୫ ଚିନି କଳରୁ ଗୋଟିଏ, ୭ ସୂତା କଳରୁ ଗୋଟିଏ ଚାଲୁଛି

ଭୁବନେଶ୍ବର : ରାଜ୍ୟରେ ସମବାୟଭିତ୍ତିକ ୫ଟି ସମବାୟ ଚିନିକଳ ମଧ୍ୟରୁ ଏବେ ଗୋଟିଏ କଳ ସଚଳ ଅବସ୍ଥାରେ ଅଛି। ସେହିପରି ବୟନଶିଳ୍ପ ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମବାୟ ଭିତ୍ତିକ ୭ଟି ସୁତାକଳ ମଧ୍ୟରୁ ଗୋଟିଏ ଚାଲୁଥିବାବେଳେ ୬ଟି ଅଚଳ ପଡ଼ିଛି। ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ଉତ୍ତର ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ, ରାଜ୍ୟରେ ସମବାୟଭିତ୍ତିକ ୫ଟି ସମବାୟ ଚିନିକଳ ଯଥା ଆସ୍କା ସମବାୟ ଚିନିକଳ, ବରଗଡ଼ ସମବାୟ ଚିନିକଳ, ନୟାଗଡ଼ ସମବାୟ ଚିନିକଳ, ବଡମ୍ବା ସମବାୟ ଚିନିକଳ, ବିଜୟାନନ୍ଦ ସମବାୟ ଚିନିକଳ ପ୍ରତିଷ୍ଠା କରାଯାଇଥିଲା। ଏବେ କେବଳ ଆସ୍କା ସମବାୟ ଚିନିକଳ ସଚଳ ଅବସ୍ଥାରେ ଅଛି। ବଲାଙ୍ଗୀରସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ଓ ବରଗଡ଼ ସମବାୟ ଚିନିକଳ ଅଚଳ ଅବସ୍ଥାରେ ଅଛି। ଅନ୍ୟ ଦୁଇଟି ସମବାୟ ଚିନିକଳ ଯଥା ନୟାଗଡ଼ ସମବାୟ ଚିନିକଳ ଓ ବଡମ୍ବା ସମବାୟ ଚିନିକଳକୁ କ୍ରୟ ଓ ବିକ୍ରୟ ଚୁକ୍ତିନାମା ଅନୁଯାୟୀ ଯଥାକ୍ରମେ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଲିଃ ଓ ଲକ୍ଷ୍ମୀପତି ବାଲାଜୀ ସୁଗାର ଓ ଡିଷ୍ଟିଲାରି ପ୍ରାଇଭେଟ୍ ଲିଃକୁ ୨୦୦୪ ଓ ୨୦୦୫ମସିହାର ଠାରୁ ହସ୍ତାନ୍ତର କରାଯାଇଛି। ବାଲାଜୀ ସୁଗାର ଚୁକ୍ତିନାମା ସର୍ତ୍ତରେ ଖିଲାପ କରିଥିବାରୁ ସରକାରଙ୍କ ତରଫରୁ ପ୍ରଥମରୁ ହିଁ ତାକୁ କାରଣ ଦର୍ଶାଅ ନୋଟିସ୍‌ ମଗାଯାଇଛି। ଏହି ନୋଟିସ୍‌ ବିରୁଦ୍ଧରେ ବାଲାଜୀ ସୁଗାର ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ରିଟ୍ ପିଟିସନ୍ ଦାଖଲ କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲାଜୀ ସୁଗାର ଜାନୁଆରି ୧୬, ୨୦୦୮ରେ ଆଖୁପେଡ଼ା କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ୨୦୧୩-୧୪ବର୍ଷରୁ କୌଣସି କାରଣ ନଦର୍ଶାଇ ବଡ଼ମ୍ବା ଚିନିକଳକୁ ବନ୍ଦ ରଖିଛି।

