ଭୁବନେଶ୍ୱର: ସ୍ମାର୍ଟ ସିଟି କାଳ ପୂରିଲାଣି। ନିର୍ମାଣାଧୀନ ପ୍ରକଳ୍ପ ସବୁକୁ ଆସନ୍ତା ବର୍ଷ ଜୁନ୍ ମାସ ଭିତରେ ସାରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇ ସାରିଲାଣି। ଆଉ କୌଣସି ନୂଆ ପ୍ରକଳ୍ପ ହେବ ନାହିଁ। ଯେଉଁ ପ୍ରକଳ୍ପ ପାଇଁ ଯେତିକି ଅର୍ଥ ମଞ୍ଜୁର ହୋଇଛି ସେହି ପ୍ରକଳ୍ପରେ ସେତିକି ହିଁ ଖର୍ଚ୍ଚ ହେବ ଏ କଥା ସ୍ପଷ୍ଟ କରି ସାରିଲାଣି। ଏଭଳି ସ୍ଥିତିରେ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଅର୍ଥରେ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ବିଏମ୍ସି-ଆଇସିଓଏମ୍ସି କୋଠାରେ ଥିବା ଏକାମ୍ର ହଲ୍ ଓ ନିଜସ୍ବ କନ୍ଫରେନ୍ସ ହଲ୍ରେ ‘ଏଲ୍ଇଡି ୱାଲ୍’ ଲଗାଇବାକୁ ଯୋଜନା କରିଛନ୍ତି। ଏଥିରେ ୧ କୋଟି ୬୪ ଲକ୍ଷ ୪ ହଜାର ୮୨୮ ଟଙ୍କା ଖର୍ଚ୍ଚ ହେବ। ପୂର୍ବରୁ କମିସନରଙ୍କ କନ୍ଫରେନ୍ସ ହଲ୍ରେ ଭିଡିଓ କନ୍ଫରେନ୍ସିଂ ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଏଭଳି ଭିଡିଓ ୱାଲ୍ର କ’ଣ ଆବଶ୍ୟକତା ପଡ଼ିଲା, ତାହା ପୁଣି ସ୍ମାର୍ଟ ସିଟି ପଇସାରୁ ସେ ନେଇ ପ୍ରଶ୍ନ ଉଠିଛି।
ମେୟରଙ୍କୁ ଅନ୍ଧାରରେ ରଖାଯାଇଛି
ଅନ୍ଲାଇନ୍ରୁ ଉଭାନ୍ ଟେଣ୍ଡର ଦସ୍ତାବିଜ୍
ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦେବା ପାଇଁ ଚାଲ୍
ଏହି ପ୍ରକ୍ରିୟାରେ ବଡ଼ ଅଭିଯୋଗ ହେଉଛି, ଯଦିଓ ପ୍ରତ୍ୟେକ ଟେଣ୍ଡର ଅନ୍ଲାଇନ୍ରେ କରାଯିବାକୁ ନିୟମ ରହିଛି, ଏ କ୍ଷେତ୍ରରେ ସେହି ସ୍ବଚ୍ଛତା ଅବଲମ୍ବନ କରାଯାଇନାହିଁ। ବରଂ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଠିକା ଦେବା ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଚତୁରତା ଦେଖାଇବାକୁ ଯାଇ ଫସି ଯାଇଛନ୍ତି। ନିୟମ ଅନୁସାରେ, ଓଡ଼ିଶା ଟେଣ୍ଡର ନାମକ ସରକାରୀ ପ୍ଲାଟ୍ଫର୍ମ ରହିଛି। ଏଥିରେ ସମଗ୍ର ରାଜ୍ୟରେ ଥିବା ପ୍ରତ୍ୟେକ ସରକାରୀ ବିଭାଗର ଟେଣ୍ଡର ଅପ୍ଲୋଡ୍ ହୋଇଥାଏ। ଅତି କମ୍ରେ ୧ବର୍ଷ ପର୍ଯ୍ୟନ୍ତ ଏହି ଟେଣ୍ଡର ସେଠାରେ ପ୍ରଦର୍ଶିତ ହେବା ନିୟମ ରହିଛି। କିନ୍ତୁ ବିଏସ୍ସିଏଲ୍ର ଆରଏଫ୍ପି (ରିକ୍ବେଷ୍ଟ ଫର୍ ପ୍ରପୋଜାଲ୍ ସଂଖ୍ୟା ୧୧୬୦, ଜୁନ୍ ୧୨ ତାରିଖ) ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଛି। ଠିକ୍ ସେହିଭଳି ବିଏସ୍ସିଏଲ୍ର ନିଜସ୍ବ ୱେବ୍ସାଇଟ୍ରେ ମଧ୍ୟ ଏହା ସ୍ଥାନ ପାଇନାହିଁ। କୌଣସି ସରକାରୀ ପ୍ଲାଟ୍ଫର୍ମରେ ବିଏସ୍ସିଏଲ୍ର ଏହି ଆରଏଫ୍ପି ନାହିଁ। ଅଥଚ ଏହା ପୂର୍ବରୁ ଓ ପରେ କରାଯାଇଥିବା ସମସ୍ତ ଟେଣ୍ଡର ଅନ୍ଲାଇନ୍ରେ ଉପଲବ୍ଧ ଅଛି। ଏହି ଟେଣ୍ଡରକୁ କାହିଁକି ଗାୟବ କରି ଦିଆଗଲା? ତାହା ଏହି କିଣାବିକାରେ ଅନିୟମିତତା କାରବାର ସନ୍ଦେହ ଦୃଢୀଭୂତ କରୁଛି। ପୁଣି ଏକଥା ବି ନିୟମ ରହିଛି ଯେ ଟେଣ୍ଡର ପରିମାଣ ଯଦି ୫୦ ଲକ୍ଷରୁ ଊର୍ଦ୍ଧ୍ବ ହେଲା, ତେବେ ମେୟରଙ୍କ ସ୍ବୀକୃତି ଆବଶ୍ୟକ। ତା’ ସହିତ କର୍ପୋରେସନର ସ୍ବୀକୃତି ମଧ୍ୟ ଲୋଡ଼ାଯିବ। ଏ କ୍ଷେତ୍ରରେ ଟେଣ୍ଡର ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ରହିଛି। କାଳେ ମେୟର ଓ କର୍ପୋରେସନ୍କୁ କଥାଯିବ, ଏଣୁ ଏହାକୁ ବିଏମ୍ସି ପାଣ୍ଠି ତାଲିକାରୁ ହଟାଇ ଦିଆଯାଇଛି।
ଗୋଟିଏ ସୂତ୍ରରୁ ମିଳିଥିବା ଖବର ମୁତାବକ, ଯଦି ଏହା ବିଏମ୍ସିକୁ ଯାଇଥାନ୍ତା, ତେବେ ଏହି ଖର୍ଚ୍ଚ ଉପରେ ପ୍ରତିବାଦର ସ୍ବର ଉଠିଥାନ୍ତା। କାରଣ ଏହି କୋଠା ନିର୍ମାଣ ହେବା ବେଳେ କମିସନରଙ୍କ ଚାମ୍ବର, କନ୍ଫରେନ୍ସ ହଲ୍ ଓ ଏକାମ୍ର ହଲ୍ରେ ଏଲ୍ସିଡି ଲାଗିଛି। ଭିଡିଓ କନ୍ଫରେନ୍ସର ମଧ୍ୟ ବ୍ୟବସ୍ଥା ରହିଛି ଓ ହେଉଛି। ଏଣୁ ପୂରା କାନ୍ଥ ସାରା ଏଲ୍ସିଡି ସ୍କ୍ରିନ୍ର କ’ଣ ଆବଶ୍ୟକ?
ଏଠାରେ ଉଲ୍ଲେଖଥାଉକି, ବିଏମ୍ସି-ଆଇସିଓଏମ୍ସି କୋଠାରେ ଲାଗିଥିବା ବିଭିନ୍ନ ଇଲେକ୍ଟ୍ରୋନିକ୍ ସରଞ୍ଜାମର ରକ୍ଷଣାବେକ୍ଷଣ ପାଇଁ ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। କିଛି ନୂଆ ଲାଗୁ କିମ୍ବା ମରାମତି ହେଉ ସମ୍ପୃକ୍ତ ନିର୍ଦ୍ଦିଷ୍ଟ ସଂସ୍ଥା କରିବା କଥା। କିନ୍ତୁ ଏହି ଭିଡିଓ ୱାଲ୍ ସଂସ୍ଥାପନ କରିବାକୁ ବେଙ୍ଗାଲୁରୁର ‘ବ୍ରଡ୍କାଷ୍ଟ ଇଞ୍ଜିନିୟରିଂ ଇଣ୍ଡିଆ ଲିମିଟେଡ୍’କୁ ଦାୟିତ୍ବ ଦିଆଯାଇଛି। ଅନୁସନ୍ଧାନ ବେଳେ ଜଣାପଡ଼ିଛି କି ଏହି ସଂସ୍ଥାର ଭୁବନେଶ୍ବର କିମ୍ବା ଓଡ଼ିଶାରେ କାର୍ଯ୍ୟାଳୟ ନାହିଁ। କେଉଁ ପରିସ୍ଥିତିରେ ଏଠାରେ ମରାମତି ଦାୟିତ୍ବ ନେଇଥିବା ସଂସ୍ଥା ଅଗୋଚରରେ ଅନ୍ୟ ଏକ ସଂସ୍ଥାକୁ ଏଲ୍ଇଡି ଲଗାଇବାକୁ ଦେଇ ଦିଆଗଲା? ତାହା ବୁଝାପଡ଼ୁନି। ଆହୁରି ଅଭିଯୋଗ ହୋଇଛି ଯେ ବାସ୍ତବରେ ଏହି ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେଣ୍ଡର ଦେବା ପାଇଁ ସମସ୍ତ ନିୟମ କାନୁନ୍କୁ ଜଳାଞ୍ଜଳି ଦିଆଯାଇଛି। କେବଳ ସେତିକି ନୁହେଁ, ସ୍ମାର୍ଟ ସିଟିର ସିଇଓ ହୋଇଥିବାରୁ ବିଏମ୍ସି କମିସନର ଚାପ ପକାଇ ଏଭଳି କରିଛନ୍ତି। ତେବେ ଟେଣ୍ଡର ପ୍ରକ୍ରିୟା ସ୍ବଚ୍ଛତାର ସହ କରାଯାଇଥିବା ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କହିଥିଲେ ହେଁ, ଏହାର ଆବଶ୍ୟକତା ସଂପର୍କରେ ମୁହଁ ଖୋଲିନାହାନ୍ତି।