ଯାଜପୁର: ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ଭେଟିକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳର ୧୭ ଜଣ ରାଜ୍ୟସଭା ସାଂସଦ ୧୦ ବର୍ଷରେ ୧୮ କୋଟି ଟଙ୍କାର ପାଣ୍ଠି ଏହି ନିର୍ବାଚନମଣ୍ଡଳୀକୁ ଦେଇଛନ୍ତି। ପୂର୍ବ ସରକାରରେ କ୍ଷମତା କେନ୍ଦ୍ର ପାଲଟିଥିବା ଯାଜପୁର ନେତାଙ୍କ ହାକିମାତି, ନାଲିଆଖି ଆଗରେ ସାଂସଦମାନେ କିଭଳି ଅସହାୟ ଥିଲେ ତାହା ଏହି ପାଣ୍ଠି ବିନିଯୋଗରୁ ସ୍ପଷ୍ଟ ହେବାରେ ଲାଗିଛି। ରାଜ୍ୟର ଅନ୍ୟ ୧୪୬ ନିର୍ବାଚନମଣ୍ଡଳୀକୁ ଉପେକ୍ଷା କରି ସେମାନେ ଯାଜପୁରକୁ କାହିଁକି ଏତେ ଗୁରୁତ୍ବ ଦେଉଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବତନ ସାଂସଦ ଅନୁଭବ ମହାନ୍ତି, ପ୍ରଶାନ୍ତ ନନ୍ଦ, ଅଚ୍ୟୁତ ସାମନ୍ତ, ପ୍ରତାପ ଦେବ, ଦିଲୀପ ତିର୍କୀ ଓ ସ୍ବର୍ଗତ ବୈଷ୍ଣବ ପରିଡ଼ା ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଅନ୍ୟପକ୍ଷରେ ସାଂସଦମାନେ ଦେଇଥିବା ଅର୍ଥର ଠିକ୍ ବିନିଯୋଗ ହୋଇଛି କି ନାହିଁ, ଏହାର ବିନିଯୋଗ ପ୍ରମାଣପତ୍ର ନେଇଥିଲେ କି ନାହିଁ; ତାହା ତଦନ୍ତସାପେକ୍ଷ।
ଯାଜପୁର ନିର୍ବାଚନମଣ୍ଡଳୀରେ ୧୭ ଜଣ ରାଜ୍ୟସଭା ସାଂସଦ ଗତ ୧୦ ବର୍ଷରେ ସେମାନଙ୍କ ପାଣ୍ଠିରୁ ୧୮କୋଟି ୩୫ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟ କରିଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ, ପୂର୍ବତନ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ୨୦୧୫-୧୬ ଆର୍ଥିକ ବର୍ଷରେ ୫୭ ଲକ୍ଷ ୫୦ହଜାର, ୨୦୧୬-୧୭ ଆର୍ଥିକ ବର୍ଷରେ ୧୦ଲକ୍ଷ ଦଶରଥପୁରକୁ ଦେଇଛନ୍ତି। ଏହି ଅର୍ଥରେ କଂକ୍ରିଟ୍ ରାସ୍ତା, କଲଭର୍ଟ ନିର୍ମାଣ ହୋଇଥିବା ଦର୍ଶାଯାଇଛି। ସେହିଭଳି ୨୦୧୭-୧୮ ଆର୍ଥିକ ବର୍ଷରେ ଷ୍ଟ୍ରିଟ୍ଲାଇଟ୍ ଲଗାଇବା ପାଇଁ ୪୧ ଲକ୍ଷ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ୪୩ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ହୋଇଛି। ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଯାଜପୁରକୁ ମୋଟ ୧ କୋଟି ୫୧ଲକ୍ଷ ୬୦ହଜାର ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଦଶରଥପୁର ବ୍ଲକ୍ରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଖର୍ଚ୍ଚ ହୋଇଥିବା ୮୪ଲକ୍ଷ ୧୦ହଜାର ଟଙ୍କାର ସାଂସଦ ପାଣ୍ଠି ବିନିଯୋଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବତନ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଯାଜପୁର ମୁଖିଆଙ୍କୁ ଖୁସି କରିବାକୁ ପଛାଇନଥିଲେ।
ସେ ୨୦୧୮-୧୯ରେ ଯାଜପୁର ଓ ଦଶରଥପୁର ବ୍ଲକ୍କୁ ୫୦ ଲକ୍ଷ ଦେଇଥିଲେ। ପୂର୍ବତନ ସାଂସଦ ପ୍ରତାପ ଦେବ ୨୦୧୭-୧୮ ଆର୍ଥିକ ବର୍ଷରେ ଦଶରଥପୁର ବ୍ଲକ୍କୁ ୩୪ ଲକ୍ଷ, ପୂର୍ବତନ ସାଂସଦ ପ୍ରଶାନ୍ତ ନନ୍ଦ ୨୦୧୮-୧୯ରେ ଦଶରଥପୁର ବ୍ଲକ୍ ଓ ଯାଜପୁର ପୌରାଞ୍ଚଳକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ପୂର୍ବତନ ସାଂସଦ ଦିଲୀପ ତିର୍କୀ ୨୦୧୪-୧୫ରୁ ୨୦୧୭-୧୮ ମଧ୍ୟରେ ଦଶରଥପୁର ବ୍ଲକ୍ରେ ୭୩ ଲକ୍ଷ, ପୂର୍ବତନ ସାଂସଦ ସ୍ୱର୍ଗତ ବୈଷ୍ଣବ ପରିଡ଼ା ଦଶରଥପୁର ବ୍ଲକ୍ ଓ ଯାଜପୁର ପୌରାଞ୍ଚଳ ପାଇଁ ୨୦୧୪-୧୫ ଓ ୨୦୧୫ -୧୬ରେ ୧କୋଟି ୪୭ଲକ୍ଷ ୭୦ ହଜାର ଟଙ୍କାର ପାଣ୍ଠି ପ୍ରଦାନ କରିଛନ୍ତି। ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ ୧୧ଜଣ ସାଂସଦ ଯାଜପୁରକୁ ୧୩କୋଟି ୧୪ଲକ୍ଷ ଟଙ୍କା ଦେଇଥିବା ଲୋକଲୋଚନକୁ ଆସିବା ପରେ ଏବେ ୨୦୧୪-୧୫ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ୬ ଜଣ ରାଜ୍ୟସଭା ସାଂସଦ ୫ କୋଟି ୨୧ଲକ୍ଷ ୩୦ହଜାର ଟଙ୍କା ଅନୁଦାନ ଦେଇଥିବା ତଥ୍ୟ ସାମ୍ନାକୁ ଆସିଛି।