ଯନ୍ତାରେ ପଡ଼ିଲା ଆଖୁଖିଆ ଭାଲୁ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ୍‌ ଦହଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଆଖୁ ବାଡ଼ିରେ ବସାଯାଇଥିବା ଯନ୍ତାରେ ଶୁକ୍ରବାର ରାତିରେ ଗୋଟାଏ ଭାଲୁ ପଡ଼ିଥିବା ଖବର ମିଳିଛି।

କିଛି ବର୍ଷ ହେବ ସନ୍ଧ୍ୟା ସମୟରେ ଏ ଭାଲୁଟି ଦହଣା ଗାଁ ଭିତରକୁ ପଶି ଆସି ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ କିଶୋର ଚନ୍ଦ୍ର ମିଶ୍ରଙ୍କ ବାଡ଼ିରୁ ଆଖୁ, ମକା, ପିଜୁଳି ଓ କଦଳୀ ଆଦି ଫସଲ ଖାଉଥିଲା। ଗ୍ରାମବାସୀଙ୍କ କହିବା ଅନୁସାରେ, ଭାଲୁଟି ଦିନବେଳା ଗାଁ ଭିତରେ ହିଁ କେଉଠି ଆତ୍ମଗୋପନ କରି ରହୁଥିଲା। ବେଳବୁଡ଼ିବା ପରେ ସେ ଇଟା ପାଚେରି ଚଢ଼ି କିଶୋରଙ୍କ ଆଖୁ କ୍ଷେତ ଓ କ୍ରସର୍‌ ଥିବା ବାଡ଼ିରେ ପଶୁଥିଲା। ଭାଲୁଟି ସେଠାରେ ଗୁଡ଼ ତିଆରି ନିମନ୍ତେ ରନ୍ଧା ଯାଇଥିବା ଆଖୁ ଦୋରୁଅ ପିଇବା ସହ ଆଖୁ ମଧ୍ୟ ଖାଉଥିଲା। ଏହାଛଡ଼ା ଭାଲୁଟି ଗାଁ’ର କିଛି ଲୋକଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିଲା।

କିଛି ଦିନ ତଳେ କିଶୋର ମିଶ୍ରଙ୍କର ଆଖୁ ବାଡ଼ିକୁ ପଶି ଆସିଥିବା ଅନ୍ୟ ଏକ ଭାଲୁ ସହ ଏ ଭାଲୁର ଘୋମାଘୋଟ ଲଢ଼େଇ ହୋଇଥିଲା ବୋଲି କୁହାଯାଉଛି।

ଏ ସଂକ୍ରାନ୍ତରେ କିଶୋର ମିଶ୍ରଙ୍କ ପରିବାର ତରୁଫରୁ ନବରଙ୍ଗପୁର ବନ ବିଭାଗକୁ ଅବଗତ କରାଯାଇଥିଲା। ଏହାଛଡ଼ା ଏ ଖବର ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବନ ବିଭାଗ ତତ୍ପର ହୋଇଥିଲେ। ଆଖୁଖିଆ ଭାଲୁଟିକୁ ଧରିବା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ସେ ଅଞ୍ଚଳରେ ତା’ର ଗତିବିଧି ଉପରେ ଦୃଷ୍ଟି ରଖିଥିଲା। ଏହାପରେ ସେମାନେ କିଶୋରଙ୍କ ବାଡ଼ିରେ ଏକ ଯନ୍ତା ବସାଇଥିଲେ।

ଗତକାଲି ବିଳମ୍ବିତ ରାତ୍ରୀରେ ସମ୍ପୃକ୍ତ ଭାଲୁଟି କିଶୋରଙ୍କ ବାଡିରେ ପଶି ଖାଦ୍ୟ ଅନେ୍ଵଷଣ କରୁଥିବା ବେଳେ ବନ ବିଭାଗ ବସାଇଥିବା ଯନ୍ତାରେ ପଡ଼ିଥିଲା। ସେଠାରେ ଜଗି ଥିବା ବନ ବିଭାଗ ଟିମ ଯନ୍ତା ସମେତ ଭାଲୁଟିକୁ ଉଠାଇ ନେଇ ଏକ ଅଜ୍ଞାନ୍ତ ସ୍ଥାନରେ ରଖିଛନ୍ତି।

ସମ୍ବନ୍ଧିତ ଖବର