ବ୍ରହ୍ମପୁର : ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଜଣେ ମାନସିକ ରୋଗୀ। ବାଇପୋଲାର୍ ଆଫେକ୍ଟିଭ୍ ଡିଜଅର୍ଡର୍ ରୋଗରେ ପୀଡ଼ିତ ଥିଲେ। ହେଲେ, ଚିକିତ୍ସା ପରେ ସେ ସୁସ୍ଥ ଥିଲେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ବ୍ରହ୍ମପୁର ଏମ୍କେସିଜି ବଡ଼ ଡାକ୍ତରଖାନାର ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡା. ଚନ୍ଦ୍ରଶେଖର ତ୍ରିପାଠୀ କହିଛନ୍ତି।
ଏ ନେଇ ପ୍ରଫେସର ତ୍ରିପାଠୀ କହିଛନ୍ତି, ଏଏସ୍ଆଇ ଗୋପାଳ ବାଇପୋଲାର୍ ଆଫେକ୍ଟିଭ୍ ଡିଜଅର୍ଡର୍ ରୋଗରେ ପୀଡ଼ିତ ଥିବାରୁ ଭଲ ଭାବେ ଶୋଉ ନଥିଲେ, ରାଗୁ ଥିଲେ। ତାଙ୍କ ମନ ବି ଚଳଚଞ୍ଚଳ ରହୁଥିଲା। କିନ୍ତୁ, ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ। ତାଙ୍କର କୌଣସି ପ୍ରତିକ୍ରିୟା ନଥିଲା। ତାଙ୍କୁ ମୁଡ୍ ଷ୍ଟାବିଲାଇଜର୍, ଆଣ୍ଟିସାଇକୋଟିକ୍, ସିଡୋଟିବ୍ ଔଷଧ ଦିଆଯାଇଥିଲା। ନିୟମିତ ଔଷଧ ସେବନ ନକଲେ କିମ୍ବା ଏଥିରେ ବ୍ୟତିକ୍ରମ ହେଲେ, ଏହି ରୋଗ ବାରମ୍ବାର ବାହାରିବ। ଗତ ପ୍ରାୟ ବର୍ଷେ ହେଲା ସେ ଆଉ କ୍ଲିନିକ୍କୁ ଆସି ନଥିଲେ। ‘ସେ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଲେ ତାହା ଆମେ କହିପାରିବୁ ନାହିଁ। ପ୍ରଥମେ ତାଙ୍କର ମାନସିକ ସ୍ଥିତି ବୁଝିବାକୁ ପଡ଼ିବ। ତା’ପରେ ଯାଇ ସେ କାହିଁକି ଏଭଳି ଘଟଣା ଘଟାଇଲେ ତାହା ଜଣାପଡ଼ିବ,’ ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି।
ମାନସିକ ରୋଗର କୌଣସି ଲକ୍ଷଣ ନଥିଲା
ନବ ଦାସଙ୍କୁ ଗୁଳି ମାରିଥିବା ଏଏସ୍ଆଇ ଗୋପାଳ ଦାସଙ୍କ ବ୍ୟବହାର ସ୍ବାଭାବିକ ଥିଲା। ଝାରସୁଗୁଡ଼ା ଜିଲ୍ଲାରେ ଦୀର୍ଘବର୍ଷ ଧରି ସେ କାର୍ଯ୍ୟ କରୁଥିବା ବେଳେ ଗତ ୨୮.୧୧.୨୦୨୦ରେ ଗାନ୍ଧୀଛକ ଫାଣ୍ଡିରେ ଏଏସ୍ଆଇ ଭାବରେ ଯୋଗ ଦେଇଥିଲେ। ସେହି ଅଞ୍ଚଳରେ ଲୋକଙ୍କ ସହିତ ମଧ୍ୟ ସେ ମିଳାମିଶା ସହିତ ଭଲ ସଂପର୍କ ରଖିଥିବା କୁହାଯାଉଛି। ଉପରିସ୍ଥ ପୁଲିସ ଅଧିକାରୀମାନେ ମଧ୍ୟ ତାଙ୍କ ବ୍ୟବହାର ନେଇ ସେପରି କୌଣସି ଟପ୍ପଣୀ ଦେଇନାହାନ୍ତି। ସବୁଦିନ ସେ ଓପିଏମ୍ ପଡ଼ିଆରେ ଫୁଟ୍ବଲ୍ ଖେଳୁଥିବା ବେଳେ ସେଠାରେ କିଛି ଲୋକଙ୍କ ସହିତ ଉଠାବସା କରୁଥିବା ମଧ୍ୟ ଜଣାଯାଇଛି।