ପୁରୀ : ନିଳାଦ୍ରୀ ବିଜେ ପହଣ୍ଡି ବେଳେ ସୁଦର୍ଶନ ମହାପ୍ରଭୁଙ୍କୁ ଅପମାନ କରାଯାଇଥିଲା। ଦଇତା ସେବକମାନେ ମହାପ୍ରଭୁଙ୍କୁ ଭିଡି ନେଇଥିଲେ। ଏମିତିକି ବାଡଗ୍ରାହୀ ନଥାଇ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇଥିଲା। ଠାକୁରଙ୍କୁ ଯେଉଁଭଳି ଢଙ୍ଗରେ ଭିଡାଓଟରା କରାଗଲା ତାହା ଖାଲି ଅସମ୍ମାନସୂଚକ ନଥିଲା, ଭକ୍ତଙ୍କ ଧର୍ମୀୟ ଭାବନା ପ୍ରତି କୁଠାରଘାତ ଥିଲା ବୋଲି ଆଜି ସୁଦର୍ଶନଙ୍କ ବାଡଗ୍ରାହୀ ନବକିଶୋର ପତି ମହାପାତ୍ର ଅଭିଯୋଗ କରିଛନ୍ତି।

Advertisment

ନବକିଶୋର ପତି ମହାପାତ୍ରଙ୍କ କହିବାନୁସାରେ, ଗତକାଲି ମହାପ୍ରଭୁଙ୍କ ପହଣ୍ଡି ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଥିଲା। ନିୟମ ମୁତାବକ, ୪ ବାଡଗ୍ରାହୀ ଉପସ୍ଥିତ ହେବା ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବା କଥା। ମାତ୍ର ସେ ଅନୁପସ୍ଥିତ ଥିବା ବେଳେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ କରି ଦିଆଯାଇଥିଲା। ଅତି ଦୟନୀୟ ଭାବେ ମହାପ୍ରଭୁଙ୍କ ଭିଡି ନିଆଯାଇଥିଲା। ଦଇତା ସେବକମାନେ ଠାକୁରଙ୍କୁ ପହଣ୍ଡିରେ ନେଉଥିବା ବେଳେ ଚାରମାଳ ତଳେ ଠେଲାପେଲା ହୋଇଥିଲେ। ଏହି ସମୟରେ ତାଙ୍କ ପୁଅ ଖସି ପଡି ଆହତ ହୋଇଥିଲେ। ବାଡଗ୍ରାହୀଙ୍କ ପୁଅ ରାଜେଶ ପତି ମହାପାତ୍ର ଏଭଳି ଢଙ୍ଗରେ ପହଣ୍ଡି ନ କରିବାକୁ ବାରଣ କରିଥିଲେ ବି ତାଙ୍କ କଥାକୁ ଦଇତା ସେବକ ମାନିନଥିଲେ। ବାଡଗ୍ରାହୀ ନ ଥାଇ ଠାକୁରଙ୍କୁ ନେଇଯିବା ଏକ ଚରମ ବିଶୃଙ୍ଖଳା ହୋଇଥିବାରୁ ସେ ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇଥିଲେ। ଶ୍ରୀ ପତି ମହାପାତ୍ର ରଥ ନିକଟରେ ଥିବା ମୁଖ୍ୟ ପ୍ରଶାସକଙ୍କୁ ଘଟଣା ସଂପର୍କରେ ମୌଖିକ ଭାବେ ଜଣାଇଥିବା ବେଳେ ସେ ମଧ୍ୟ ବୁଝିବେ ବୋଲି କହିଥିଲେ। ତେବେ ଏଥି ପାଇଁ ଶ୍ରୀ ପତି ମହାପାତ୍ର ଦଇତାମାନଙ୍କ ଉପରେ ସବୁ ଦୋଷ ଅଜାଡ଼ିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ଲିଖିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ ବୋଲି କହିଛନ୍ତି। ଏ ସଂପର୍କରେ ଦଇତା ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ସେଭଳି କିଛି ବିଶୃଙ୍ଖଳା ହୋଇଥିବା ତାଙ୍କ ନଜରକୁ ଆସିନାହିଁ। ଯଦି ଏଭଳି କିଛି ହୋଇଥିବା ତେବେ ଆପୋଷ ଆଲୋଚନା ଭିତ୍ତିରେ ଏହାକୁ ଦୂର କରାଯିବ।