ରାଉରକେଲା: ସୁନ୍ଦରଗଡ଼ ପରେ ସ୍ମାର୍ଟ ସିଟି ରାଉରକେଲାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। କୋଏଲନଗରଠାରେ କୋଚିଂ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ,ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି। ‘ସୁଦକ୍ଷ’ କେନ୍ଦ୍ରରେ ପ୍ରାର୍ଥୀମାନଙ୍କର କୋଚିଂ ଆରମ୍ଭ ହୋଇଛି। ଖୁବଶୀଘ୍ର ବଣାଇଁଠାରେ ମଧ୍ୟ ଏକ କୋଚିଂ କେନ୍ଦ୍ର ଖୋଲିବାକୁ ଯାଉଛି। ପ୍ରତି କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ତିନିମାସିଆ କୋଚିଂ ଦେବାର ବ୍ୟବସ୍ଥା କରାଯାଇଛି।

Advertisment

‘‘ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ସୁଦକ୍ଷ’ କାର୍ଯ୍ୟକ୍ରମ ଏକ ଭଲ ପଦକ୍ଷେପ। ପ୍ରାର୍ଥୀମାନେ ମାଗଣାରେ କୋଚିଂ ନେଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ’’, କହିଛନ୍ତି ଆର୍‌ଏମ୍‌ସି କମିଶନର ଶ୍ରୀ ପରିଡା। ଡିଏମଏଫ୍‌ (ଜିଲ୍ଲା ଖଣିଜ ପାଣ୍ଠି) ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ଓମ୍ବାଡସିର ଜୀବିକା ବିଶେଷଜ୍ଞ ଅର୍ପଣ ଦାସ, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇତିଶ୍ରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ‘‘+୩ ପାଠ ପଢ଼ା ଶେଷ ହେବା ପରେ ମୁଁ ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ଦେବାକୁ ଚାହୁଁଥିଲି। ହେଲେ ଟଙ୍କା ଅଭାବରୁ କୌଣସି କୋଚିଂ ସେଣ୍ଟରରେ ନାମ ଲେଖାଇ ପାରୁନଥିଲି।

publive-image

‘ସୁଦକ୍ଷ’ କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ କୋଚିଂ ଦିଆଯାଉଥିବା ଜାଣିବାକୁ ପାଇ ମୁଁ ଏଥିରେ ନାମ ଲେଖାଇଛି’’, କହିଛନ୍ତି ରାଉରକେଲା କେନ୍ଦ୍ରର ଛାତ୍ର ପ୍ରବୀଣ କୁମାର ସାହୁ। ସୁନ୍ଦରଗଡ଼ ଜିଲ୍ଲାର +୨ ବା +୩ ପାସ୍ କରିଥିବା ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ହେଉଛି ‘ସୁଦକ୍ଷ’ର ମୂଳ ଲକ୍ଷ୍ୟ। ସୁଦକ୍ଷ କାର୍ଯ୍ୟକ୍ରମ ଜରିଆରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ କୋଚିଂ ଦିଆଯାଉଛି। ପ୍ରାର୍ଥୀମାନଙ୍କୁ ମାଗଣାରେ ହଷ୍ଟେଲରେ ରହିବା ସହ ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି। କୋଚିଂ କେନ୍ଦ୍ରରେ ଗଣିତ, ସାଧାରଣ ଜ୍ଞାନ, ରିଜନିଂ, କମ୍ପ୍ୟୁଟର, ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ ଲାଗି କୋଚିଂ ଦିଆଯାଉଛି। ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କର ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯିବ। ଏହା ସହ ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯିବ।