ଖରସ୍ରୋତା ଜଳ ପ୍ରକଳ୍ପ ବିରୋଧରେ ଏସ୍‌ୟୁସିଆଇର ବିକ୍ଷୋଭ

ଖୋର୍ଦ୍ଧା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଭାରିଗଦା ଠାରେ ଖରସ୍ରୋତା ନଦୀରୁ ଜଳ ଉତ୍ତୋଳନ କରାଯିବା ନେଇ ଏକ ବୃହତ୍ତ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି। ତେବେ ପୁଲିସ ଶାନ୍ତିିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ଆକ୍ରମଣ କରିଛି। ଉଭୟ ପ୍ରକଳ୍ପ ଓ ପୁଲିସର ଆକ୍ରମଣ ବିରୋଧରେ ଆଜି ଏସ୍‌ୟୁୁସିଆଇ-କମ୍ୟୁନିଷ୍ଟ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।

ଆଜି ପୂର୍ବାହ୍‌ଣରେ ଏସ୍‌ୟୁୁସିଆଇର ଅଶୋକ ସାହୁଙ୍କ ନେତୃତ୍ୱରେ କର୍ମୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ କରିଥିଲେ। ଏହାପରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୩ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିରେ ପୁଲିସ ବାହିନୀ ଓ ୧୪୪ ଧାରା ପ୍ରତ୍ୟାହାର କରିବା, ବିକ୍ଷୋଭକାରୀଙ୍କ ଉପରେ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା ସହ ଆକ୍ରମଣ କରିଥିବା ପୁଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ରହିଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ମହାନ୍ତି, ଶ୍ରୀକାନ୍ତ ନାୟକ, ଅବିନାଶ ପ୍ରଧାନ, ସଂଘମିତ୍ର ମହାପାତ୍ର ପ୍ରମୁଖଙ୍କ ସହ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର