ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ବିଶ୍ୱ ରେକର୍ଡରେ ନାଁ ରଖିଲେ ସୁଦୀପ୍ତ

କଂଟାବାଞ୍ଜି (ପୁଷ୍ପକେତୁ ବେହେରା) ବ୍ରାଭୋ ଇଣ୍ଟର‌ନ୍ୟାସନାଲ ବୁକ୍‌ ବିଶ୍ବ ରେକର୍ଡରେ ନାଁ ରଖି କଣ୍ଟାବାଞ୍ଜି ପାଇଁ ଗୌରବ ଆଣିଛନ୍ତି ସୁଦୀପ୍ତ ରଞ୍ଜନ ସାହୁ (ସୋନୁ)। ସ୍ଥାନୀୟ ମହାବୀର ରେସିଡେନସି ପାଖରେ ରହୁଥିବା ଦାମୋଦର ସାହୁ ଏବଂ ପ୍ରତିମା ସାହୁଙ୍କ ପୁଅ ସୁଦୀପଙ୍କ ବୟସ ଏବେ ମାତ୍ର ୧୯ବର୍ଷ। ସେ କଂଟାବାଞ୍ଜି ଶିଶୁ ମନ୍ଦିରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ବଲାଙ୍ଗୀରେ ପଢ଼ିଥିଲେ। ଯୁବପିଢ଼ି କିପରି ବ୍ୟବସାୟ କରିବେ ସେ ଉପରେ ସୋନୁ ‘ମେନୁଏଲ୍‌ ଅଫ୍‌ ଷ୍ଟାର୍ଟଅପ୍‌ ବିଜନେସ’ ନାଁରେ ଏକ ପୁସ୍ତକ ରଚନା କରିଛନ୍ତି। ଏହି ପୁସ୍ତକ ଦିଲ୍ଲୀର ବ୍ଲୁରୋଜ ପ୍ରକାଶକଙ୍କ ଜରିଆରେ ବଜାରକୁ ଛାଡ଼ିଛନ୍ତି। ପୁସ୍ତକଟି ଆନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଏକ ପୁସ୍ତକ ମେଳାରେ ମଧ୍ୟ ସ୍ଥାନ ପାଇଥିଲା। ପରେ ବୟସ ଅନୁସାରେ ସେ ବିଶ୍ୱର ସର୍ବ କନିଷ୍ଠ ଇଂରାଜୀ ଲେଖକ ଭାବେ ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ୍‌ରେ ନିଜ ରେକର୍ଡ ରଖିବାରେ ସମର୍ଥ ହୋଇଛନ୍ତି। ତାଙ୍କ ଏହି ପୁସ୍ତକଟି ଏବେ ଆମାଜନ, ଫ୍ଲିପ୍‌କାର୍ଟରେ ମଧ୍ୟ ଉପଲଧ୍‌ବ ଅଛି। ହଜାର ହଜାର ସଂଖ୍ୟାରେ ବହି ବିକ୍ରି ହେଉଥିବା ସୋନୁ ସୂଚନା ଦେଇଛନ୍ତି।

ସେମାନେ ଯାହା କହନ୍ତି…

ସୁଦୀପ୍ତ ରଂଜନ ସାହୁ: ମୋର ପଢ଼ାରେ ମୁଁ କେବେ ହେଳା କରିନି। ଲେଖା ଲେଖିରେ ଦୃଢ଼ ବିଶ୍ୱାସ ରଖିଥିଲି। କଂଟାବାଞ୍ଜିରେ ପଢ଼ିସାରିଲା ପରେ ମୁଁ ବଲାଙ୍ଗୀରର ଯୁବୋଦୟ କଲେଜରେ ପଢ଼ିଲି। ସେଠାରେ ଯୁକ୍ତଦୁଇ ସାରିବା ସମୟରେ ହିଁ ମୁଁ ଏହି ବହି ଲେଖଲି। ପରେ ଦିଲ୍ଲୀର ବ୍ଲୁରୋଜ ପ୍ରକାଶକ ମୋର ଏହି ପୁସ୍ତକକୁ ପ୍ରକାଶ କରିଥିଲେ। ବହି ବିକ୍ରି ପାଇଁ ଲାଇସେନ୍ସର ସୁବିଧା କରାଇଥିଲେ। ଏହି ବିଶ୍ୱରେକର୍ଡ ପରେ ମୁଁ ବହୁତ ଖୁସି। ଯୁବ ପିଢ଼ିକୁ ଏବେ ମୁଁ ଏତେ କହିଛି ଯେ, ଯିଏ ମଧ୍ୟ ଯେଉଁ କାମ କରୁଛନ୍ତି ସେ ଦୃଢ଼ ବିଶ୍ୱାସ ସହ କରନ୍ତୁ। ଆଗକୁ ନିଶ୍ଚିତ ଭାବେ ସଫଳତା ପାଇବେ।

ଦାମୋଦର ସାହୁ (ସୁଦୀପ୍ତଙ୍କ ବାପା): ଖୁସି ତ ବହୁତ ଲାଗୁଛି। ଆଶା ବି ବହୁତ ଅଛି କି ଆଗକୁ ବହି ଲେଖି ଯୁବପିଢ଼ିକୁ ଆହୁରି ପ୍ରେରଣା ଦେବ। ସେ ହାଇସ୍କୁଲ ପଢ଼ିଲା ବେଳୁ ଲେଖା ଆରମ୍ଭ କରିଛି। ଯୁକ୍ତଦୁଇ ସମୟରେ ସେ ଏହି ରେକର୍ଡ ରଖି ଦେଇଛି। ସେ ବିଭିନ୍ନ ପ୍ରକାଶକ ଲେଖକମାନଙ୍କର ବହି ପଢୁଥିଲା। କିନ୍ତୁ ଜାଣି ନଥିଲା ଯେ ସେ ମଧ୍ୟ କେବେ ଲେଖକ ହୋଇଯିବ। ୧୫୦ରୁ ୨୦୦ ବହି ସେ ପଢ଼ିଛି।

ରାମଚନ୍ଦ୍ର ସାହୁ (ସୁଦୀପ୍ତଙ୍କ ବଡ଼ବାପା): କିଛି ଲେଖାଲେଖି କରିବା ସହଜ ନୁହେଁ। ହେଲେ ସୋନୁର ଜନ୍ମଗତ କଳା ଅଛି। ଛୋଟ ବେଳୁ ସେ ଲେଖାଲେଖି କରୁଥିଲା। ମୁଁ ଜଣେ ଶିକ୍ଷକ। ତେଣୁ ସେ ମୋର ଗାଇଡେନ୍ସରେ ପଢୁଥିଲା। ତେଣୁ ସେ ମୋର ପାଖରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି। କବିତା ଲେଖିବା ସହ ତାର ଗୋଟିଏ ଭିନ୍ନ ପ୍ରକାରର କଳା ଅଛି। ବ୍ୟବସାୟ ଉପରେ ଗବେଷଣା କରି ସେ ଏହି ପୁସ୍ତକଟି ଲେଖିଛି। ଏହା ପାଇଁ ତାଙ୍କୁ ବହୁତ ଅଭିନନ୍ଦନ। ସେ ଏହି ବିଶ୍ୱ ରେକର୍ଡ ରଖିଥିବାରୁ ଆମେ ବହୁତ ଖୁସି।

ସମ୍ବନ୍ଧିତ ଖବର