ଅପରପକ୍ଷେ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ। ଏହା ଏବେ ବିଚାରାଧୀନ ଅଛି। ସରକାରଙ୍କ ଉଚ୍ଚକ୍ଷମତାସଂପନ୍ନ କମିଟିର ନିଷ୍ପତ୍ତି ଅନୁସାରେ ବାଲାଜୀ ସୁଗାର ବିରୁଦ୍ଧରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ‌ସେହିପରି ବିଜୟାନନ୍ଦ ସମବାୟ ଚିନିକଳର ଦୁର୍ବଳ ଆର୍ଥିକ ଅବସ୍ଥା ଓ ଅନ୍ୟାନ୍ୟ ଅନିୟମିତତା ଯୋଗୁଁ ଏପ୍ରିଲ ୬, ୨୦୧୪ରୁ ଏହା ବନ୍ଦ ଅଛି। ଉକ୍ତ ଚିନିକଳ ଉପରେ ରାଜ୍ୟ ସମବାୟ ବ୍ୟାଙ୍କ ଲିଃ ଭୁବନେଶ୍ବରର ପ୍ରାୟ ୫୨.୨୩କୋଟି ଟଙ୍କା ବକେୟା ଋଣ ପରିଶୋଧ କରିବା ପାଇଁ ଚିନିକଳ ନିଲାମ ପ୍ରକ୍ରିୟା ଜାରି ଅଛି। ବରଗଡ଼ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ କାନପୁରସ୍ଥିତ ଜାତୀୟ ଚିନି ଗବେଷଣା ସଂସ୍ଥାକୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା। ନିକଟରେ ଉକ୍ତ ସଂସ୍ଥା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିଛି। ଏହାକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ନୟାଗଡ଼ ସୁଗାର କମ୍ପ୍ଲେକ୍ସ ନାମକ ଘରୋଇ ସଂସ୍ଥା ୨୦୧୪ ମସିହାରୁ କୌଣସି କାରଣ ନଥାଇ ଆଖୁ ଚାଷୀଙ୍କର ପ୍ରାପ୍ୟ ନଦେଇ ଚିନିକଳକୁ ବନ୍ଦ ରଖିଛି। ଉକ୍ତ ସଂସ୍ଥା‌ ରାଜ୍ୟ ସରକାରଙ୍କ ଠାରୁ କ୍ଷତିପୂରଣ ଦାବି କରି ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ୍ ଓଡ଼ିଶା ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଏହି ମାମଲା ବିଚାରାଧୀନ ଅଛି।
ସେହିପରି ବୟନଶିଳ୍ପ ନିର୍ଦ୍ଦେଶାଳୟ ଅଧୀନରେ ସମବାୟ ଭିତ୍ତିକ ୭ଟି ସୂତାକଳ ମଧ୍ୟରୁ କୋଣାର୍କ କପା ଉତ୍ପାଦନକାରୀ ସମବାୟ ସୂତାକଳ ଲିଃ, କେଶିଙ୍ଗା ଠାରେ ତୁଳାଭିଣା କାର୍ଯ୍ୟ ଚାଲୁଛି। ୬ଟି ସୂତାକଳ ବନ୍ଦ ଅଛି। ଏଥିରୁ ତିନିଟି ଯଥା ଓଡ଼ିଶା ବୁଣାକର ସମବାୟ ସୂତାକଳ ଲିଃ, ତୋରା, ବରଗଡ଼, କଳିଙ୍ଗ ବୁଣାକର ସମବାୟ ସୂତାକଳ ଲିଃ, ଢେଙ୍କାନାଳ, ଶ୍ରୀ ଗୋପିନାଥ ସୂତାକଳ ଲିଃ, ବାଲେଶ୍ବର ସମବାୟ ଆଇନ ଧାରା ୧୪(ଖ) ଅନୁଯାୟୀ ଘରୋଇକରଣ ମାଧ୍ୟମରେ ପୁନରୁଦ୍ଧାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧୀନରେ ଥିବା ହସ୍ତଶିଳ୍ପଭିତ୍ତିକ ୧୦୮ଟି ସମବାୟ ସମିତି ଚାଲୁଛି ଏବଂ ୨୮୨ଟି ସମିତି ଅଚଳ ଅଛି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିଃ ଅଧୀନରେ ୨୮ଟି ପ୍ରାଥମିକ ତାଳଗୁଡ଼ ସମବାୟ ସମିତି କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ୨୪ଟି ତାଳଗୁଡ଼ ସମବାୟ ସମିତି ଅଚଳ ଅବସ୍ଥାରେ ଅଛି। ୬ଟି ତାଳଗୁଡ଼ ସମବାୟ ସମିତିକୁ ପୁନରୁଦ୍ଧାର କରିବାକୁ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର