ହଠାତ ଆସିଲା ବନ୍ୟାଜଳ, ବୁଡ଼ିଗଲା ଦୁଇ ବାଲିବୋଝେଇ ଟ୍ରାକ୍ଟର

ତେଲକୋଇ : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ତେଲକୋଇ ସମାକୋଇ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି।  ଏହି ବନ୍ୟାଜଳରେ ନଦୀର ତଳମୁଣ୍ଡ କରଦାଙ୍ଗି ଦୁଇମୁହାଣି ଠାରେ ଆଜି ସକାଳେ ବାଲି ବୋଝେଇ କରୁଥିବା ୨ଟି ଟ୍ରାକ୍ଟର  ବୁଡ଼ି ରହିଛି।  ଗତକାଲି ରାତିରେ ହରିଚନ୍ଦନପୁର ଓ ତେଲକୋଇ ବ୍ଲକ୍‌ ସମାକୋଇ ଅବବାହିକା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଶୁଷ୍କ ହୋଇ ପଡ଼ିଥିବା ନଦୀ ହଠାତ୍ ଫୁଲି ଉଠିଥିଲା। କେହି କିଛି ବୁଝିବା ପୂର୍ବରୁ ତଳମୁଣ୍ଡରେ ପ୍ରବଳ ପାଣି ପ୍ରବାହିତ ହୋଇଥିଲା।

ନଦୀ ପଠା ବନ୍ୟାଜଳରେ ଭରି ଯାଇଥିଲା।  ଭୋର ପ୍ରାୟ ସାଢେ ୪ଟା ବେଳେ ତେଲକୋଇସ୍ଥିତ ସମାକୋଇ ପୋଲ ନିକଟରେ ଦୁଇ କୂଳ ଲଙ୍ଗି ବନ୍ୟାଜଳ ପ୍ରବାହିତ ହୋଇଥିଲା। ସକାଳ ପ୍ରାୟ ସାଢେ଼ ୫ଟା ବେଳେ କରଦାଙ୍ଗିରେ ବନ୍ୟାଜଳ ପହଞ୍ଚି ଯାଇଥିଲା। ସେତେବେଳକୁ ନଦୀ ଗର୍ଭରେ ୨ଟି ଟ୍ରାକ୍ଟର ବେଆଇନ ବାଲି ବୋଝେଇ କରୁଥିଲେ। ଚାଳକ ଓ ଶ୍ରମିକ ପ୍ରଥମେ ଅଳ୍ପ ପାଣି ଆସୁଥିବା ଅନୁମାନ କରି ବାଲି ବୋଝେଇ କରୁଥିବା ବେଳେ ହଠାତ୍ ବନ୍ୟାଜଳ ମାଡ଼ି ଆସିଥିଲା। ଟ୍ରାକ୍ଟରର ଚାଳକ ଓ ଶ୍ରମିକ ଗାଡ଼ି ଛାଡି ଦୌଡ଼ି ପଳାଇଥିଲେ। ସେମାନେ ଏକ ବଡ଼ ଧରଣର ବିପଦରୁ ରକ୍ଷା ପାଇଯାଇଛନ୍ତି।

ବନ୍ୟାଜଳ ସାମାନ୍ୟ କମିବା ପରେ ଜେସିବି ମେସିନ ଓ ମଣିଷ ଦ୍ବାରା ଟ୍ରାକ୍ଟର ୨ଟିକୁ ଉଦ୍ଧାର ଉଦ୍ୟମ ଜାରି ରହିଛି। ସମାକୋଇ ନଦୀର କରଦାଙ୍ଗି ଠାରେ ବେଆଇନ ଭାବେ ୩୦ରୁ ଊର୍ଦ୍ଧ୍ବ ବେନାମୀ ଟ୍ରାକ୍ଟର ପ୍ରତିଦିନ ଶହ ଶହ ଟ୍ରିପ ବାଲି ଲୁଟ କରି ଆସୁଥିବା ଅଭିଯୋଗ ହୋଇ ଆସୁଛି। ଆଜି ମଧ୍ୟ ୨ଟି ଟ୍ରାକ୍ଟର ବେଆଇନ ଭାବେ ବାଲି ବୋଝେଇ କରୁଥିବା ବେଳେ ବନ୍ୟାରେ ନଦୀଗର୍ଭରେ ଫସି ଯାଇଛନ୍ତି।

ସମ୍ବନ୍ଧିତ ଖବର