ଜୀବନ ସଂଘର୍ଷରେ ସୁଚିତ୍ରା, ସ୍କୁଲ୍ ବଦଳରେ ବିଛଣା ତା’ର ଠିକଣା

ଜଗନ୍ନାଥପ୍ରସାଦ: ଯେଉଁ ବୟସରେ ସାଙ୍ଗସାଥୀଙ୍କ ଗହଣରେ ପାଠ ପଢ଼ି, ହସି ଖେଳି ବୁଲିବା କଥା ସେହି ସମୟ ଆଜି ସୁଚିତ୍ରା ପାଇଁ ଯନ୍ତ୍ରଣାଦାୟକ ହୋଇଛି। ବିଦ୍ୟାଳୟ ବଦଳରେ ଘରର ବିଛଣା ତା’ର ନିତି ଦିନିଆ ଠିକଣା ପାଲଟିଛି। ପ୍ରତିଦିନ ସେ ଜୀବନ ସହ ସଂଘର୍ଷ କରୁଥିବା ବେଳେ କୋମଳମତି ଝିଅର ଏଭଳି ଦଶା ଦେଖି ବାପା ମା’ଙ୍କ ଆଖିରୁ ମଧ୍ୟ ଆଉ ଲୁହ ଶୁଖୁନି। କାରଣ ଯାହା ଗଚ୍ଛିତ ସମ୍ବଳ ଥିଲା ସବୁ ଚିକିତ୍ସାରେ ସରିଗଲାଣି। ତଥାପି ଝିଅ ଭଲ ହୋଇ ପୁଣି ପାଠ ପଢ଼ିବ ଏବଂ ମଣିଷ ହେବ ବୋଲି ମନରେ ଆଜି ବି ଏହି ଆଶାର ଦୀପ ଜଳୁଛି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଛାମୁଣ୍ଡା ଗ୍ରାମ ବାରିସାହିର ପ୍ରକାଶ ପ୍ରଧାନ ଓ ସନ୍ତୋଷିନୀଙ୍କ ଦୁଇଝିଅ ହେଉଛନ୍ତି ସୁଚିତ୍ରା (୧୪) ଓ ପ୍ରାଚୀ (୧୨)। ଜମିବାଡ଼ି ବୋଲି କିଛି ନାହିଁ। ପତିପତ୍ନୀ ମୂଲ ଲାଗିଲେ ତେଲ ଲୁଣର ସଂସାର ଚାଲୁଛି। ପୁଅ ନାହିଁ ବୋଲି ମନରେ ତିଳେ ମାତ୍ର ଦୁଃଖ ନଥିଲା। ଦୁଇ କନ୍ୟାରତ୍ନଙ୍କୁ ନେଇ ସଂସାର ଠିକଠାକ୍ ଚାଲିଥିଲା। ହେଲେ ଏହା ଉପରେ ଯେମିତି କାହାର ନଜର ପଡ଼ିଗଲା। ବଡ଼ ଝିଅ ସୁଚିତ୍ରା ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲ୍ ଯିବା ସମୟରେ ରାସ୍ତାରେ ପଡ଼ିଯାଇଥିଲା। ବାପାମା’ ତାକୁ ଉଠାଇ ଆଣିଥିଲେ। ହେଲେ ଘଟଣାର ପରଦିନ ସୁଚିତ୍ରାର ବେକ ଗୋଟିଏ ପଟେ ବଙ୍କା ହୋଇଯାଇଥିଲା। ଆଉ ସେ ବେକ ଉଠାଇପାରିଲାନି। ବାପା ପ୍ରକାଶ ତାକୁ ଭଞ୍ଜନଗର ଡାକ୍ତରଖାନା ନେଇ ସମସ୍ତ ନମୁନା ପରୀକ୍ଷା କରାଇ ଔଷଧ ଆଣିଲେ। ତଥାପି ସୁଚିତ୍ରାର ବେକ ଠିକ୍ ନହେବାରୁ ବ୍ରହ୍ମପୁର ନେଇଯିବା ଲାଗି ଡାକ୍ତର ପରାମର୍ଶ ଦେ‌ଲେ। ହେଲେ ସେଠାରେ ଏକ ମାସ ରହିବା ପରେ ବି ସୁଚିତ୍ରାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ସେଠାରୁ ଗାଁକୁ ଫେରି ପୁଣି ତାକୁ ଭୁବନେଶ୍ବରସ୍ଥିତ କଳିଙ୍ଗ ହସ୍ପିଟାଲ୍ ନିଆଗଲା।

ସେଠାରେ ବହୁ ପରୀକ୍ଷାନିରୀକ୍ଷା ପରେ ବାପାମା’ ଯାହା ଶୁଣିଲେ ତାହା ସେମାନଙ୍କ କଳ୍ପନାରୁ ବାହାରେ ଥିଲା। ସୁଚିତ୍ରାକୁ ବ୍ରେନ୍ ଟ୍ୟୁମର୍ ହୋଇଛି ବୋଲି ସେମାନେ ଜାଣିବା ପରେ ଭୋ ‌ଭୋ ହୋଇ କାନ୍ଦି ଉଠିଥିଲେ। ଡାକ୍ତର ବହୁ ଆଶ୍ବାସନା ଦେଇ ସୁଚିତ୍ରାର ଚିକିତ୍ସା ଆରମ୍ଭ କଲେ। ସେଠାରେ ୬ ମାସ ରହିବା ପରେ ତା’ର ମୁଣ୍ଡରୁ ପାଣି କଢ଼ାଯିବା ସହ କେମୋ ବି ଦିଆଗଲା। ଏଥିପାଇଁ ବାପା ପ୍ରକାଶ ବିଭିନ୍ନ ଆଡ଼ୁ ଧାରକରଜ କରିବା ସହ ମା’ ବି ସମସ୍ତ ଗହଣାଗାଣ୍ଠି ବିକିଦେଲେ। ସୁଚିତ୍ରାର ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ସାରିଦେଲେ। ତଥାପି ସୁଚିତ୍ରାର ଅବସ୍ଥାରେ ସୁଧାର ଆସି ନଥିଲା। ପୁଣି ଧାରକରଜ କରି ତାକୁ ଏମ୍ସ୍‌ରେ ଭର୍ତ୍ତି କରି ପ୍ରାୟ ଏକ ବର୍ଷ କାଳ ଚିକିତ୍ସା କରାଇଥିଲେ।

ବର୍ତ୍ତମାନ ଉନ୍ନତମାନର ଚିକିତ୍ସା ପାଇଁ ପ୍ରକାଶ ଓ ସନ୍ତୋଷିନୀଙ୍କ ପାଖରେ ସମ୍ବଳ ନାହିଁ। ଆଉ ସୁଚିତ୍ରା ପ୍ରତିଦିନ ଜୀବନମରଣ ସହ ଲଢ଼ୁଛି। ବିଛଣାରେ ସେମିତି ପଡ଼ି ରହିବା ସହ ମା’ ସନ୍ତୋଷିନୀ ତା’ର ଦେଖାଣୁଣା କରୁଛନ୍ତି। ସେ ଆଉ ଚାଲିପାରୁନି କି, ଆଖିକୁ ଭଲ ଭାବେ ଦିଶୁନି। ଝିଅର ଏଭଳି କଷ୍ଟକୁ ଦେଖି ବାପାମା’ ଆଖିରୁ ଲୁହ ଗଡ଼ାଇବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ। ତେବେ ସରକାରୀସ୍ତରରୁ ଆର୍ଥିକ ସହାୟତା ମିଳିଲେ ଝିଅ ନିଶ୍ଚିତ ଭାବେ ଭଲ ହୋଇଯିବ ଓ ପୁଣି ତାଙ୍କ ପରିବାରରେ ସୁଖର ଦିନ ଫେରି ଆସିବ ବୋଲି ପ୍ରକାଶ ଓ ସନ୍ତୋଷିନୀ କହିଛନ୍ତି। ଏଦିଗରେ ପ୍ରଶାସନ ଓ ସରକାର ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର