ଚିନିକଳ ବନ୍ଦ ଯୋଗୁ କ୍ଷେତରେ ପଡ଼ିଛି ୨ହଜାର ଟନ୍ ଆଖୁ, ଚିନ୍ତାରେ ଚାଷୀ

ଯାଜପୁର: କ‌ରୋନା ପ୍ରଭାଛବରେ ସାରା ବିଶ୍ବର ଅର୍ଥନୀତି ପ୍ରଭାବିତ ହେଉଥିବା ବେଳେ ଯାଜପୁରର ଆଖୁ ଚାଷୀ ଏବେ ଏକ ବଡ କ୍ଷତିକୁ ସାମ୍ନା କରିବାକୁ ଯାଉଛନ୍ତି। ଆଖୁ ଚାଷରେ ଓଡ଼ିଶାର ଏକ ଅଗ୍ରଣୀ ଜିଲ୍ଲା ଭାବେ ଯାଜପୁରର ନାମ ରହିଛି। କିନ୍ତୁ କରୋନାର ପ୍ରଭାବ ଜିଲ୍ଲାରେ ଆଖୁ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ଯାଜପୁର ଜିଲ୍ଲା ବରୀ ଡିଭିଜନ କୁଝାଲା ସେକ୍ସନ ଅଧିନରେ ଥିବା ୩ଶହରୁ ଅଧିକ ଆଖୁ ଚାଷୀ ଚଳିତ ବର୍ଷ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କର ଆଖୁ ଚାଷ ହିଁ ମୁଖ୍ୟ ଜୀବିକା ହୋଇଥାଏ। ଏହାରି ଲାଭରେ ହିଁ ଚାଷୀ ପରିବାର ପ୍ରତି‌ ପୋଷଣ କରନ୍ତି। କିନ୍ତୁ ଚଳିତ ବର୍ଷ କାରଖାନା ବନ୍ଦ ଯୋଗୁ ବିଲରେ ଟନ ଟନ ଆଖୁ ନଷ୍ଟ ହେବାକୁ ଲାଗିଲାଣି। ଖରା ବଢିଲେ କ୍ଷେତରେ ପଡିଥିବା ଆଖୁ ନଷ୍ଟ ହେବାର ପରିସ୍ଥିତି ସୃଷ୍ଟି ହେବ, ଯାହାକୁ ଚିନ୍ତା କରି ଚାଷୀକୁ ଆଉ ନିଦ ହେଉନି।

ସୂଚନା ଅନୁସାରେ, ଯାଜପୁର ବ୍ଲକର ଜମଧର ଅଞ୍ଚଳରେ ୩ଶହରୁ ଉର୍ଦ୍ଧ୍ବ ଚାଷୀ ପାଖାପାଖି ୫ଶହ ଏକର ଜମିରେ ପ୍ରତିବର୍ଷ ଆଖୁ ଚାଷ କରି ଜୀବିକା ନିର୍ବାହ କରନ୍ତି। ପ୍ରତିବର୍ଷ ନଭେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଆଖୁ ଅମଳ ହେବା ସହ ନୂଆ ଆଖୁ ଚାଷ କରାଯାଇଥାଏ। । ଏହି ଅଞ୍ଚଳର ଅମଳ ଚାଷକୁ ଢ଼େଙ୍କାନାଳର ଶକ୍ତି ଚିନି କାରଖାନା (ସୁଗାର କଳ) କ୍ରୟ କରିଥାଏ। ଏହି ସମୟରେ ଶହଶହ ଟ୍ରକ ଜରିଆରେ ଆଖୁ ଢ଼େଙ୍କାନାଳର କାରଖାନାକୁ ପରିବହନ ହୋଇଥାଏ। କିନ୍ତୁ ଚଳିତ ବର୍ଷ କାରଖାନାରେ ଉତ୍ପାଦନ ବନ୍ଦ ‌ ଯୋଗୁ ଆଖୁ ପରିବହନ ଠପ୍ ହୋଇଛି। ଫଳରେ ଟନ୍ ଟନ୍ ଆଖୁ କ୍ଷେତରେ ନଷ୍ଟ ହେଉଛି। ସମଗ୍ର ଅଞ୍ଚଳରେ ପ୍ରାୟ ୨ହଜାର ଟନ୍ ଆଖୁ ଉତ୍ପାଦନ ହୋଇଥିବା ବେଳେ ୫ ଶହ ଟନ୍ ଆଖୁ କଟାଯାଇ ବିଲରେ ପଡ଼ିଛି। ଅବଶିଷ୍ଟ ୧୫ଶହ ଟନ୍ ଆଖୁ କ୍ଷେତରେ ବଢ଼ୁଛି। କରୋନା କଟକଣା ଯୋଗୁ ଆଖୁ ବିକ୍ରୟ ବନ୍ଦ ସହ ଶ୍ରମିକ ମିଳୁନଥିବାରୁ ଆଖୁ କଟା ଯାଇପାରୁନାହିଁ। ଯଦି ଏପରି ପରିସ୍ଥିତି ଲାଗି ରହେ ତେବେ ୨ ବର୍ଷ ଯାଏଁ ଚାଷୀ ଚାଷ ବନ୍ଦ କରିବାକୁ ବାଧ୍ୟ ହେବେ। କାରଣ ଏହି ଆଖୁ ଗଛ କ୍ଷେତରେ ପଚି ନଷ୍ଟହେବାକୁ ଦୁଇ ବର୍ଷ ଲାଗିବ। ଏହା ପଚିବା ପରେ ଯାଇଁ ଚାଷ ସମ୍ଭବ ହୋଇପାରିବ।

