ରରୁଆଁ: ହଠାତ୍‌ ନଈରେ ମାଡ଼ି ଆସିଲା ପାଣି। ଏହି ସମୟରେ ନଦୀ ପାର ହେଉଥିବା ଜଣେ ବୃଦ୍ଧା ସ୍ରୋତରେ ଭାସିଗଲେ। ସୌଭାଗ୍ୟକୁ ଏକ ଟାପୁରେ ଅଟକି ରହିଥିଲେ। ତିନିଦିନ ଧରି ‌ବର୍ଷାରେ ଭିଜି ଭୋକ ଉପାସରେ ସେଠାରେ ରହିଥିଲେ। ଶେଷରେ, ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି। ମୟୂରଭଞ୍ଜଜିଲ୍ଲା ରରୁଆଁ ବ୍ଲକ୍‌ ଅଙ୍ଗାରପଦା ପଞ୍ଚାୟତ ଅନ୍ତର୍ଗତ କଲନ୍ଦା ଗ୍ରାମ ନିକଟ ଖଇରିଭଣ୍ଡନ ଓ ବୈତରଣୀ ନଦୀ ସଂଗମସ୍ଥଳ ନିକଟରେ ଘଟିଛି ଏହି ଘଟଣା। ଉଦ୍ଧାର ବୃଦ୍ଧା ଜଣକ ହେଉଛନ୍ତି ମୁଙ୍ଗୀ ପିଙ୍ଗୁଆ (୮୦)। ତାଙ୍କ ଘର ଝାଡ଼ଖଣ୍ଡର କୁମୁରୁଡୁଙ୍ଗୀ ଥାନା ଅଧୀନ ଚାମ୍ପିଲା ଗ୍ରାମରେ। ବୃଦ୍ଧାଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବାରୁ ସେ ଏଠାକୁ ଚାଲିଆସିଥିଲେ। ରରୁଆଁ ତଥା ଏହାର ଆଖପାଖ ଅଞ୍ଚଳରେ ଏଣେତେଣେ ବୁଲାବୁଲି କରୁଥିଲେ। ଗତ ୨୪ ତାରିଖରେ ଲଗାଣ ବର୍ଷା ବେଳେ ବୃଦ୍ଧା ଜଣକ ଖଇରୀଭଣ୍ଡନ ଓ ବୈତରଣୀର ସଂଗମସ୍ଥଳ ଦୋମୁହାଣି ନଦୀ ପାର ହେଉଥିଲେ।

Advertisment

ଏହି ସମୟରେ ହଠାତ୍‌ ଜଳସ୍ତର ବୃଦ୍ଧି ପାଇବାରୁ ସେ ନଦୀ ମଝିରେ ଥିବା ଏକ ଟାପୁରେ ଅଟକି ରହିଥିଲେ। ଟାପୁ ନିକଟରେ ଜଣେ ମହିଳା ଅଟକି ରହିଥିବା ନେଇ ଗତକାଲି କଳନ୍ଦା ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ। ରରୁଆଁ ଅଗ୍ନିଶମ ଅଧିକାରୀ ନିରଂଜନ ପାଢ଼ୀଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ବୃଦ୍ଧାଙ୍କୁ ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରରୁଆଁ ସରପଞ୍ଚ ଝୁନାରାଣୀ ପିଙ୍ଗୁଆ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ବୃଦ୍ଧାଙ୍କ ସ୍ବାସ୍ଥ୍ୟ ସଂପର୍କରେ ବୁଝାସୁଝା କରିବା ସହ ତାଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରିଥିଲେ। ବୃଦ୍ଧାଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା। ତଥାପି ତାଙ୍କଠାରୁ ମିଳିଥିବା ସମ୍ୟକ ସୂଚନା ଆଧାରରେ ଝାଡ଼ଖଣ୍ଡ ପୁଲିସ ସହିତ ଯୋଗାଯୋଗ କରାଯାଇଥିଲା। ପରେ ଚାମ୍ପିଲା ଗାଁ ମୁଖିଆ ମଣ୍ଡା ମାଣିକଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲା। ଗତକାଲି ରାତିରେ ମୁଙ୍ଗୀ ପିଙ୍ଗୁଆଙ୍କ ପରିବାର ସମେତ କିଛି ଗ୍ରାମବାସୀ ପହଞ୍ଚି ତାଙ୍କୁ ନିଜ ଘରକୁ ନେଇଥିଲେ।