ବୁଡ଼ିଯାଉଛି ଆଖୁଚାଷୀଙ୍କ ସଂସାର : ମିଳୁନି ବାକିଆ ଟଙ୍କା, ପ୍ରଶାସନର ନିଘା ନାହିଁ

ନୂଆଗାଁ (ସୁନୀଲ୍‌ କୁମାର ପଟ୍ଟନାୟକ): ଦିନ ଥିଲା ଚାଷୀମାନେ ଆଖୁ ଚାଷକୁ ନିଜର ପ୍ରମୁଖ ଜୀବିକା ଭାବେ ଦେଖୁଥିଲେ। ସେଥିରୁ ଯାହା ଅର୍ଥ ଉପାର୍ଜନ ହେଉଥିଲା, ସେଥିରେ ଦୁଃଖେ କଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ। ଏହି ପରମ୍ପରା ଆଜିକାଲିର ନୁହେଁ, ପୂର୍ବ ପୁରୁଷରୁ ଲାଗି ରହିଛି। ଏବେ ତାହା ଧୀରେ ଧୀରେ ବୁଡ଼ିବାକୁ ବସିଲାଣି। ଏସବୁ ପାଇଁ ପ୍ରଶାସନର ଅଣଦେଖା ଚାଷୀକୂଳକୁ ମରଣ ମୁହଁକୁ ଠେଲି ଦେଇଥିବା କୁହାଯାଉଛି। ବର୍ଷସାରା ଜମିରେ ଖଟି ଖଟି ଯାହା ଉପାର୍ଜନ ହେଉଛି, ସେଥିରେ ପରିବାର ଚଳାଇବା ସମ୍ଭବ ହେଉନି। ଏହି ରୋଜଗାରରୁ ଘରେ ବୟସାଧିକ୍ୟରେ ଥିବା ବାପା-ମା’ ଏବଂ ପିଲାଙ୍କୁ ପାଠ ପଢ଼ାଇବା ଅତ୍ୟନ୍ତ କଷ୍ଟଦାୟକ। ତଥାପି ଚାଷୀମାନେ ଆଖୁଚାଷ ଛାଡ଼ି ନାହାନ୍ତି।

ନୟାଗଡ଼ ଜିଲ୍ଲାର ଆଖୁଚାଷୀମାନେ ପ୍ରାୟ ସମୟରେ ସାହୁକାରଠାରୁ ଟଙ୍କା ସୁଧକୁ ଆଣି ଚାଷ କାମରେ ଲଗାଇଥାନ୍ତି। କିନ୍ତୁ ଭଲ ଫସଲ ହେବ ଏବଂ ସାହୁକାରକୁ ଟଙ୍କା ଶୁଝିବା ଆଶା ନେଇ ଚାଷୀ ବର୍ଷସାରା ବିଲରେ ଖଟିବାକୁ ବାଧ୍ୟ ହୋଇଥାଏ। କେତେବେଳେ ବର୍ଷା ପବନରେ ଆଖୁ ନଷ୍ଟ ହୋଇଥାଏ ତ ପୁଣି ଆଉ କେତେବେଳେ ପାଣି ଅଭାବରୁ ବିଲରେ ଆଖୁ ନଷ୍ଟ ହୋଇଥାଏ। ଏଭଳି ଅବସ୍ଥାରେ ଚାଷୀ ଆଖୁ କିଆରିରୁ ଆଖୁ ଅମଳ କରି କଳରେ ପେଡ଼ିଥାଏ। ଏହି ଆଖୁ ପେଡ଼ିବା ସମୟରେ ୩ରୁ ୪ଜଣଙ୍କୁ ଖଟିବାକୁ ପଡିଥାଏ। ଜଣେ ହଳ ଧରି କଳ ଚାରି ପାଖେ ବୁଲୁଥିବା ବେଳେ ଆଉ ଜଣେ କଳରେ ଆଖୁ ପେଡ଼ିଥାଏ। ଆଉ ଜଣେ ଆଖୁ ସଫା କରୁଥିବା ବେଳେ ଆଉ ଜଣେ ପଣା ବସିଥିବା ଚୁଲିକୁ ଜାଳିବାକୁ ପଡିଥାଏ। ଏଭଳି ପରିସ୍ଥିତିରେ ଚାଷୀ ଗୁଡ଼ ତିଆରି କରି ବାହାରେ ଗୋଦାମକୁ ନେଇ ବିକ୍ରି କରିଥାଏ। ୧୯୮୮ ମସିହାରେ ନୟାଗଡ଼ ଜିଲ୍ଲାରେ ଏକ ଚିନି କଂପାନି ତିଆରି ହେବା ପରେ ଆଖୁ ଚାଷୀମାନେ ଏକପ୍ରକାର ଆଶ୍ବସ୍ତି ଲାଭ କରିଥିଲେ। ଆଖୁକୁ ଟ୍ରାକ୍ଟର୍‌, ଟ୍ରକ୍‌ ଏବଂ ଶଗଡ଼ ସାହାଯ୍ୟରେ ଚିନି କଂପାନିକୁ ନେଇ ଦେଉଥିଲେ। ସେଥିରୁ ଯାହା ଟଙ୍କା ପାଉଥିଲେ ପିଲାଙ୍କ ପାଠପଢାଇବା ସହିତ ପରିବାର ଖର୍ଚ୍ଚ କିଛିଦିନ ଚଳି ଯାଉଥିଲା। କିଛିବର୍ଷ ତଳେ କଂପାନି ବନ୍ଦ ରହିବାରୁ ଚାଷୀମାନଙ୍କ ଉପରେ ଚଡ଼କ ପଡିଥିଲା। କଂପାନି କ୍ଷତି ସହୁଥିବା କହି ଛାଡ଼ି ଚାଲିଯାଇଥିଲା। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହିତ କଂପାନି ପୁଣି ଥରେ ଚାଲୁ କରିବାକୁ ଜିଦ୍‌ ଧରିଥିଲେ।

କିଛି ବର୍ଷ ପରେ ସରକାରୀ ନିଷ୍ପତ୍ତି କ୍ରମେ ଆଉ ଏକ କଂପାନୀକୁ ଦାୟିତ୍ବ ହସ୍ତାନ୍ତର କରାଗଲା। କଂପାନି ଚାଲିବାର କିଛି ଦିନ ପରେ କଂପାନୀ ଚାଷୀଙ୍କ ଟଙ୍କା ଧରି ଛୁ ମାରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଚାଷୀମାନେ ଏକଜୁଟ ହୋଇ କଂପାନୀରେ ତାଲା ପକାଇବା ସହିତ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ କରିଥିଲେ। ଚାଷୀମାନଙ୍କ ପ୍ରାପ୍ୟ ତୁରନ୍ତ ଦିଆଯିବ ବୋଲି ଜିଲ୍ଲାପାଳ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ। ଏବେ ଆଖୁଚାଷୀମାନେ ଟଙ୍କା ନପାଇ ଋଣ ବୋଝରେ ଶଢ଼ୁଛନ୍ତି। କେବଳ ସେତିକି ନୁହେଁ କଂପାନୀ ଚାଷୀଙ୍କୁ ଟଙ୍କା ଦେଇନପାରିବାରୁ ବ୍ୟାଙ୍କରେ ନିଜେ ଗ୍ୟାରେଣ୍ଟର୍‌ ହୋଇ ଚାଷୀଙ୍କୁ ଟଙ୍କା ଯୋଗାଇ ଦେଇଥିଲା। ଏବେ ସେହି ଋଣ ଶୁଝିବାକୁ ବ୍ୟାଙ୍କ ଚାଷୀଙ୍କ ଘରେ ଡେରା ପକାଉଥିବା ନୂଆଗାଁ ବ୍ଲକ୍ ଚାହାଳୀ ଗ୍ରାମର ପାଣୁ ଚରଣ ମହାପାତ୍ର, ଫକୀର ବେହେରା, ଆନନ୍ଦ ବେହେରା, ପରମାନନ୍ଦ ସେଠୀ, ସୁର ମହାପାତ୍ର, ଶରତ ମହାପାତ୍ର ପଠାଣୀ ବିଶ୍ବାଳ ଏବଂ ତ୍ରିନାଥ ମହାପାତ୍ର ଆଦି ଅଭିଯୋଗ କରିଛନ୍ତି। ଚାଷୀମାନଙ୍କ ପକ୍ଷେ ଟଙ୍କା ଶୁଝିବା ଅସମ୍ଭବ ହେବାରୁ ବ୍ୟାଙ୍କ କୋର୍ଟର ଆଶ୍ରୟ ନେଇ ଚାଷୀଙ୍କୁ ନୋଟିସ୍‌ ପରେ ନୋଟିସ ଦେଉଥିବା ଚାଷୀ କହିଛନ୍ତି। ଏପଟେ କଂପାନୀ ଟଙ୍କା ନେଇ ଚାଲିଯିବାରୁ ଟଙ୍କା କେବେ ପାଇବେ ଏବଂ ଋଣ ଭାରରୁ କିଭଳି ମୁକୁଳିବେ ସେହି ଚିନ୍ତାରେ ଚାଷୀମାନେ ଅଛନ୍ତି। ଚାଷୀମାନେ ଏତେ ଝଡ଼ଝଞ୍ଜା ଦେଇ ଗତି କରୁଥିଲା ବେଳେ ପ୍ରଶାସନର ନିଘା ନଥିବା ଦେଖିବାକୁ ମିଳିଛି। ଚିନି କଂପାନିକୁ ଚାଷୀ ଆଖୁ ଦେଇ ୫ ବର୍ଷରୁ ଊର୍ଦ୍ଧ୍ବ ହେବ ଅପେକ୍ଷା କରି ରହିଛନ୍ତି। ଚାଷୀମାନଙ୍କ ପ୍ରତି ଅବହେଳାକୁ ନେଇ ଜିଲ୍ଲା ପ୍ରଶାସନ କିମ୍ବା କୌଣସି ରାଜନୈତିକ ଦଳ ମୁଣ୍ତ ଖେଳାଉ ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର