ ନେଇ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଶନିବାର ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ବାଲିଷ୍ଟିକ୍ ମିସାଇଲ୍ ‘କେ-୧୫ ଲ୍ୟାଣ୍ଡ ଭର୍ସନ୍ (ଶୌର୍ଯ୍ୟ)’ର ସଫଳ ପରୀକ୍ଷଣ କରିଛି। ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଡିଆର୍ଡିଓ ୟୁନିଟ୍ର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନରେ ଥିବା ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ କଲାମ୍ ଦ୍ବୀପର ୪ ନମ୍ବର ଉତ୍କ୍ଷେପଣ କେନ୍ଦ୍ରରୁ ଆଜି ମଧ୍ୟାହ୍ନ ୧୨ଟା ୧୦ ମିନିଟ୍ରେ କେ-୧୫ର ବ୍ୟାବହାରିକ ପରୀକ୍ଷଣ କରାଯାଇଥିଲା। ବୁଡ଼ାଜାହାଜରୁ ଉତ୍କ୍ଷେପଣ କରାଯାଉଥିବା ଏହି କ୍ଷେପଣାସ୍ତ୍ରକୁ ଆଜି ପ୍ରଥମ ଥର ପାଇଁ ସ୍ଥଳଭାଗରୁ ଉତ୍କ୍ଷେପଣ କରାଯାଇଛି। ପରୀକ୍ଷଣ ସଫଳ ହେବା ପରେ ରାଡାର ମାଧ୍ୟମରେ ମିଳିଥିବା ତଥ୍ୟକୁ ଡିଆର୍ଡିଓର ବୈଜ୍ଞାନିକମାନେ ବିଶ୍ଳେଷଣ କରିଥିଲେ।
ପୂର୍ବରୁ କେ-୧୫ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ସମୁଦ୍ର ଭିତରେ ଭାରତୀୟ ନୌସେନାର ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତରୁ ଉତ୍କ୍ଷେପଣ କରାଯାଉଥିଲା। ଏହାକୁ ମିଶାଇ ପଞ୍ଚମ ଥର ପାଇଁ କେ-୧୫ର ସଫଳ ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଏହାର ଓଜନ ୧୭ ଟନ୍ ଥିବାବେଳେ ଲମ୍ବ ୧୨ ମିଟର ଓ ମୋଟେଇ ୦.୮ ମିଟର। ଏଥିରେ ୨ ଟନ୍ ଓଜନର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ୩ ହଜାରରୁ ସାଢ଼େ ୩ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖିଛି ଏହି ଘାତକ କ୍ଷେପଣାସ୍ତ୍ର। ସ୍ଥଳଭାଗରୁ ୫୦ କିଲୋମିଟର ଉଚ୍ଚତାରେ ଘଣ୍ଟା ପ୍ରତି ୯ ହଜାର ୧୮୭ କିଲୋମିଟର ବେଗରେ ଏହି କ୍ଷେପଣାସ୍ତ୍ର ଗତି କରିପାରିବ। ୨୦୧୧ ମସିହାରୁ ଏହାକୁ ସ୍ଥଳସେନାରେ ସାମିଲ କରାଯାଇଛି।
ପ୍ରକାଶଥାଉକି, ନିକଟରେ ଡିଆର୍ଡିଓ ପକ୍ଷରୁ ଅତ୍ୟାଧୁନିକ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ବ୍ୟାବହାରିକ ପରୀକ୍ଷଣ ପରେ ଏହାକୁ ଭାରତ-ଚୀନ ସୀମାନ୍ତ ଏଲ୍ଏସିରେ ମୁତୟନ କରାଯାଇଛି। ଏହି କ୍ଷେପଣାସ୍ତ୍ର ବଳରେ ଭାରତ ଜଳ, ସ୍ଥଳ ଓ ଆକାଶପଥରୁ ଶତ୍ରୁପକ୍ଷକୁ ଉଚିତ ଜବାବ ଦେଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ବୁଡ଼ାଜାହାଜରୁ ଆଣବିକ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରିବାରେ ଭାରତ ହେଉଛି ବିଶ୍ବର ପଞ୍ଚମ ରାଷ୍ଟ୍ର। ଏହା ପୂର୍ବରୁ ଆମେରିକା, ରୁଷିଆ, ଚୀନ୍ ଓ ଫ୍ରାନ୍ସ ଏହି ଜ୍ଞାନକୌଶଳ ହାସଲ କରିଛନ୍ତି।