ନାବାଳିକା ପ୍ରେମିକା, ପ୍ରେମିକ ଓ ତାର ସାଙ୍ଗଙ୍କର ଆତ୍ମହତ୍ୟା ନା ହତ୍ୟା! ପୁଲିସର ତଦନ୍ତ ଆରମ୍ଭ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲାରେ ତିନିଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ତିନିଜଣଙ୍କ ଭିତରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।
ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗ୍ରାମର ଡିମିରିକୁଦା ପାହାଡ଼ ପାଖ ଜଙ୍ଗଲ ଅଞ୍ଚଳରେ ଗୋଟିଏ ଗଛରେ ୩ଟି ମୃତଦେହ ଝୁଲୁଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଯାବତ୍ ସେମାନଙ୍କ ପରିଚୟ ମିଳିପାରିନାହିଁ। ସେମାନେ ଆତ୍ମହତ୍ୟା କରିଛନ୍ତି କିମ୍ବା କେହି ହତ୍ୟା କରି ସେମାନଙ୍କୁ ଟାଙ୍ଗି ଦେଇଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ବାଲିପଟା ଗ୍ରାମର ଗାଈ ଚରାଳି ଡିମିରିକୁଦା ଜଂଗଲର ଏକ ଗଛରେ ୩ଟି ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ରାତି ୯ଟା ବେଳେ ସ୍ଥାନୀୟ ଲୋକ ପହଞ୍ଚି ସମାନ ଦୃଶ୍ୟ ଦେଖିଥିଲେ।
ଏହି ତିନିଜଣଙ୍କ ଭିତରେ ପୋଲସାବଣିଆ ଗ୍ରାମର ଏକ ପ୍ରେମୀଯୁଗଳ ଥିବା ଜଣାଯାଇଛି। ଉକ୍ତ ନାବାଳିକା ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ତାଙ୍କର ପ୍ରେମିକ କୁହାଯାଉଥିବା ଯୁବକ ଆଦିବାସୀ ସଂପ୍ରଦାୟର ହୋଇଥିବା ହେତୁ ଏନେଇ ନାବାଳିକାଙ୍କ ବାପା ଝିଅ ଉପରେ ବିରକ୍ତ ହେଉଥିଲେ। ଗତକାଲି ନାବାଳିକାଙ୍କର ବାପା ଝିଅର ଶୁଦ୍ଧିକ୍ରିୟା କରିସାରିଛନ୍ତି।
ଖାଲି ସେତିକି ନୁହେଁ ଏହି ପ୍ରେମୀ ଯୁଗଳ ପ୍ରାୟ ୪ ବର୍ଷ ତଳେ ଘରୁ ଫେରାର୍ ହୋଇଯାଇଥିଲେ। ସେତେବେଳେ ଏହି ମାମଲାର ସମାଧାନ ଥାନାରେ ହୋଇଥିଲା। ଏଣେ ପ୍ରେମିକର ସାଙ୍ଗର ମୃତ ଦେହ ବି ମିଳିଥିବା ହେତୁ ଏହା ଏକ ପ୍ରେମ ତ୍ରିକୋଣ ବୋଲି ବି ସନ୍ଦେହ ଉପୁଜିଛି। ସବୁଠାରୁ ବଡ଼ କଥା ହେଲା ଯେ ଏମାନେ ଆତ୍ମହତ୍ୟା କରିଛନ୍ତି ନା କେହି ଏମାନଙ୍କୁ ହତ୍ୟା କରିଛି, ତାହା ତଦନ୍ତ ସାପେକ୍ଷ ବୋଲି କୁହାଯାଉଛି। ପୁଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର