କଟକ: ଦିନେ ଜନ୍ମକଲା ମା’ ବସୁନ୍ଧରାରେ ଛାଡ଼ିଯାଇଥିବା ବର୍ଷକର ଶିଶୁକନ୍ୟା ସୁଧନ୍ୟା ଏବେ ଆମେରିକୀୟ ଡାକ୍ତରଙ୍କ ପତ୍ନୀ। ବସୁନ୍ଧରାରୁ ପୋଷ୍ୟ ସନ୍ତାନ ଭାବେ ଆମେରିକା ଯିବା ପରେ ସେଠାକାର ପାଣିପବନରେ ବଢ଼ିଥିଲେ। ଏବେ ସେ ୩୨ ବର୍ଷୀୟା ଏବଂ ଜଣେ ଆମେରିକୀୟ ଡାକ୍ତରଙ୍କୁ ବିବାହ କରିଛନ୍ତି। ତେବେ ଏହି ବିବାହ ପରବର୍ତ୍ତୀ ଉତ୍ସବକୁ ପାଳନ କରିବା ପାଇଁ ସୁଧନ୍ୟା ଆସନ୍ତାକାଲି ବସୁନ୍ଧରା ଆସୁଛନ୍ତି। ବସୁନ୍ଧରାର ସେହି ଛାତ ତଳେ କାଟିଥିବା ତାଙ୍କ ପିଲାବେଳର ସ୍ମୃତିକୁ ପୁଣି ଥରେ ସାଉଁଟିବେ। ଏଥିପାଇଁ ବସୁନ୍ଧରାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। 

Advertisment

୧୯୯୫ ଅଗଷ୍ଟରେ ଜଣେ ମହିଳା ବସୁନ୍ଧରାରେ ଏକବର୍ଷର ଶିଶୁ କନ୍ୟାକୁ ହସ୍ତାନ୍ତର କରିଥିଲେ। ବୈବାହିକ କାରଣ ଯୋଗୁ ସେ ଶିଶୁକୁ ଏଠାରେ ଛାଡ଼ି ଦେଇଥିବା କୁହାଯାଏ। ଏହି ଶିଶୁକନ୍ୟାଙ୍କ ଜନ୍ମ ୧୯୯୪ ଅଗଷ୍ଟ ୨୦ ତାରିଖରେ। ବସୁନ୍ଧରାରେ ଏହି ଶିଶୁକନ୍ୟା ଭର୍ତ୍ତି ହେବା ସମୟରେ ବୟସ ହୋଇଥାଏ ମାତ୍ର ଏକ ବର୍ଷ। ୧୯୯୯ ଯାଏଁ ଏହି ଶିଶୁକନ୍ୟା ବସୁନ୍ଧରାରେ ଥିଲେ। ୧୯୯୯ ଫେବ୍ରୁଆରି ୧୧ରେ ଆଇନଗତ ପ୍ରକ୍ରିୟାରେ ତାଙ୍କୁ ଏକ ଆମେରିକୀୟ ଦମ୍ପତ୍ତି ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ। ଏହି ଦମ୍ପତ୍ତି ଥିଲେ ଜେଫ୍ରି କେ. ଡନ୍ ଓ ପତ୍ନୀ ହୋଲି ଏମ୍‌ସି ଗିଲିକୁଡ଼ି। ପରବର୍ତ୍ତୀ ସମୟରେ ଏହି ଶିଶୁକନ୍ୟାଙ୍କ ଠିକଣା ବଦଳିଗଲା, ପରିଚୟ ବି ବଦଳିଗଲା। ସେ ପାଲଟିଗଲେ ସୁଧନ୍ୟା ଡନ୍ (ସୁଡ୍ଡି)। 

ଏବେ ସେ ୩୧ବର୍ଷୀୟା ମହିଳା। ଏକ ହସପିଟାଲରେ ନର୍ସ ଭାବେ ଚାକିରି କରୁଛନ୍ତି। ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ହର୍ଷ ଦୁଆଙ୍କୁ ବିବାହ କରିଛନ୍ତି। ୧୯୯୯ ପରେ କେବେ ସେ ବସୁନ୍ଧରାକୁ ଆସି ନଥିବା ବେଳେ ଆସନ୍ତାକାଲି (୨୭ ତାରିଖ) ସ୍ବାମୀ ଓ ପରିବାର ସଦସ୍ୟଙ୍କ ସହିତ ବସୁନ୍ଧରା ବୁଲି ଆସୁଥିବାର କାର୍ଯ୍ୟକ୍ରମ ରହିଛି। ବାହାଘର ପରବର୍ତ୍ତୀ ଉତ୍ସବ ବସୁନ୍ଧରାରେ ପାଳିବାକୁ ଯାଉଛନ୍ତି। ଏ ନେଇ ସୁଧନ୍ୟା ବସୁନ୍ଧରାକୁ ଇ-ମେଲ୍ ଦେଇ ଏ ସମ୍ପର୍କରେ ଅବଗତ କରିଛନ୍ତି। ବସୁନ୍ଧରାରେ ଯେଉଁଠି ସେ ବଢ଼ିଥିଲେ ସେହି ସ୍ଥାନକୁ ବୁଲି ଆସିବା ପାଇଁ ମେଲ୍‌ରେ ଦର୍ଶାଇଛନ୍ତି। ଆସନ୍ତାକାଲି ସୋମବାର ସନ୍ଧ୍ୟା ୬ଟା ବେଳେ ସମସ୍ତ ଅନ୍ତେବାସୀଙ୍କ ସହିତ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କ ସହିତ ସେ ରାତ୍ରିଭୋଜନ କରିବେ। ବସୁନ୍ଧରା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ପାଇଁ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଦେଙ୍କ ସମେତ ଡିସିପିଓ ପ୍ରଗତୀ ମହାନ୍ତି, ସିଡବ୍ଲୁସି ଅଧ୍ୟକ୍ଷ ପ୍ରମୋଦ ଆଚାର୍ଯ୍ୟ ଏବଂ ସିଡବ୍ଲୁସି ସଦସ୍ୟଙ୍କ ସମେତ ପୂର୍ବ ସିଡବ୍ଲୁସି ଅଧ୍ୟକ୍ଷ ଓ ସଦସ୍ୟ, ବୁଦ୍ଧିଜୀବୀ, ଡାକ୍ତର ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନେ ସମସ୍ତେ ଏହି କାର୍ଯ୍ୟକ୍ରମରେ ଏକାଠି ହେବାକୁ ଯାଉଛନ୍ତି। ଅପରାହ୍‌ଣ ୪ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସନ୍ଧ୍ୟା ୬ଟାରୁ ରାତି ୮ଟା ଯାଏଁ ବସୁନ୍ଧରାରେ ରହିବାର କାର୍ଯ୍ୟକ୍ରମ ରହିଛି।