ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ପୁରୀ ସମୁଦ୍ରକୂଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ସୁନ୍ଦର ବାଲୁକା ଶିଳ୍ପ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକା ଶିଳ୍ପ କରିବା ପରେ ସୁଦର୍ଶନ ତାହାକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ‘ଜୟ ଜଗନ୍ନାଥ। ରଥଯାତ୍ରାର ପବିତ୍ର ତିଥିରେ, ପୁରୀ ସମୁଦ୍ରକୂଳରେ ମୋ ବାଲୁକା ଶିଳ୍ପ।’
ସେ ଜଗନ୍ନାଥଙ୍କର ଏକ ବିରାଟ ମୁହଁ କରିଥିବା ବେଳେ ଚାରିପଟରେ ୧୨୫ଟି ଛୋଟ ଛୋଟ ରଥ କରିଛନ୍ତି। ସେ କରିଥିବା ବାଲୁକା ଶିଳ୍ପକୁ ଭିଡିଓ କରି ଟ୍ବିଟ୍ରରେ ସେୟାର କରିଛନ୍ତି ସୁଦର୍ଶନ।
ଆପଣ ଜାଣିଥିବେ ଯେ ୨ ବର୍ଷ ଧରି କରୋନା କଟକଣା ପାଇଁ ବାଧା ଉପୁଜିବା ପରେ ଏଥର ୧୪୫ତମ ରଥଯାତ୍ରା ଅନୁଷ୍ଠିତ ହୋଇଛି। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଏହି ରଥଯାତ୍ରାରେ ଉପସ୍ଥିିତ ରହି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି।
Jai Jagannath…🙏
On the auspicious occasion of the Rath Yatra . My SandArt at Puri beach #125SandRatha .
#RathaYatra2022 . pic.twitter.com/qrUCqoOfbA— Sudarsan Pattnaik (@sudarsansand) July 1, 2022
ଉଲ୍ଲେଖଯୋଗ୍ୟ, ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୩ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ଘୋଷଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଧାଡି ପହଣ୍ଡିରେ ଆଜି ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ ହୋଇଥିଲେ। ଏହାପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ। ସେ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ। ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା।
ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ସକାଳୁ ସକାଳୁ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ବେଶ ଶେଷ, ଖେଚୁଡ଼ି ଭୋଗ ନୀତି ଶେଷ ହୋଇଥିଲା। ପରେ ରଥ ପ୍ରତିଷ୍ଠା ହୋଇ ମଙ୍ଗଳାର୍ପଣ, ପହଣ୍ଡି ସଂପନ୍ନ ହୋଇଥିଲା। ରଥକୁ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିଥିଲେ। ଏଥିସହ ଚିତା ଲାଗି ନୀତି ଓ ବେଶ ଶେଷପରେ ଛେରା ପହଁରା ସରିଥିଲା।