ଭୁବନେଶ୍ୱର: ସମାଜର ବିକାଶ ଓ ପରିବର୍ତ୍ତନ ପାଇଁ ବ୍ୟବସ୍ଥାକୁ ବାରମ୍ବାର ପ୍ରଶ୍ନ ପଚାରିବା ଏକାନ୍ତ ଆବଶ୍ୟକ। ଅନ୍ୟପକ୍ଷରେ ସାମାଜିକ ଚେତନାର ବୃଦ୍ଧି ହେଲେ ହିଁ ପ୍ରଶ୍ନ ପଚାରିବାର ଦକ୍ଷତା ବଢ଼ିଥାଏ। ତେଣୁ ଗଣ ଭିତରେ ଚେତନାର ଉଦ୍ରେକ ହେବା ନିହାତି ଆବଶ୍ୟକ। ‘ପକ୍ଷୀଘର’ ପ୍ରକାଶନୀ ପକ୍ଷରୁ ଆଜି ବୁଦ୍ଧ ମନ୍ଦିର ପରିସରରେ ସୁଦର୍ଶନ ଦାସଙ୍କ ରଚିତ ପୁସ୍ତକ ‘ଗଣଚେତନା’ର ଲୋକାର୍ପଣ ଉତ୍ସବର ଅତିଥିମାନେ ଏଭଳି ମତ ଦେଇଛନ୍ତି। 

Advertisment

କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ କହିଲେ ଯେ ବର୍ତ୍ତମାନ ଗଣତନ୍ତ୍ରରେ ‘ଗଣ’ ଗୌଣ ହୋଇଯାଇଛି। ଗଣତନ୍ତ୍ର ବର୍ତ୍ତମାନ ଦଳତନ୍ତ୍ର ତଥା ଗୋଷ୍ଠୀତନ୍ତ୍ରରେ ପରିଣତ ହୋଇଗଲାଣି। ତେଣୁ କେହି ପ୍ରଶ୍ନ ପଚାରୁନାହାନ୍ତି। ନିରବତା ହିଁ ବର୍ତ୍ତମାନ ନିରାପତ୍ତା ସାଜିଛି। ଏହି ଧାରାକୁ ରୋକିବାକୁ ହେଲେ ବ୍ୟକ୍ତି ଚେତନା ବୃଦ୍ଧି ଲୋଡ଼ା ବୋଲି ସେ କହିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ସଭାରେ ସଭାପତିତ୍ୱ କରିଥିଲେ।  ଭାଷାର ସୁରକ୍ଷା ଓ ଗଣତନ୍ତ୍ରର ବିକାଶରେ ଗଦ୍ୟ ସାହିତ୍ୟ ଏକ ପ୍ରମୁଖ ଭୂମିକା ନେଇଥାଏ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଗଦ୍ୟ ସୁଖ ପାଠ୍ୟ ଓ ପ୍ରଭାବୀ ହେଲେ, ଗଣତନ୍ତ୍ରକୁ ପ୍ରଭାବିତ କରେ। ଏହି ପୁସ୍ତକଟି ଏକ ସୁଖ ପାଠ୍ୟ ଗଦ୍ୟ ସାହିତ୍ୟ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ସ୍ତମ୍ଭକାର ଦାଶ ବେନହୁର କହିଥିଲେ ଯେ ଯେଉଁମାନେ ପ୍ରଶ୍ନ ପଚାରନ୍ତି, ସେମାନେ ସମାଜରେ ପ୍ଲାବନ ସୃଷ୍ଟି କରନ୍ତି। ଜନସାଧାରଣ ବ୍ୟବସ୍ଥା ସହ ସଂଲଗ୍ନ ନ ହେଲେ, ବ୍ୟବସ୍ଥା ସୁଧୁରିବ ନାହିଁ।

ଏହି ପୁସ୍ତକ ଜନସାଧାରଣଙ୍କ ମନରେ ପ୍ରଶ୍ନ ପଚାରିବାର ନବଚେତନା ସୃଷ୍ଟି କରିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ସିଵାଇଏସ୍‌ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ କହିଲେ ଯେ ସଚେତନତା, ଦାୟିତ୍ୱବୋଧ ଓ ସମାଧାନର ବାଟ ଏହି ପୁସ୍ତକରେ ରହିଛି। ଏହା ନାଗରିକଙ୍କୁ ସକ୍ରିୟ ହେବାରେ ସହାୟକ ହେବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଥିଲେ ଯେ ଜନସାଧାରଣ ରାଜ୍ୟର ସମ୍ପଦ, ଯୋଜନା, କର୍ତ୍ତବ୍ୟ ବିଷୟରେ ସଚେତନ ନହେଲେ, ରାଜ୍ୟ ବିକଶିତ ହୋଇପାରିବ ନାହିଁ। ଲେଖକ ଶ୍ରୀଯୁକ୍ତ ଦାସ ନିଜ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରି ସମାଜରେ ଘଟୁଥିବା ବିଭିନ୍ନ ଅଘଟଣ ଓ ପ୍ରାକୃତିକ ସମ୍ପଦର କ୍ଷୟ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବନୋଜ ତ୍ରିପାଠୀ ସ୍ୱାଗତ ଭାଷଣ ଓ ରଶ୍ମି ମହାନ୍ତି ଧନ୍ୟବାଦ ଦେଇଥିଲେ।