ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ବାଥରୁମରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଲେ

ବ୍ୟାସନଗର: ଯାଜପୁର ଜିଲ୍ଲାର ବ୍ୟାସନଗର ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବ୍ୟାସନଗରର ନୂଆ ମାର୍କେଟ୍ ସାହିର ନିରଞ୍ଜନ ଦାଶଙ୍କ ଦ୍ବିତୀୟ ଝିଅ ପୂଜାରାଣୀ ଦାଶ ଆଜି ସକାଳେ ବାଥରୁମରେ ପଶି ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଉଦ୍ୟମ କରିଥିଲେ। ତାଙ୍କର ଚିତ୍କାର ଶୁଣି ଘରଲୋକେ ପୂଜାରାଣୀଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ପୂଜାରାଣୀଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା। ତା’ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ପୂଜାରାଣୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ପୂଜାରାଣୀ ବାହାଘରର ମାତ୍ର ମାସକ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇ ବାପଘରେ ରହୁଥିଲେ। ତାଙ୍କର ବିବାହ ବିଚ୍ଛେଦ ବି ହୋଇଥିଲା। ବାହାଘର ପରେ ଶାଶୁଘର ଲୋକେ ପୂଜାରାଣୀ ଆଣିଥିବା ସାମଗ୍ରୀ ଫେରାଇ ଦେଇଥିଲେ। କୋରେଇ ବ୍ଲକ୍ ଅନ୍ତର୍ଗତ କନ୍ତର ଗାଁରେ ତାଙ୍କର ବାହାଘର ହୋଇଥିଲା। ଏହାପରେ ସେ ବାପଘରେ ରହୁଥିଲେ। ବାପା ନିରଞ୍ଜନ ଦାଶଙ୍କ ୫ ଝିଅଙ୍କ ଭିତରୁ ୩ଝିଅ ଏବେ ବି ଅବିବାହିତା ଥିବା ବେଳେ ବଡ଼ ଝିଅ ବି ସ୍ବାମୀ ପରିତ୍ୟକ୍ତା ହୋଇ ବାପଘରେ ରହୁଛନ୍ତି। ଏହି ଘଟଣା ଏବେ ବ୍ୟାସନଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର