ବେତନଟୀ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ହାତୀକୋଟ ପଞ୍ଚାୟତର ଖସାଡିହା ଗାଁରେ ପଳାସ ଗଛରେ ଦଉଡ଼ି ଦେଇ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ମୋନାଲିସା ମହାନ୍ତ ଲକଡାଉନ୍ ଲାଗି ନିଜ ଘରେ ରହୁଥିଲେ। ଖସାଡିହା ଗାଁର ଦୀନବନ୍ଧୁ ମହାନ୍ତ ତାଙ୍କ ଝିଅ ମୋନାଲିସାଙ୍କୁ ଏକ ସୁନା ଲକେଟ୍ ଦେଇଥିଲେ। ସକାଳେ ଝିଅ ତାକୁ ପିନ୍ଧି ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା। ପୋଖରୀରୁ ଗାଧୋଇ ଫେରିବା ପରେ ତାଙ୍କ ମା’ ଝିଅର ବେକରେ ସୁନା ଲକେଟ୍ ନ ଦେଖି ଗାଳିଗୁଲଜ କରିଥିଲେ। ବାପାଙ୍କୁ ଆସିଲେ ଏକଥା କହିବେ ବୋଲି ବି ଧମକ ଦେଇଥିଲେ।

Advertisment

ଏଥିରେ ଭୟଭୀତ ହୋଇ ମୋନାଲିସା ଘର ପାଖରେ ଥିବା ପଳାସ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏସଂପର୍କରେ ଖବର ପାଇ ଘଟଣାସ୍ଥଳରେ ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ପହଞ୍ଚି ଶବକୁ ଜବତ କରି ବାରିପଦାରେ ଥିବା ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ବ୍ୟବଚ୍ଛେଦ ଲାଗି ପଠାଇଥିବା ଜଣାଯାଇଛି।