ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ କମିସନର୍ ଭାବେ ନୂଆରେ ଯୋଗ ଦେଇଥିବା ଜେ.ସୋନାଲ୍ ଆଜି ଅଚାନକ ପହଞ୍ଚିଥିଲେ ନୂଆ ବସ୍ଷ୍ଟାଣ୍ଡ୍ ଆହାର କେନ୍ଦ୍ରରେ। ସେଠାରେ ୫ଟଙ୍କାରେ ଯୋଗା ଯାଉଥିବା ଭାତ, ଡାଲ୍ମାର ମାନ ଯାଞ୍ଚ୍ କରିବା ସହ ଆହାର କେନ୍ଦ୍ର ପରିସର ସଫାସୁତୁରା ରହିଛି ନା ନାହିଁ ତାହା ବୁଲି ଦେଖିଥିଲେ। କାଉଣ୍ଟର୍ରେ ନିଜେ ୫ଟଙ୍କା ଦେଇ ଟିକେଟ କାଟି ପ୍ଲେଟ୍ ଧରି ଯାଇ ଭାତ ଡାଲ୍ମା ଆଣି ଲୋକଙ୍କ ସହ ବସି ଭୋଜନ କରିଥିଲେ। ସେଠାରେ ଭୋଜନ କରୁଥିବା କିଛି ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ। କମିସନର୍ଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶ˚ସା କରାଯାଇଛି।
ଦାୟିତ୍ବ ଗ୍ରହଣ କରିବାର ସପ୍ତାହେ ହେବାକୁ ଯାଉଥିବା ବେଳେ କମିସନର୍ ଶ୍ରୀ ସୋନାଲ୍ ଏଥି ମଧୢରେ ସହରର ସ୍ଥିତି ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ସହରର ଭୌଗୋଳିକ ଅବସ୍ଥିତି ଓ ସମସ୍ୟା ଅନୁଧ୍ୟାନ କରିଛନ୍ତି। ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ଅଗ୍ରଗତି ନେଇ ଆଜି ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି ଅନୁଧ୍ୟାନ କରିବା ସହ କିପରି ଆଗାମୀ ଦିନରେ ବିକାଶ ଧାରା ଅବ୍ୟାହତ ରହିବ, ସେ ଉପରେ ଗୁରୁତ୍ବାରୋପ କରିଥିଲେ। ନିଗମର ସମସ୍ତ ଅଧିକାରୀଙ୍କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବା ବେଳେ ଆଜି ମଧ୍ୟାହ୍ନରେ ସହରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ତାଙ୍କ ସହ ନିଗମ ନିର୍ବାହୀଯନ୍ତ୍ରୀ ଇ˚.ବସନ୍ତ କୁମାର ପାଢ଼ୀ ଓ ସିଟି ପୋଗ୍ରାମର୍ ଅରୁଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/30-16.jpg)