ସଫଳ ମହିଳା ଉଦ୍ୟୋଗୀ ଭାଗ୍ୟଲତା : ୫୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି

ଜଗନ୍ନାଥପ୍ରସାଦ : ଗୃହିଣୀ ହୋଇ ବି ନିଜ କୌଳିକ ବୃତ୍ତିକୁ ଛାଡ଼ିନାହାନ୍ତି। ତନ୍ତବୁଣା ଲୁଗା ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ବି ବଞ୍ଚିବାର ରାହା ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ଭାଗ୍ୟଲତା ସାହୁ। ଜଗନ୍ନାଥପ୍ରସାଦ ବ୍ଲକ୍‌ ଛକରେ ରହୁଥିବା ଭାଗ୍ୟଲତା। ବିବାହ ପରେ ନିଜେ ସ୍ବାବଲମ୍ବୀ ହେବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ସହଯୋଗ କରିଥିଲେ ସ୍ବାମୀ ସୁବାସ ସାହୁ। ସ୍ବାମୀଙ୍କ ଠାରୁ ତନ୍ତବୁଣା ଶିକ୍ଷା ଲାଭ କରିବା ପରେ ଏବେ ଭାଗ୍ୟଲତା ଜଣେ ସଫଳ କାରିଗର ହୋଇପାରିଛନ୍ତି। ଦୁଇ ବର୍ଷ ଧରି ତନ୍ତବୁଣା ଶିକ୍ଷାଲାଭ କରିବା ପରେ ଏବେ ସେ ନିଜ ହାତରେ ଭଳିକି ଭଳି ଷ୍ଟାଇଲ୍‌ର ଲୁଗା ବୁଣିପାରୁଛନ୍ତି। ସମ୍ବଲପୁରୀ ଗାମୁଛା ଠାରୁ ଆରମ୍ଭ କରି ଚାଦର, ରୁମାଲ୍‌ ଓ ସାର୍ଟ କପଡ଼ାକୁ ସେ ଅତି ସୁନ୍ଦର ବୁଣିପାରୁଛନ୍ତି।
ଭାଗ୍ୟଲତାଙ୍କ ଆଗ୍ରହକୁ ଦେଖି ସ୍ବାମୀ ସୁବାସ ବି ସମସ୍ତ ସହଯୋଗ ଦେଇଆସୁଛନ୍ତି। ସୁବାସ ବଲାଙ୍ଗିର ଅଞ୍ଚଳରୁ ସୂତା ଆଣିବା ପରେ ଭାଗ୍ୟଲତା ଏହାକୁ ଚମତ୍କାର ଢ଼ଙ୍ଗରେ ବିଭିନ୍ନ ରଂଗ ଦେଇ ବୁଣିବା ସହ ଏହାକୁ ବିକ୍ରି କରିବା ପାଇଁ ବ୍ଲକ ଛକରେ କରିଛନ୍ତି ଏକ ସମ୍ବଲପୁରୀ ଡ୍ରେସ୍ ଷ୍ଟୋର। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଡିଜାଇନ୍‌ର କପଡ଼ା ବି ରଖିଛନ୍ତି। ଏଥିରେ ଭାଗ୍ୟଲତା ନିଜେ ଦୁଇ ପଇସା ରୋଜଗାର କରିବା ପରେ ନିଜ ବ୍ୟବସାୟକୁ ଅଭିବୃଦ୍ଧି କରିବା ଏବଂ ଅଞ୍ଚଳର କିଛି ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରାୟ ୩୬ ଜଣ ମହିଳାଙ୍କୁ ନେଇ ଗଠନ କରିଛନ୍ତି ସତ୍ୟସାଇ, ମହାଲକ୍ଷ୍ମୀ ଓ ମଙ୍ଗଳା ନାମରେ ତିନୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ। ଚାରୋଟି ତନ୍ତ ବସାଇ ସଂପୃକ୍ତ ମହିଳାଙ୍କୁ ଲୁଗା ବୁଣାର ଶିକ୍ଷା ଦେଉଛନ୍ତି। ପ୍ରସ୍ତୁତ ଲୁଗା ଗୁଡ଼ିକୁ ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ଜଗତସିଂପୁର,ସୁନାବେଡ଼ା ଆଦି ଅଞ୍ଚଳର ବ୍ୟବସାୟୀ ବିକ୍ରି ପାଇଁ ନେଉଛନ୍ତି। ଏହି କାମରେ ୫୦ରୁ୬୦ ଜଣ ମହିଳା ରୋଜଗାରକ୍ଷମ ହୋଇ ପାରିଛନ୍ତି।
ଏଠାରେ ପ୍ରସ୍ତୁତ ସାମଗ୍ରୀ ନେଇ ସଦସ୍ୟାମାନେ ରାଜ୍ୟ ତଥା ରାଜ୍ୟ ବାହାରେ ଆୟୋଜିତ ପ୍ରଦର୍ଶନୀକୁ ଯାଇ ଭଲ ବ୍ୟବସାୟ କରିବା ସହ ବେଶ୍ ଦୁଇ ପଇସା ରୋଜଗାର କରୁଥିବା ସୂଚନା ମିଳିଛି। ଭାଗ୍ୟଲତା ନିଜ କୌଳିକ ବୃତ୍ତିକୁ ନେଇ ନିଜେ ବଞ୍ଚିବା ସହ ଅନ୍ୟ ମହିଳାଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ କି ସହାୟତା ପାଇ ନଥିବା କହିଛନ୍ତି। ସରକାର ଏ ଦିଗରେ ଆମକୁ ଅଧିକ ପ୍ରଶିକ୍ଷଣ ଦେବା ସହ ତନ୍ତ ଯୋଗାଇ ଦେଲେ ବ୍ୟବସାୟ ବଢ଼ିବା ସହ ଅଧିକରୁ ଅଧିକ ମହିଳା ସ୍ବାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି।
ସମ୍ବନ୍ଧିତ ଖବର