ଏହାରି ଭିତରେ ଚାଷୀ ନିଜର ଋଣ ସୁଖିବା ଚିନ୍ତାରେ ପଡ଼ିଛନ୍ତି। କାରଣ ଆଖୁ ଚାଷ ପାଇଁ ସରକାରୀ ଋଣର ବ୍ୟବସ୍ଥା ଥିବା ବେଳେ ଚାଷୀମାନେ ଏକର ପିଛା ୨୫ ହଜାର ଟଙ୍କାର ଋଣ ନେଇ ଚାଷକରିଥାନ୍ତି। ଅପରପକ୍ଷେ ଅଧିକାଂଶ ଭାଗ ଚାଷୀ ହୋଇଥିବାରୁ ସେ ଅନ୍ୟର ଜମିକୁ ବଖରା ନେଇ ଆଖୁ ଚାଷ କରି ଜମି ମାଲିକକୁ ଭଡ଼ା ଦେଇଥାନ୍ତି। କିନ୍ତୁ ଚଳିତ ବର୍ଷ ଗାଡ଼ିଟିଏ ବି ଆଖୁ କ୍ଷେତରୁ ନ ଉଠି ଥିବାରୁ କିପରି ବ୍ୟାଙ୍କ ଋଣ ଏବଂ ଜମି ମାଲିକ ଭଡ଼ା ଦେ‌ବେ ସେ ନେଇ ଚାଷୀ ଭାଙ୍ଗି ପଡ଼ିଲେଣି। ଆଖୁ ଚାଷ ହିଁ ଉକ୍ତ ଅଞ୍ଚଳର ମୁଖ୍ୟ ଜୀବିକା ହୋଇଥିବା ବେଳେ କିଏ ୫ ଏକର ତ କିଏ ୨୫ ଏକର ଆଖୁ ଚାଷ କରି ବର୍ଷକ ପାଇଁ ପରିବାର ପେଟକୁ ଦାନା ଦେଇଥାନ୍ତି। କାରଖାନା ବନ୍ଦ, ଶ୍ରମିକ ଅଭାବ ଯୋଗୁ ଚଳିତ ବର୍ଷର ଆଖୁ ନଷ୍ଟ ହୋଇଯିବ ବୋଲି ଚାଷୀ ଆଶଙ୍କା କରିଛନ୍ତି।

ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଶହଶହ ଆଖୁ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ଶକ୍ତି ସୁଗାର ମିଲ୍ ଖୋଲିବାକୁ ନିର୍ଦେଶ ଦେଲେ ଚାଷୀମାନେ ନିଜର ଚାଷର ମୂଲ୍ୟ ପାଇ ପାରିବେ ବୋଲି ରବି ନାରାୟଣ ପଟ୍ଟନାୟକ, ରାମଚନ୍ଦ୍ର ସାହୁ, ଏସକେ ଗୋଫରାନ୍, ମୀରଜା ଅନଜାରୁଲ୍ ଇସଲାମ୍, ଚିନ୍ମୟ ପଣ୍ଡା,ଲକ୍ଷ୍ମଣ ଦାସ, ଆନନ୍ଦ ଦାସ,ଦିଲିପ ପୃଷ୍ଟି,ରାଧାଶ୍ୟାମ ଦାସ,ଋଷି ମାଝି ପ୍ରମୁଖ ଶତାଧିକ ଚାଷୀ ଦାବି କରିଛନ୍ତି। ତେବେ ଏନେଇ ଶକ୍ତି ସୁଗାର କାରଖାନାର ଫିଲଡ୍ ଅଫିସର ବୈଦ୍ୟନାଥ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର