ସରସ୍ୱତୀଙ୍କଠୁ ଦ୍ରୌପଦୀଙ୍କ ଯାଏ… ମୟୂରଭଞ୍ଜର ସଫଳ ଆଦିବାସୀ ମହିଳା ନେତ୍ରୀ

ବାରିପଦା : ମୟୂରଭଞ୍ଜ ଭଳି ଏକ ଦୁର୍ଗମ, ଆଦିବାସୀ ବହୁଳ ଜିଲ୍ଲାର ମହିଳାମାନେ ବି ରାଜନୀତିରେ ପଛରେ ନାହାନ୍ତି। କିଏ ବିଧାନସଭା ତ ଆଉ କିଏ ଲୋକସଭା ଓ ରାଜ୍ୟସଭାରେ ପ୍ରତିନିଧିତ୍ବ କରିଛନ୍ତି। ଆଉ ଏବେ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ବସିବାକୁ ଯାଉଛନ୍ତି ମୟୂରଭଞ୍ଜର ଜଣେ ଆଦିବାସୀ ମହିଳା। ଅଶୀ ଦଶକରୁ ଆଜି ସୁଦ୍ଧା ମୟୂରଭଞ୍ଜରୁ ଯେଉଁ ୬ଜଣ ମହିଳା ଆଦିବାସୀ ନେତ୍ରୀ ରାଜନୀତି କ୍ଷେତ୍ରରେ ଈର୍ଷଣୀୟ ସଫଳତା ସାଉଁଟିଛନ୍ତି ତା ଉପରେ ନଜର ପକାଇବା।

ଅଶୀ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ ସରସ୍ବତୀ ହେମ୍ବ୍ରମ। ସେ ୧୯୮୦-୮୫ ଓ ୧୯୮୫-୯୦ ଦୁଇ ଥର କୁଳିଅଣା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୧୯୯୫ ମସିହା ନିର୍ବାଚନରେ ଖୁଣ୍ଟା ବିଧାନସଭାରୁ ନିର୍ବାଚିତ ହେବା ସହ କ୍ୟାବିନେଟ୍ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ୨୦୦୦ ମସିହା ପରେ ପରେ ଓଡ଼ିଶାରେ କଂଗ୍ରେସର ପତନ ଘଟିବା ଆରମ୍ଭ ହୋଇଥିଲା। ଏଥିସହ ସରସ୍ବତୀଙ୍କ ରାଜନୈତିକ କ୍ୟାରିୟର ବି ଆଗକୁ ବଢ଼ି ପାରିନଥିଲା।

ସେହି କଂଗ୍ରେସ ଶାସନ ସମୟରେ ଆଉ ଜଣେ ଆଦିବାସୀ ମହିଳା ନେତ୍ରୀ ସୁଶିଳା ତିରିଆ ବି ରାଜନୀତି ମଇଦାନକୁ ଓହ୍ଲାଇ ସଫଳତା ପାଇଥିଲେ। ମାତ୍ର ୩୦ ବର୍ଷ ବୟସରେ ୧୯୮୬ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୬ରେ ସେ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ଯାଇଥିଲେ। ୧୯୯୪ ଓ ୧୯୯୬ରେ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭାରେ ବି ପ୍ରତିନିଧିତ୍ବ କରିଥିଲେ। ନବେ ଦଶକରେ ସୁଶିଳା ଥିଲେ ରାଜ୍ୟ କଂଗ୍ରେସର ସବୁଠାରୁ ଟାଣୁଆ ନେତ୍ରୀ। ଗାନ୍ଧୀ ପରିବାର ସହ ମଧ୍ୟ ତାଙ୍କର ଘନିଷ୍ଠତା ଥିଲା। ସେ ମଧ୍ୟ ଏକଦା କଂଗ୍ରେସର କାର୍ଯ୍ୟକାରୀ କମିଟିର (ସିଡବ୍ଲୁସି) ସଭ୍ୟା ଥିଲେ। ସେ ଏବେ କ୍ଷମତା ରାଜନୀତିରୁ ଦୂରେଇ ରହିଥିଲେ ବି କଂଗ୍ରେସ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।

ଆଉ ଜଣେ ସଫଳ ଆଦିବାସୀ ମହିଳା ହେଲେ ସରୋଜନୀ ହେମ୍ବ୍ରମ। ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ଝିଅ ସରୋଜିନୀ ଅଧ୍ୟାପିକା ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୦୦ ସାଧାରଣ ନିର୍ବାଚନରେ ସେ ବାଙ୍ଗିପୋଷି ବିଧାନସଭା ଆସନରୁ ଜିତିଥିଲେ ଓ ମନ୍ତ୍ରୀ ହୋଇଥି‌ଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟସଭାକୁ ବି ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବାରିପଦା ବିଧାନସଭା ଆସନରୁ ଲଢ଼ି ଅଳ୍ପ ଭୋଟରେ ହାରି ଯାଇଥିଲେ ବି ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି। ଜଣେ ଜ୍ଞାନିଗୁଣୀ ରାଜନେତ୍ରୀ ଭାବେ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି।

୨୦୧୯ରେ କରଞ୍ଜିଆ ବିଧାନସଭା ଆସନରୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିବା ବାସନ୍ତୀ ହେମ୍ବ୍ରମ ନିକଟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ବାସନ୍ତୀ ସମିତି ସଭ୍ୟରୁ ରାଜନୀତି ଆରମ୍ଭ କରି ଦୁଇଥର ବ୍ଲକ୍‌ ଅଧ୍ୟକ୍ଷା ହୋଇଥିଲେ। ତଳସ୍ତରରୁ ରାଜନୀତି ଆରମ୍ଭ କରି ସେ ଏବେ ମହିଳା ଓ ଶିଶୁ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ।
ଆଉ ଜଣେ ଚର୍ଚ୍ଚିତ ଆଦିବାସୀ ମହିଳା ହେଲେ ମମତା ମହାନ୍ତ। ମମତା ଜିଲ୍ଲା ପରିଷଦ ସଭ୍ୟରୁ ରାଜନୀତି ଜୀବନ ଆରମ୍ଭ କରିଥିଲେ। କୁଡୁମୀ ସମ୍ପ୍ରଦାୟରୁ ସେ ଏକମାତ୍ର ମହିଳା ଯେ କି ରାଜନୀତିରେ ଆଗକୁ ଯାଇ ରାଜ୍ୟସଭାରେ ପ୍ରତିନିଧିତ୍ବ କରୁଛନ୍ତି। ୨୦୨୦ରେ ସେ ବିଜୁ ଜନତା ଦଳରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଖୁବ୍‌ କମ୍‌ ସମୟ ମଧ୍ୟରେ ଜିଲ୍ଲା ବିଜେଡିର ଜଣେ ପ୍ରମୁଖ ଚେହେରା ପାଲଟିଯାଇଛନ୍ତି।

ତେବେ ଉପରୋକ୍ତ ସମସ୍ତ ନେତ୍ରୀଙ୍କୁ ଟପିଯାଇଛନ୍ତି ଦ୍ରୌପଦୀ ମୁର୍ମୁ। ଶିକ୍ଷକତା ଚାକିରି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଦ୍ରୌପଦୀ। କାଉସିଲରରୁ ରାଜନୈତିକ ଜୀବନ ଆାରମ୍ଭ କରି ୨ଥର ବିଧାୟକ ଓ ମନ୍ତ୍ରୀ ହେବାର ‌ସୌଭାଗ୍ୟ ଅର୍ଜନ କରିଥିଲେ। ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ। ଆଉ ଏବେ ଦ୍ରୌପଦୀଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ସଂଖ୍ୟା ଦୃଷ୍ଟିରୁ ସେ ରାଷ୍ଟ୍ରପତି ହେବା ଆଶା ଉଜ୍ଜ୍ବଳ। ଯଦି ଦ୍ରୌପଦୀ ରାଷ୍ଟ୍ରପତି ହୁଅନ୍ତି ଏହାହେବ ମୟୂରଭଞ୍ଜର ତଥା ସାରାରାଜ୍ୟର କୌଣସି ଆଦିବାସୀ ମହିଳାଙ୍କ ପାଇଁ ଶ୍ରେଷ୍ଠ ଉପଲବ୍ଧି।

ସମ୍ବନ୍ଧିତ ଖବର