ପ୍ରଶାସନର ଥଇଥାନ ନୀତି ଏମିତି…: ବାଂଲାଦେଶୀ ଗେହ୍ଲାପୁଅ; ଭୂମିପୁତ୍ର ପର

ଭିଟାମାଟି ହରାଇ ମୂଳ ବାସିନ୍ଦା ବେସାହାରା, ଅନୁପ୍ରବେଶକାରୀଙ୍କୁ ମିଳୁଛି ସରକାରୀ ସହାୟତା

କେନ୍ଦ୍ରାପଡ଼ା/ରାଜନଗର : ସେମାନେ ଭୂମିପୁତ୍ର। ପୁରୁଷ ପୁରୁଷ ଧରି ବାପଅଜା ଅମଳରୁ ସାତଭାୟାରେ ରହି ଆସୁଥିଲେ। କିନ୍ତୁ ସମୁଦ୍ର ଗର୍ଭରେ ସେମାନଙ୍କ ଭିଟାମାଟି ଲୀନ ହେଇଯିବା ପରେ ସେମାନେ ଏବେ ବେସାହାରା। ସରକାରଙ୍କ ଥଇଥାନ ଯୋଜନାରେ ସେମାନଙ୍କୁ ସାମିଲ୍‌ କରାଯାଇନାହିଁ। ଆର୍ଶ୍ଚଯ୍ୟଜନକ ଭାବେ ବାଂଲାଦେଶ ଅନୁ‌ପ୍ରବେଶକାରୀଙ୍କୁ ସରକାରୀ ଯୋଜନାରେ ଥଇଥାନ କରାଯାଇଛି। ଖୋଦ୍ ତହସିଲଦାର ବି ଏ ପ୍ରସଙ୍ଗରେ ରାଜନଗର ଥାନାକୁ ଚିଠି ଲେଖି ଅନୁପ୍ରବେଶକାରୀଙ୍କ ସଂପର୍କରେ ତଦନ୍ତ ରିପୋର୍ଟ ମାଗିଥିବା ବେଳେ ଅନ୍ୟପଟେ ଥଇଥାନରୁ ବଂଚିତ ବହୁ ଦଳିତ ପରିବାର ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କିନ୍ତୁ, କିଭଳି ଆଉ କେଉଁ ପରିସ୍ଥିତିରେ ସାତଭାୟାର ମୂଳ ବାସିନ୍ଦା ‘ଭୂମିପୁତ୍ର’ମାନେ ଏଭଳି ପର ହେଇଯାଇଥିବା ବେଳେ ବାଂଲା ଅନୁପ୍ରବେଶକାରୀମାନେ ପ୍ରଶାସନର ଗେହ୍ଲାପୁଅ ହୋଇ ଯାଇଛନ୍ତି!

internews.org

ସୂଚନା ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଆଁରେ ସାତଭାୟାର ୭ଟି ଗାଁ ସଂପୂର୍ଣ୍ଣ ଲୀନ ହୋଇଯାଇଛି। ଦୀର୍ଘ ୪୦ ବର୍ଷ ଥଇଥାନ ପ୍ରତିଶ୍ରୁତିରେ ପହଁରିବା ପରେ ୨୦୧୧ମସିହାରେ ସାତଭାୟା ପଂଚାୟତକୁ ଅନ୍ୟତ୍ର ଥଇଥାନ କରିବାକୁ ସରକାର ସ୍ବୀକୃତି ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୭୧୧ପରିବାରକୁ ଥଇଥାନ କରାଯିବାକୁ ନିଷ୍ପତ୍ତି ହେବ‌ାସହିତ ୨୦୧୪ ମସିହାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ, ୫୭୧ ପରିବାରଙ୍କୁ ୧୦ ଡିସିମିଲ ଲେଖାଏ ଜମି ସହିତ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିଲା। ୨୦୧୭ ମସିହାରୁ ସାତଭାୟାରୁ ଲୋକେ ଥଇଥାନ କଲୋନିକୁ ଆସିବା ଆରମ୍ଭ କରିଥିଲେ। ସାତଭାୟାର ଆରାଧ୍ୟା ଦେବୀ ମା ପଂଚୁବରାହୀଙ୍କୁ ୨୦ ଏପ୍ରିଲ ୨୦୧୮ରେ ଥଇଥାନ କଲୋନିକୁ ସ୍ଥାନାନ୍ତର କରାଯିବା ପରେ ସମସ୍ତ ୫୭୧ ପରିବାର ଥଇଥାନ କଲୋନିରେ ବସବାସ କରୁଛନ୍ତି।

ଥଇଥାନରୁ ବାଦ୍ ପଡ଼ିଥିବା ଅବଶିଷ୍ଟ ୧୪୦ ପରିବାର କୋର୍ଟଙ୍କ ଆଶ୍ରୟ ନେବାପରେ ଅଦାଲତ ସେମାନଙ୍କୁ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ଏହି ୯୯ ପରିବାର ମଧ୍ୟରେ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କୁ ଥଇଥାନ କରାଯାଇଛି, ଯାହା ବିରେନ ରପ୍ତାନୀଙ୍କ ଘଟଣାରୁ ସ୍ପଷ୍ଟ ହେଇଯାଇଛି। ବିରେନଙ୍କ ପୁଅ ହେଉଛି ତାରାପଦ। ବାଂଲା ଅନୁପ୍ରବେଶକାରୀ ସନ୍ଦେହ କରି ପ୍ରଶାସନ ତାରାପଦଙ୍କ ନାଁରେ ୨୦୧୬ ମସିହାରେ ରାଜନଗର ଥାନାରେ ଏତଲା ଦେଇଥିଲା। ତାରାପଦ ବି ନିଜେ ତାର ଜନ୍ମ ପଶ୍ଚିମବଂଗ ଏବଂ ବାପାଙ୍କ ଘର ବାଂଲାଦେଶ ବୋଲି କହିଥିଲା। ପ୍ରଶାସନ ଏହି ଆଧାରରେ ତାଙ୍କୁ ଥଇଥାନ ଯୋଜନାରୁ ବାଦ୍ ଦେଇଥିଲେ। କିନ୍ତୁ, ତାଙ୍କ ଦୁଇ ଭାଇ ହରିପଦ ରପ୍ତାନୀ ଓ ନଳିନୀ ରପ୍ତାନୀ ଏବଂ ତିନି ପୁତୁରା ପଳାଶ, ବିକାଶ ଓ ପ୍ରଶାନ୍ତଙ୍କୁ ପ୍ରଶାସନ ଥଇଥାନ କରି ଏମାନଙ୍କୁ ପୃଥକ୍ ପରିବାର ଦର୍ଶାଯାଇ ଜାଗା ଚିହ୍ନଟ ଦିଆଯାଇଛି।

Youth Ki Awaaz

ଅନ୍ୟପଟେ କିନ୍ତୁ ସାତଭାୟାର ମୂଳ ବାସିନ୍ଦା ୫୦ରୁ ଅଧିକ ପରିବାର ଥଇଥାନରୁ ବଂଚିତ ହୋଇଛନ୍ତି। ଏହି ୫୦ ପରିବାର ମଧ୍ୟରେ ୩୦ ଦଳିତ ପରିବାର ରହିଥିବା ସାତଭାୟା ପୁର୍ନବସତି ଓ ଥଇଥାନ ମଂଚର ଆବାହକ ଡକ୍ଟର ଧରଣୀଧର ରାଉତ କହିଛନ୍ତି। ଏ ସଂକ୍ରାନ୍ତରେ ବାରମ୍ବାର ଦାବି ପରେ ବି ପ୍ରଶାସନ ଶୁଣିଲା ନାହିଁ। ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥଇଥାନ ଦାବିରେ ଅନଶନରେ ବସିବାକୁ ପଡ଼ିବା ‌ବୋଲି ଡକ୍ଟର ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର