ପାଟପୁର: ସାନଖେମୁଣ୍ଡି ବ୍ଲକ୍ ଦ୍ବିତୀୟ ଢେପାଗୁଡ଼ା, ଜିଉରା ଓ ସୁମନ୍ତପୁର ନିକଟରେ ୭ଟିକିଆ ହାତୀପଲ ମାତିଛନ୍ତି। ଗତକାଲି ରାତିରେ ଏକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ଆଖୁ ଓ ଧାନ ଫସଲ ନଷ୍ଟ କରିଛନ୍ତି। ନରସିଂହଗଡ଼ ଓ ଗଙ୍ଗାପୁର ଗ୍ରାମର ୧୫ରୁ ଅଧିକ ଚାଷୀଙ୍କ ଧାନ, ଆଖୁ ଓ ପନିପରିବା ଚାଷ ନଷ୍ଟ କରିଥିବାରୁ ସହାୟତା ଓ କ୍ଷତିପୂରଣ ପାଇଁ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଆଜି ନରସିଂହଗଡ଼ ନିକଟ ପଡ଼ିଆରେ ହାତୀପଲଙ୍କ ଗତିବିଧି ଜାରି ରହିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି। ଦିଗପହଣ୍ଡି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ଓ ପାଟପୁର ଫରେଷ୍ଟଗାର୍ଡ ପହଞ୍ଚି ଗ୍ରାମବାସୀଙ୍କ ସହ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରିଛନ୍ତି। ଗତ ବୁଧବାରରୁ ଏହି ହାତୀପଲ ଏସ୍.ରଘୁନାଥପୁର ନିକଟ ପାହାଡ଼ରେ ଥିଲେ। ଗତକାଲି ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛନ୍ତି।