ଏସୟୁସିଆଇ ରାଜ୍ୟ ସମ୍ପାଦକ ଧୁର୍ଜ୍ଜଟୀ ଦାସଙ୍କ ପରଲୋକ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର  

ଭୁବନେଶ୍ବର: ଏସୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ ଧୁର୍ଜ୍ଜଟୀ ଦାସ(୬୬)ଙ୍କ ଅପରାହ୍ନ ୨.୪୫ରେ ଲିଭର କ୍ୟାନସରରେ ପରଲୋକ ହୋଇ ଯାଇଛି। ମେ ୩୧ ତାରିଖରେ ଅଣ୍ଟା କଷ୍ଟ ଆରମ୍ଭ ହୋଇ ଅସୁସ୍ଥ ହୋଇ ପଡ଼ିଲେ, ଅବସ୍ଥା ଗୁରୁତର ହେବାରୁ କୋଲକାତା ସ୍ଥିତ ହାର୍ଟ କ୍ଲିନିକରେ ଚିକିତ୍ସାଧୀନ ଥିଲେ। ସେଠାରେ ତାଙ୍କ ପରଲୋକ ହୋଇଛି। ଆସନ୍ତାକାଲି ସକାଳ ୯ଟାରେ ତାଙ୍କ ପାର୍ଥିବ ଶରୀର ଭୁବନେଶ୍ବର ସ୍ଥିତ ଏସୟୁସିଆଇ ଦଳୀୟ କାର୍ଯ୍ୟାଳୟକୁ ଅଣାଯିବ। ଏହାପରେ ଅନ୍ତିମ ସଂସ୍କାର କରାଯିବ। ସ୍ବର୍ଗତ ଦାସ ୫୦ ବର୍ଷରୁ ଉର୍ଧ୍ବ ସମୟ ଧରି ଛାତ୍ର, ଶ୍ରମିକ, କୃଷକ ଆନ୍ଦୋଳନ ସହିତ ଜଡ଼ିତ ଥିଲେହେଁ ନିଜ କିମ୍ବା ପରିବାର ନାମରେ ବ୍ୟକ୍ତିଗତ ସମ୍ପତ୍ତି ନରଖି ଉଦାହରଣ ସୃଷ୍ଟି କରିଛନ୍ତି। ସେ ନିଜ ଅନ୍ତେ ପତ୍ନୀ ପ୍ରମିଳା ପଣ୍ଡା ଏବଂ ଆଇନ ଛାତ୍ର ପୁଅ ଅଂଶୁମାନଙ୍କୁ ଛାଡ଼ିଯାଇଛନ୍ତି।

ଓଡ଼ିଶା ବାମପନ୍ଥୀ ଆନ୍ଦୋଳନର ଜଣାଶୁଣା ଚେହେରା ଧୁର୍ଜ୍ଜଟି ଦାସ। ରାଉରକେଲାରେ ସ୍କୁଲରେ ପାଠ ପଢିବା ଦିନ ଠାରୁ ୧୯୬୭ ମସିହାରେ ଜନନେତା ତାପସ ଦତ୍ତ, ଶିବଦାସ ଘୋଷଙ୍କ ସଂସ୍ପର୍ଶରେ ଆସି ବାମପନ୍ଥୀ ଛାତ୍ର ସଙ୍ଗଠନ ଏଆଇଡିଏସଓରେ ସାମିଲ ହୋଇଥିଲେ। ୧୯୬୯ ମସିହାରେ ତାଳଚେର-ବିମଳାଗଡ଼ ରେଳଲାଇନ ଦାବି, ୧୯୭୦ ମସିହାରେ ଓଡ଼ିଶାରେ ଦ୍ବିତୀୟ ଷ୍ଟିଲ ପ୍ଲାଣ୍ଟ ଦାବି ନେଇ ହୋଇଥିବା ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଥିଲେ।

ଏସୟୁସିଆଇ ନେତ୍ରୀ ଛବି ମହାନ୍ତି କହନ୍ତି, ସମ୍ବଲପୁର ସ୍ଥିତ ଜିଏମ କଲେଜରେ ପଢିବା ବେଳକୁ ଇନ୍ଦିରା ଗାନ୍ଧୀ ସରକାର ଜରୁରୀକାଳୀନ ସ୍ଥିତି ଜାରି କରିଥିଲେ। ଏହାକୁ ବିରୋଧ କରି ସ୍ବର୍ଗତ ଦାସ ୨୦ ମାସ ଧରି ସମ୍ବଲପୁର ଜେଲରେ ରହିଥିଲେ। ଏହି ସମୟରେ ପୁଲିସ ମାଡ଼ ଯୋଗୁଁ ତାଙ୍କ ଅଣ୍ଟା ଗଭୀର ପ୍ରଭାବିତ ହୋଇଥିଲା। ଜୀବନ ତମାମ ଅଣ୍ଟା କଷ୍ଟ ଲାଗି ରହିଥିଲା। ଶେଷରେ ଏଥିରୁହିଁ ତାଙ୍କ ଜୀବନ ଗଲା। ୧୯୮୦ ମସିହା ସମ୍ବଲପୁର ଛାତ୍ର ଆନ୍ଦୋଳନ, ୧୯୮୪ ମସିହା ବୁର୍ଲା ଇଂଜିନୟରିଂ କଲେଜ ଛାତ୍ରଙ୍କ ମୃତ୍ୟୁ ନେଇ ହୋଇଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ପ୍ରାୟ ୧୦ ବର୍ଷରୁ ଉର୍ଧ୍ବ ସମୟ ଧରି ସମ୍ବଲପୁରକୁ ନିଜ କର୍ମକ୍ଷେତ୍ର ଭାବରେ ବାଛିଥିଲେ।

ଏଆଇଡିଏସଓର ରାଜ୍ୟ ସଭାପତି, ସମ୍ପାଦକ ଦାୟିତ୍ବ ତୁଲାଇ ଥିଲେ। ସମୟକ୍ରମରେ ଏସୟୁସିଆଇରେ ସାମିଲ ହୋଇ ରାଜ୍ୟ ସମ୍ପାଦକ, କେନ୍ଦ୍ରୀୟ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି। ଏହି ସମୟରେ ହୀରାକୁଦ ନଦୀବନ୍ଧ ବିସ୍ଥାପିତ, ଏନଟିପିସି, ନାଲକୋ ଶ୍ରମିକ ସମସ୍ୟା, ସାହାରା ପାଓ୍ବାର ପ୍ଲାଣ୍ଟ ବିରୋଧୀ ସମେତ ସବୁ ପ୍ରକାର ବାମପନ୍ଥୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ ଜଣେ ସୁସାହିତ୍ୟିକ ଥିଲେ। ବିଭିନ୍ନ ପ୍ରକାର ଗଳ୍ପ, ପ୍ରବନ୍ଧ ଏବଂ କବିତା ଲେଖିଛନ୍ତି। ତାଙ୍କ ବିୟୋଗରେ ଏସୟୁସିଆଇ ନେତା ପ୍ରଭାଷ ଘୋଷ, ଶଙ୍କର ଦାସଗୁପ୍ତ, ଛବି ମହାନ୍ତି, ଶଙ୍କର ଦାସ, ଗୋବିନ୍ଦ ମହାରଣା, ଦୁର୍ଯ୍ୟୋଧନ ମହାନ୍ତି, ଶିବାଶିଷ ପ୍ରହରାଜ ଏବଂ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଜେପି ନେତା ବେଣୁଧର ଦାସ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର