ଅନୁଗୁଳ: ଗୋଟିଏ ଦୁଇ ଫୁଟିଆ ରାସ୍ତା ଉପରେ ଚଳପ୍ରଚଳ ହେଉଛନ୍ତି ୨ ଜିଲ୍ଲାର ଲୋକ। ଗୋଟିଏ ଜିଲ୍ଲା ହେଉଛି ଢେଙ୍କନାଳ ଓ ଅନ୍ୟଟି ଅନୁଗୁଳ। ରାସ୍ତା କାହାର, ଏହି ବାବଦ ପାଇଁ ପ୍ରଶସ୍ତୀକରଣ ହୋଇପାରୁନାହିଁ। ଧୀରେଧୀରେ ରାସ୍ତା ସଙ୍କୁଚିତ ହେଉଥିବା ବେଳେ ଏହି ବାଟଦେଇ ୩୦ଟି ଗଁାର ଲୋକେ ଚଳପ୍ରଚଳ କରୁଛନ୍ତି।
ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ଯୋଡ଼ୁଥିବା ହମାମିରା-କନ୍ତାମିଲା ରାସ୍ତା। ଅନୁଗୁଳ ସଦର ବ୍ଲକ୍ ବେଡ଼ାଶାସନ ପଞ୍ଚାୟତ ହମାମିରା ଗାଁଠାରୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କନ୍ତାମିଲା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ରହିଛି। ହିନ୍ଦୋଳ ଓ ବନ୍ତଳା ଅଞ୍ଚଳର ଲୋକଙ୍କ ପାଇଁ ଏହା ଆଗରୁ ଏକ ପ୍ରମୁଖ ରାସ୍ତା ରହିଥିଲା। ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଲୋକ ଏହି ମାଟି ରାସ୍ତା ବ୍ୟବହାର କରୁଥିଲେ। କିନ୍ତୁ, ଜିଲ୍ଲା ଭାଗ ହେବାପରେ ଏହି ରାସ୍ତାର ଭାଗ୍ୟ ଅନ୍ଧାରକୁ ଚାଲିଯାଇଛି। ଦୁଇ ପଡ଼ୋଶୀ ଜିଲ୍ଲାକୁ ଭାବଗତ ସଂପର୍କରେ ବାନ୍ଧିଥିବା ଏହି ରାସ୍ତାର ଉନ୍ନତି କଥାକୁ କେହି ଗୁରୁତ୍ବ ଦେଇ ନାହାନ୍ତି। ତେଣୁ ରାସ୍ତା ନଷ୍ଟ ହେବା ସହ ଦୁଇଫୁଟିଆ ରାସ୍ତାରେ ପରିଣତ ହୋଇଯାଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ‘ ରାସ୍ତା ଉନ୍ନତି ହୋଇ ନ ପାରିବା ପଛରେ ସୀମା ଏକ ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଛି। ଏହି ରାସ୍ତା ପଞ୍ଚାୟତ ଅଧୀନରେ ଥିଲାବେଳେ ଏହାର କିଛି ଅଂଶ ବେଡ଼ାଶାସନ ପଞ୍ଚାୟତରେ ରହିଛି। ଅନ୍ୟ କିଛି ଭାଗ କନ୍ତାମିଲା ପଞ୍ଚାୟତ ଅଧୀନରେ ଅଛି। ଗୋଟିଏ ରାସ୍ତା ଦୁଇ ପଞ୍ଚାୟତ ଅଧୀନରେ ରହିଥିବାରୁ ଏହାର ଉନ୍ନତ ପାଇଁ କେହି ଉଦ୍ୟମ କରୁନାହାନ୍ତି। ଆଉ ଏହାର ଫଳ ସାଧାରଣ ଲୋକେ ହିଁ ଭୋଗ କରୁଛନ୍ତି।’ ଉଦ୍ବେଗଜନକ ବିଷୟ ହେଉଛି, ନାଳ ଡେଇଁ ପିଲାମାନେ ପଢ଼ିବାକୁ ଆସୁଥିବା ସେମାନେ କହିଛନ୍ତି। ଅନ୍ୟପକ୍ଷରେ, ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ନିକଟରେ ପାଣ୍ଠି ନଥିବାରୁ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ବେଡ଼ାଶାସନ ସରପଞ୍ଚ ନିରୁପମା ସାହୁ କହିଛନ୍ତି।