ତେନ୍ତୁଳିଖୁଣ୍ଟି : ପୁଅର ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗାଦବାଗୁଡ଼ା ଗ୍ରାମର ଜଣେ ମହିଳା ନିଜ ରାସନ କାର୍ଡ ଓ ଭତ୍ତା କାର୍ଡ ବନ୍ଧକ ରଖିବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତତ୍ପର ହୋଇ ଉଠିଥିଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତେନ୍ତୁଳିଖୁଣ୍ଟି ବିଡିଓ ମହିଳାଙ୍କ ଘରେ ପହଞ୍ଚି ବନ୍ଧକ ରଖିଥିବା ରାସନ କାର୍ଡ ମୁକୁଳାଇବା ସହିତ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏଥିସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହାୟତାରେ ସଂପୃକ୍ତ ଯୁବକଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ। କିନ୍ତୁ ଯୁବକଙ୍କୁ ଭୁବନେଶ୍ବର ନେବା ପରିବର୍ତ୍ତେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିକଟରେ ରାସ୍ତା କଡ଼ରେ ଛାଡ଼ି ଦିଆଯାଇଛି। ବୃଦ୍ଧା ମା’ ଜଣକ ବର୍ତ୍ତମାନ ପୁଅକୁ ଜଗି ରହିଛନ୍ତି।
ପ୍ରକାଶ ଥାଉକି, ଗାଦବାଗୁଡ଼ା ଗ୍ରାମରେ ସୁଲୋଚନା ଖୁରା କିଛିବର୍ଷ ତଳେ ସ୍ବାମୀଙ୍କୁ ହରାଇଥିଲେ। ଏହାପରେ ପୁଅ ନୟନ ହିଁ ତାଙ୍କ ପାଇଁ ସବୁକିଛି ଥିଲା। ପୁଅ ନୟନ ସିଲେଇ କାମ କରି ଯାହା ରୋଜଗାର କରୁଥିଲା ସେଥିରେ ମା’ , ପୁଅ କୌଣସି ପ୍ରକାର ଚଳି ଯାଉଥିଲେ। ତେବେ ୩ବର୍ଷ ତଳେ ଦୁର୍ଘଟଣାର ଶିକାର ହେବାରୁ ନୟନଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସୁଲୋଚନା ଯାହା କିଛି ସଂଚିଥିଲେ ତାହା ପୁଅ ନୟନଙ୍କ ପ୍ରାଥମିକ ଚିକିତ୍ସାରେ ସରିଗଲା। ତେଣୁ ଉପଯୁକ୍ତ ଚିକିତ୍ସା ନ ହେବାରୁ ଗୋଡ଼ ଫୁଲି ଯାଇଥିଲା। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ମିଳିଥିବା ରାସନ କାର୍ଡକୁ ୮ହଜାର ଟଙ୍କାରେ ବନ୍ଧକ ରଖି ସୁଲୋଚନା ଟଙ୍କା ଯୋଗାଡ଼ କରିଥିଲେ। ସେହି ଟଙ୍କାରେ ଚିକିତ୍ସା କରାଇବାରୁ ନୟନ ସୁସ୍ଥ ହୋଇଥିଲେ। କିନ୍ତୁ, କିଛିଦିନ ଯିବା ପରେ ପୁଣି ଗୋଡ଼ ଫୁଲିବାରେ ଲାଗିଲା। ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ଏଥର ଭତ୍ତା କାର୍ଡକୁ ୬ହଜାର ଟଙ୍କାରେ ବନ୍ଧକ ରଖିଲେ। ଚିକିତ୍ସା ସତ୍ତ୍ବେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ନୟନ, ଡାକ୍ତର ବ୍ରହ୍ମପୁର ନେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅର୍ଥ ଅଭାବରୁ ନୟନଙ୍କୁ ବଡ଼ ଡାକ୍ତରଖାନା ନେଇ ପାରି ନଥିଲେ ସୁଲୋଚନା।
ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇ ଚଳିତ ମାସ ୫ ତାରିଖରେ ଗାଦବାଗୁଡ଼ା ଗ୍ରାମରେ ପହଞ୍ଚି ନୟନଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ବନ୍ଧକ ଥିବା କାର୍ଡ ମୁକୁଳାଇ ସୁଲୋଚନାଙ୍କୁ ହସ୍ତାନ୍ତର କରିଥିଲେ। ଏହି ଖବର ପାଇ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ନୟନଙ୍କ ଘରେ ପହଞ୍ଚିଥିଲେ। ନୟନଙ୍କ ଆବଶ୍ୟକ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବା ସହିତ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ନେଇ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଗତକାଲି ରାଜ୍ୟ ସରକାର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୟନଙ୍କ ଆବଶ୍ୟକ ଚିକିତ୍ସା ପାଇଁ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରାଯାଇଥିଲା। ନୟନ ଓ ତାଙ୍କ ବୃଦ୍ଧା ମା’ସୁଲୋଚନାଙ୍କୁ ଏକ ଆମ୍ବୁଲାନ୍ସରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରି ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆମ୍ବୁଲାନ୍ ଡ୍ରାଇଭର ଜଣକ ନୟନ ଓ ତାଙ୍କ ବୃଦ୍ଧା ମା’ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିକଟସ୍ଥ ରାସ୍ତା କଡ଼ରେ ଛାଡ଼ି ଆସିଛନ୍ତି। ଏହାପରେ ନୟନ ସେଠାରେ ଅସହାୟ ଅବସ୍ଥାରେ ଥିବାବେଳେ ବୃଦ୍ଧା ମା’ ଓ ଜଣେ ସଂପର୍କୀୟ ତାଙ୍କୁ ଜଗି ରହିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ନୟନ ଭୁବନେଶ୍ବର ପହଞ୍ଚିଲେ ନାଁ ନାହିଁ, ତାହାର ତଦାଖର କିଭଳି ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତଥା ପ୍ରଶାସନ କିଭଳି ଦୃଷ୍ଟି ଦେଲାନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।