ବର୍ଷାର ମୁକାବିଲା ପାଇଁ ଚାଷୀଙ୍କୁ ପରାମର୍ଶ

ଭୁବନେଶ୍ବର : ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କୁହାଯାଇଛି ଯେ ୨୩ରୁ ୨୫ ତାରିଖ ଯାଏ ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଖୋର୍ଧା, ନବରଙ୍ଗପୁର, କଟକ, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଚାଷୀମାନେ ପାଚି ଯାଇଥିବା ସଅଳ ଓ ମଧ୍ୟମ କିସମ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ। ଧାନଜମିରୁ ବଳକା ପାଣି ବାହାରି ଯିବା ପାଇଁ କର ନାଳୀ କରନ୍ତୁ। ନାଳୀ ମୁହଁ ଖୋଲା ରଖନ୍ତୁ। ବର୍ଷା ଛାଡ଼ିଗଲା ପରେ ପଡ଼ିଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରାଇ ଦିଅନ୍ତୁ। ପାଣି ଛାଡ଼ିଗଲା ପରେ ଧାନ, ପନିପରିବା ଓ ଡାଲିଜାତୀୟ ଫସଲରେ କେତେକ ରୋଗ ପୋକ ଲାଗିବାର ସମ୍ଭାବନା ରହିଛି। ତେଣୁ ଏହି ସମ୍ଭାବ୍ୟ ରୋଗ ପୋକ ସମସ୍ୟା ଓ ଏହାର ପରିଚାଳନା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଏହି ସମୟରେ ଧାନରେ ମାଟିଆଗୁଣ୍ଡି ପୋକ, କେଣ୍ଡାକଟା ପୋକ, ଗନ୍ଧିପୋକ, କେଣ୍ଡା ଅଷ୍ଟପଦୀ, ବେକ ମହିଷା/କେଣ୍ଡା ମହିଷା ରୋଗ, ପତ୍ରାଚ୍ଛାଦ ସଢ଼ା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ ଲାଗିବାର ସମ୍ଭାବନା ରହିଛି। କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ସିଞ୍ଚନ କରନ୍ତୁ। ପନିପରିବା ଓ ଡାଲିଜାତୀୟ ଫସଲରେ ଜଉପୋକ, ପାଉଁଶିଆ ରୋଗ, ଝାଉଁଳା ରୋଗ ହେବାର ଆଶଙ୍କା ଅଧିକ। ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀମାନଙ୍କୁ କୁହାଯାଇଛି। ଶୀତଦିନିଆ ପନିପରିବା ପାଇଁ ତଳିଘରାରେ ତଳି ରହିଥିଲେ ଜଳ ନିଷ୍କାସନ କରିବା ବ୍ୟବସ୍ଥା କରନ୍ତୁ। ଗଛଗୁଡ଼ିକ ଉପରେ ଅଧିକ ପାଣି ନ ପଡ଼ିବା ପାଇଁ ଛାମୁଣ୍ଡିଆ ତିଆରି କରିଦିଅନ୍ତୁ। ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର