ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲାରେ ଆଖୁଚାଷ ମୁଖ୍ୟତଃ ଝାରସୁଗୁଡ଼ା ବ୍ଲକର ରାଜପୁର ଓ ଲୁଇସିଙ୍ଗ ପଞ୍ଚାୟତ ସହିତ ଲଖନପୁର ବ୍ଲକର ମଚିଦା ପଞ୍ଚାୟତର ଟେଙ୍ଗେନାମାଲ ଗ୍ରାମରେ ବହୁଳ ଭାବରେ ହେଉଛି। ଏହି ତିନି ପଞ୍ଚାୟତକୁ ବିଚାରକୁ ନେଲେ ମଚିଦାର ଟେଙ୍ଗେନାମାଲ ଗ୍ରାମରେ ପ୍ରାୟ ୫୦ ଏକର, ରାଜପୁର ଓ ଲୁଇସିଙ୍ଗରେ ହାରାହାରି ୫୦ଏକର ଚାଷ ହେଉଛି। ଆଖୁ ଓ ଗୁଡ଼ ବିକ୍ରିରେ ଉପଯୁକ୍ତ ବଜାର ଅଭାବ ସହିତ ପାରମ୍ପରିକ ପଦ୍ଧତିରେ ଗୁଡ଼ ଉତ୍ପାଦନ ଯୋଗୁଁ ଚାଷୀମାନେ ଯେଭଳି ଲାଭ ପାଇବା କଥା ଚାଷୀ ପାଇପାରୁନାହାନ୍ତି। ଫଳରେ ଏହା ଏକ ଅର୍ଥକାରୀ ଫସଲ ହୋଇଥିଲେ ମଧ୍ୟ ଚାଷୀ କେବଳ ନିଜ ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ପରିସ୍ଥିତିକୁ ଦେଖି ଆଖୁଚାଷ ପ୍ରତି ଚାଷୀଙ୍କର ଧୀରେ ଧୀରେ ଆଗ୍ରହ କମିବାରେ ଲାଗିଛି। ଏହିଭଳି ପରିସ୍ଥିତି ଲାଗିରହିଲେ ଆଉ ଟେଙ୍ଗେନାମାଲର ସ୍ୱାଦିଷ୍ଠ ଗୁଡ଼ ଓ ପ୍ରସିଦ୍ଧ ଶାଳଉଖୁଡ଼ା ମିଳିବ ନାହିଁ ।

Advertisment

ଝାରସୁଗୁଡ଼ା ଜିଲ୍ଲାର ଏହି ତିନୋଟି ପଞ୍ଚାୟତ ସହିତ ୧୯ ଖଣ୍ଡ ମୌଜାର ଚାଣ୍ଟିପାଲି, ମୁରଲୀ ପାଲି, ଅମାପାଲି ,ଲୁହବଗା ଆଦି ସ୍ଥାନରେ ଆଖୁଚାଷ ହେଉଥିଲା। ଆଖୁ ଚାଷ ଏକ ଦୀର୍ଘମିଆଦି ଅର୍ଥକାରୀ ଫସଲ ହୋଇଥିବାରୁ ସେସମୟର ଚାଷୀମାନେ ବେଶ ଉପକୃତ ହେଉଥିଲେ।  ଆଖୁ ଡିସେମ୍ବର ମାସ ସୁଦ୍ଧା ଅମଳ ହୋଇଥାଏ। ଚାଷୀମାନେ ଆଖୁ କାଟି ଘଣା ପକାଇ ଗୁଡ଼ ଅମଳ କରି ବିକ୍ରି କରିଥାନ୍ତି। ଗ୍ରୀଷ୍ମର ପ୍ରଖରତା ଯୋଗୁଁ ଖରାଦିନେ ଆଖୁପିଲ ପାଇଁ ପାଣିର ଆବଶ୍ୟକତାକୁ ଦେଖି  ୨୦୦୭ ଜାମୁ ନାଳାରେ ଏକ କ୍ରସଡ୍ୟାମ ନିର୍ମାଣ ପରେ ଟେଙ୍ଗେନାମାଲ ଓ ଏହାର ଆଖପାଖରେ ଆଖୁ ଚାଷ କରିବା ସୁବିଧା ହୋଇଥିଲା। ସେହିପରି  ଲୁଇସିଙ୍ଗରେ ମଧ୍ୟ ଏକ ନାଳ ଯୋଗୁଁ ମଧ୍ୟ ଆଖୁଚାଷ ହେଉଛି। ଏବେ ଚାଷ କରିବାର ପ୍ରଣାଳୀରେ ପରିବର୍ତନ ଘଟିଛି କିନ୍ତୁ ଏହି ଅଞ୍ଚଳର ଚାଷୀ ସେହି ପୁରୁଣା ପ୍ରଣାଳୀରେ ଚାଷ କରିବା ସହିତ ଆଖୁ  ପେଡ଼ିବାରେ ଘଣା ବ୍ୟବହାର ଓ ଗୁଡ଼ ପ୍ରସ୍ତୁତିରେ ଅତ୍ୟଧିକ ଲୋକଶକ୍ତି ବିନିଯୋଗ ସହିତ ଠିକ ସମୟରେ ଆଖୁକାଟିବାରେ ବିଳମ୍ବ କାରଣରୁ ଉତ୍ପାଦନ ଖର୍ଚ୍ଚ ବଢ଼ିବାରେ ଲାଗିଛି। ଅପରପକ୍ଷେ ଚାଷୀକୁ ଆବଶ୍ୟକ ଲାଭ ମିଳିପାରୁନାହିଁ।  ଆଖୁ  ଘଣାରେ ପେଡ଼ିଲେ ଯେତେ ଦୋରୁଆ ବାହାରିବ ମେସିନ ଦ୍ୱରା ୨୦ ପ୍ରତିଶତ ଅଧିକ ବାହାରିବ। ସେହିପରି ଏହାକୁ ଗୁଡ଼ ପ୍ରସ୍ତୁତି ରେ ମଧ୍ୟ ସମୟ ଲାଗିବ। ଗୁଡ଼ ପାଗ ହେବାପରେ ଘରେ ମହିଳାମାନଙ୍କ ଠାରୁ ଆରମ୍ଭ କରି ପିଲାମାନେ ମଧ୍ୟ ଗୁଡ଼କୁ ଗୁଲା ପସ୍ତୁତି କରିବାରେ ଲାଗିବାକୁ ପଡ଼ିଥାଏ। କିନ୍ତୁ ଗୁଡ଼ ପ୍ରୋସେସିଂ ମେସିନରେ ଖୁବ କମ ସମୟରେ କମ ଲୋକଙ୍କୁ ନେଇ ଏହା କରିହୁଏ। ଏହାଦ୍ୱରା ଉତ୍ପାଦନ ଖର୍ଚ୍ଚ କମ ଓ ଉତ୍ପାଦନ ଅଧିକ ହୋଇଥାଏ।

publive-image

ସବୁଠାରୁ ବଡ଼କଥା ହେଲା  ଟେଙ୍ଗେନାମାଲର ଶାଳଉଖୁଡ଼ା ବେଶ ପ୍ରସିଦ୍ଧ। ଏହି ଉଖୁଡ଼ା ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇଥାଏ।  ଗୁଡ଼ ବିକ୍ରିର ଉପଯୁକ୍ତ ବଜାର ନଥିବାରୁ ଚାଷୀ ଗୁଡ଼କୁ ନେଇ ଉଖୁଡ଼ା ପ୍ରସ୍ତୁତି କରିଥାଏ। ଟେଙ୍ଗେନାମାଲର ଶାଳଉଖୁଡ଼ା ଓ ଏହାର ଚାହିଦା ଅଧିକ। ଏଥିରେ ଖାଣ୍ଟି ଗୁଆଘିଆ, ଜୁଆଣି, ନଡ଼ିଆ, ପାନମହୁରି, ଅଳେଇଚ, ଲବଙ୍ଗ ଆଦି ପଡ଼ି ପ୍ରସ୍ତୁତ କରାଯାଇଥାଏ। ଏହାକୁ ଚାଷୀ ପରିବାର ନିଜେ ପ୍ରସ୍ତୁତକରି ବିକ୍ରି କରନ୍ତି। ଏହି ଉଖୁଡ଼ାର ଚାହିଦା ଛତିଶଗଡ଼ ଓ ଓଡ଼ିଶାରେ ରହିଛି ବୋଲି ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ଗଡ଼ତିଆ ପ୍ରକାଶ କରିଛନ୍ତି। ବହୁସମୟରେ ବେପାରୀମାନେ ଘରକୁ ଆସି ଏହାକୁ ନେଇଥାଏ। ଏଥିରେ ଚାଷୀ ମଧ୍ୟ ଉପଯୁକ୍ତ ପ୍ରାପ୍ୟ ପାଇନଥାଏ । ଏହି ଉଖୁଡ଼ା ପାଇଁ ମଧ୍ୟ ଉପଯୁକ୍ତ ବଜାର ଆବଶ୍ୟକ ରହିଛି। ଉପଯୁକ୍ତ ବଜାର ହେଲେ ଆଖୁଚାଷୀମାନେ ମଧ୍ୟ ଏଦିଗରେ ମନଦେଇ ଚାଷ କରନ୍ତେ ବୋଲି କହିଛନ୍ତି।

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକମାନଙ୍କୁ ଆଖୁଚାଷ ଆରମ୍ଭ ସମୟରେ ସେହିଭଳି  ନିୟୋଜିତ କଲେ ଚାଷୀ ଲାଭବାନ ହେବେ ବୋଲି ଚାଷୀ ଅଭିମନୁ ଗଡ଼ତିଆ, ସୁବଳ ଗଡ଼ତିଆ,ମନବୋଧ ଗଡ଼ତିଆ ଆଦି ପ୍ରକାଶ କରିଛନ୍ତି। ଏବେ ଗୁଡ଼ କେଜି ୬୦ଟଙ୍କା ବିକ୍ରି ହେଉଛି।  ଆଖୁଚାଷ ଆରମ୍ଭଠାରୁ ଆଖୁଅମଳ, ଘଣା ପକାଇ ଗୁଡ଼ ରାନ୍ଧିବା ଓ ଶେଷରେ ଗୁଡ଼ଗୁଲା ପ୍ରସ୍ତୁତିରେ ଯେଭଳି ପୁରା ପରିବାର ଲାଗିବାକୁ ପଡ଼ୁଛି ସେଥିରେ ସେଭଳି ଲାଭ ମିଳୁନାହିଁ।  ଆଗାମୀ ପିଢ଼ି ଏଭଳି କାର୍ଯ୍ୟ ପ୍ରତି  ଧ୍ୟାନ ଦେବେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି କିଛି ଚାଷୀ। ଏନେଇ ଜିଲ୍ଲା କୃଷି ଅଧିକାରୀ ବଲବୀର ସିଂହଙ୍କୁ ପଚାରିବାରୁ ବର୍ତ୍ତମାନ ସମୟରେ ପୁରୁଣା ପଦ୍ଧତିରେ ଆଖୁ ଚାଷକରି, ଅମଳକରି ଗୁଡ଼ ପ୍ରସ୍ତୁତିରେ ଚାଷୀ ଲାଭବାନ ହେବା ସମ୍ଭବ ନୁହେଁ। ସେଥିପାଇଁ ଗୁଡ଼ ପ୍ରୋସେସିଂ ମେସିନର ବ୍ୟବହାରର ଆବଶ୍ୟକତା ରହିଛି। ଏହାଦ୍ୱାରା ଚାଷୀ ଲାଭବାନ ହେବ।  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ଏହି ମେସିନ କିଣିଲେ ତାଙ୍କପାଇଁ ୫୦ପ୍ରତିଶତ ଋଣ ଛାଡ଼ ରହିବ। ଏଦିଗରେ ଚାଷୀଙ୍କୁ ଚାଷ ପାଇଁ ନୂତନ ଜ୍ଞାନ କୌଶଳ ଯୋଗାଇ ଦିଆଯିବ। ଏହା ଏକ ଦୀର୍ଘ ମିଆଦୀ ଅର୍ଥକାରୀ ଫସଲ। ଏଥିପାଇଁ ଚାଷୀ ଆଗଭର ହେବା ଆବଶ୍ୟକ। ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ନୂତନ ପ୍ରଣାଳୀ ଅବଲମ୍ବନ ସହିତ  ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରି ଗୁଡ଼ ଉତ୍ପାଦନ କଲେ ଏଥିରେ ଅଧିକ ଲାଭ ଅଛି ନିଶ୍ଚୟ। କିନ୍ତୁ ମୂଳକଥା ଆଖୁ ଓ ଗୁଡ଼ ବିକ୍ରି ପାଇଁ ବଜାର ଦରକାର। ଏହା ହେଲେ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିବା ସହିତ ଏ ଅଞ୍ଚଳରେ ମିଳୁଥିବା ସ୍ୱାଦିଷ୍ଠ ଗୁଡ଼ ଓ ପ୍ରସିଦ୍ଧ ଶାଳଉଖୁଡ଼ା ମିଳିବାରେ ସମସ୍ୟା ରହିବ ନାହିଁ।