କଟକ/ପଟ୍ଟାମୁଣ୍ଡାଇ: ମାଟ୍ରିକ୍‌ରେ ରଖିଥିଲେ ୯୧% ନମ୍ବର। ଆଇଆଇଟି ପଢ଼ିବା‌ର ଲକ୍ଷ୍ୟନେଇ କରୁଥିଲେ ପ୍ରସ୍ତୁତି। କିନ୍ତୁ ହଠାତ୍‌ ସବୁ ସ୍ବପ୍ନ ଲିଭିଗଲା। କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ସବୁଦିନ ପାଇଁ ଆଖି ବୁଜିଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ନୟାକଟର ଚାଷୀ ରମେଶ ଦାସଙ୍କ ପୁଅ ଓମ୍‌ଶିବୁ। ହେଲେ ମୃତ୍ୟୁପରେ ଓମ୍‌ଶିବୁଙ୍କ ଅଙ୍ଗଦାନ ପ୍ରକ୍ରିୟାରେ ଦୁଇଜଣ ନୂଆ ଜୀବନ ପାଇଛନ୍ତି। ରମେଶ ଦାସଙ୍କ ପରିବାର କହିଲେ ପତ୍ନୀ ରଶ୍ମିରେଖା, ଗୋଟିଏ ଝିଅ ଓ ପୁଅ ଓମ୍‌ଶିବୁ। ଓମ୍‌ଶିବୁ ମାଟ୍ରିକ ପରେ କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜରେ ଯୁକ୍ତଦୁଇ(ବିଜ୍ଞାନ)ରେ ନାମ ଲେଖାଇଥିଲେ। ଆଇଆଇଟି ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ସହିତ ଏଥର ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ହଠାତ୍‌ ଯୁକ୍ତ ୨ପରୀକ୍ଷା ପୂର୍ବରୁ ତାଙ୍କର ଶରୀର ଅସୁସ୍ଥ ହୋଇଯାଇଥିଲ‌ା। କଟକ ବଡ଼ଡାକ୍ତରଖାନାରେ ଜଣାପଡ଼ିଲା ଯେ ତାଙ୍କର ବ୍ରେନ୍‌ ଟ୍ୟୁମର୍‌ ହୋଇଛି। ଜାନୁଆରି ୧୯ରେ ତାଙ୍କୁ ଏସ୍‌ସିବି ନ୍ୟୁରୋସର୍ଜରି ବିଭାଗରେ ଭର୍ତ୍ତି କରାଗଲା ଓ ସେଠାରେ ଅସ୍ତ୍ରୋପଚାର କରାଗଲା। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା। ତାଙ୍କର ମସ୍ତିଷ୍କ ମୃତ୍ୟୁ ସଂପର୍କରେ ଡାକ୍ତର ପରିବାରଲୋକଙ୍କୁ ଜଣାଇ ଥିଲେ। ଏସସିବିର ସ୍ବତନ୍ତ୍ର ଟିମ୍‌ ରିପୋର୍ଟ ଦେବାପରେ ଓମଶିବୁଙ୍କ ବାପା ରମେଶ ବିଶାଳ ହୃଦୟର ପରିଚୟ ଦେଇ ପୁଅର ଅଙ୍ଗଦାନ ପାଇଁ ସମ୍ମତି ଦେଇଥିଲେ।

Advertisment

୨ଜଣଙ୍କୁ ଦେଲେ ନୂଆ ଜୀବନ
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ
ମାଟ୍ରିକରେ ଥିଲା ୯୧% ନମ୍ବର

ଫଳରେ କଟକ ବଡ଼ଡାକ୍ତରଖାନାରେ ଅଙ୍ଗଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁରୀର ୨୧ ବର୍ଷୀୟା ସୁନୀତା ମହାପାତ୍ରଙ୍କ ଶରୀରରେ ଓମ୍‌ଶିବୁଙ୍କର ଗୋଟିଏ କିଡ୍‌ନି ପ୍ରତିରୋପଣ ହୋଇଥିବା ବେଳେ ଆଉ ଗୋଟିଏ କିଡ୍‌ନିକୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲ ନିଆଯାଇ ପ୍ରତିରୋପଣ କରାଯାଇଛି। ଅଙ୍ଗଦାନ ପରେ ମରଶରୀରକୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍‌ ଓ କର୍ମଚାରୀ ଗାର୍ଡ ଅଫ୍‌ ଅନର ଦେବା ସହିତ ଓମଶିବୁଙ୍କ ମରଶରୀରରେ ପୁଷ୍ପମ‌ାଲ୍ୟ ଅର୍ପଣ କରିଥିଲେ। ପଟ୍ଟାମୁଣ୍ଡାଇରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ଜିଲ୍ଲାପାଳ ମୟୁରୀ ସୂର୍ଯ୍ୟବଂଶୀ ଓମ୍‌ଙ୍କ ଘରକୁ ଯାଇ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଝିଅର ପାଠପଢା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ସହାୟତା ପାଣ୍ଠିରୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପୁଅକୁ ହରାଇ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ବାପା ରମେଶ ଚନ୍ଦ୍ର ଦାସ କହିଛନ୍ତି, ‘ ଅକାଳରେ ପୁଅର ଜୀବନ ସିନା ଚାଲିଯାଇଛି, ସେ କିନ୍ତୁ ଦୁଇଟି ଜୀବନ ବଞ୍ଚାଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଘୋଷଣା ପରେ ଅଙ୍ଗଦାନ କରିଥିବା ମୋ ପୁଅକୁ ଗାଁ ଶ୍ମଶାନରେ ତୋପସଲାମୀ ଦିଆଯାଇ ବିଦାୟ ଦିଆଯିବାର ଦୃଶ୍ୟକୁ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଭୁଲି ପାରିବି ନାହିଁ।’