ପୁରୀ: ଜଳ ଘେରରେ ସୁଗ୍ରୀବ ମହାବୀର ମନ୍ଦିର। ବର୍ଷାରେ ସହର ତଳି ଅଞ୍ଚଳ ସହ ବୁଡ଼ି ରହିଛି ଏହି ମନ୍ଦିର। ପାଣି ଘେରରେ ରହିଛି ମନ୍ଦିର ସମ୍ମୁଖ ଦୟଣା ପିଣ୍ଡି। ଶ୍ରୀଦାଣ୍ଡ ନିର୍ମାଣ ପରେ ଏହି ସମସ୍ୟା ପିଛା ଛାଡ଼ୁନାହିଁ। ବର୍ଷା ଋତୁ ଆସିଲେ ସୁଗ୍ରୀବ ମନ୍ଦିର ସମେତ ମହାପ୍ରଭୁଙ୍କ ଦୟଣା ଚୋରି ନୀତି ଅନୁଷ୍ଠିତ ହେଉଥିବା ପିଣ୍ଡି ପାଣିରେ ବୁଡ଼ି ରହିବା ଋତୁ ଭିତ୍ତିକ ସମସ୍ୟାରେ ପରିଣତ ହୋଇଛି।

Advertisment

ଜଗନ୍ନାଥ ବଲ୍ଲଭ ମଠ ବିଜେସ୍ଥଳୀରେ ଥିବା ମନ୍ଦିରରେ ଠାକୁରମାନଙ୍କ ବ୍ୟତୀତ ମଠର ଉଦ୍ୟାନ ଭିତରେ ୫ଟି ମନ୍ଦିର ରହିଛି। ହନୁମାନଙ୍କ ବ୍ୟତୀତ ସୁଗ୍ରୀବ, ଗୁମ୍ଫା ମହାବୀର, ସୁପାରି ହନୁମାନ ମଧ୍ୟ ପୂଜା ପାଉଛନ୍ତି। ଶ୍ରୀକ୍ଷେତ୍ରର ଏହି ସଂସ୍କୃତି ସମଗ୍ର ରାଜ୍ୟରେ ବିରଳ। ମାତ୍ର ସୁଗ୍ରୀବଙ୍କ ମନ୍ଦିରକୁ ଆଜିଯାଏ ଉନ୍ନତି କରିବା ନେଇ ସେପରି ପଦେକ୍ଷପ ନିଆଯାଇନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେବେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସର୍ଟକଟ୍‌ ମାର୍ଗ ନିର୍ମାଣ ହେଲା, ସୁଗ୍ରୀବ ମହାବୀରଙ୍କ ମନ୍ଦିର ଶ୍ରୀଦାଣ୍ଡର ଡାହାଣ ପାର୍ଶ୍ବରେ ରହିଗଲା। ରାସ୍ତା ଉଚ୍ଚା କରିବା ପରେ ମହାବୀରଙ୍କ ମନ୍ଦିର ଖାଲୁଆ ହୋଇଗଲା। ତେଣୁ ବର୍ଷା ହେଲେ ସୁଗ୍ରୀବର ମହାବୀରଙ୍କ ମନ୍ଦିର ଚତୁଃପାର୍ଶ୍ବ ଜଳମଗ୍ନ ହୋଇଯାଏ। କେବଳ ସେତିକି ନୁହେଁ ଖୋଲା ସ୍ଥାନ ହୋଇଥିବାରୁ ନଳା ଓ ଯାବତୀୟ ଆବର୍ଜନା ପାଣି ଆସି ଜମା ହୋଇ ରୁହେ। ତେଣୁ ଭକ୍ତଟିଏ ଚାହିଁଲେ ମଧ୍ୟ ମନ୍ଦିରକୁ ଯାଇ ଦର୍ଶନ କରିବା ମାସମାସ ଧରି ସମ୍ଭବ ହୁଏ ନାହିଁ।

ସୁଗ୍ରୀବ ତଥା ବଡ଼ ମହାବୀରଙ୍କୁ ଏଠାରେ ଭିନ୍ନ ଅବତାରରେ ଦର୍ଶନ କରିବାର ସୁଯୋଗ ମିଳେ। ଡାହାଣ ହାତରେ ପର୍ବତ, ବାମ ହାତରେ ଗଦା ଏବଂ ମୁହଁ ଓ ପାଦ ବାମ ପଟକୁ ରହିଥାଏ। ମହାବୀରଙ୍କ ବାମ ପାର୍ଶ୍ବରେ ଅଞ୍ଜନା ଦେବୀଙ୍କ ମନ୍ଦିର ଏବଂ ଅଞ୍ଜନା ଦେବୀଙ୍କ ଡାହାଣ ପାର୍ଶ୍ବରେ ବଲ୍ଲଭେଶ୍ବର ମହାଦେବ ପୂଜା ପାଉଛନ୍ତି। ଉଦ୍ୟାନର ବାମ ପାର୍ଶ୍ବରେ ଗୁଆବାଡ଼ି ବା ସୁପାରି ହନୁମାନ ରହିଛନ୍ତି। ପ୍ରତ୍ୟେକ ମନ୍ଦିରର ଭିନ୍ନଭିନ୍ନ କିମ୍ବଦନ୍ତୀ ରହିଛି। ମାତ୍ର ଶହଶହ କୋଟି ଟଙ୍କାରେ ଏହି ନୂଆ ମାର୍ଗ ଓ ପ୍ରମୋଦ ଉଦ୍ୟାନ ପରିସରର ଉନ୍ନତି କରାଯାଇଥିଲେ ହେଁ ଆଜିଯାଏ ବଲ୍ଲଭ ପରିସରରେ ଥିବା ମନ୍ଦିରର ଉନ୍ନତି ନେଇ ସରକାର କିମ୍ବା ପ୍ରଶାସନ ଗୁରୁତ୍ବ ଦେଇନାହିଁ।

ପବିତ୍ର ଅନଙ୍ଗ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ପାଳିତ ହୁଏ। ବିମାନବଡ଼ୁମାନେ ରାମକୃଷ୍ଣଙ୍କୁ ପାଲିଙ୍କିରେ ନେଇ ଜଗନ୍ନାଥ ବଲ୍ଲଭ ମଠକୁ ଆସନ୍ତି। ସେଠାରେ ରାମ ଓ କୃଷ୍ଣ ଉଦ୍ୟାନରେ ନିଶାର୍ଦ୍ଧରେ ଦୟଣା ଚୋରି କରିବାର ବିଧି ଏହି ସୁଗ୍ରୀବ ମହାବୀର ମନ୍ଦିର ସମ୍ମୁଖରେ ଥିବା ପିଣ୍ଡିରେ ପାଳିତ ହୁଏ। ଏହି ଦୟଣା ପିଣ୍ଡି ମଧ୍ୟ ଆବର୍ଜନା ପାଣିରେ ବୁଡ଼ି ରହିଛି। ମହାପ୍ରଭୁଙ୍କ ସହ ନୀତିକାନ୍ତିରେ ସମ୍ପର୍କରେ ବନ୍ଧା ଥିଲେ ହେଁ ପ୍ରଶାସନ ପକ୍ଷରୁ ଏହି କ୍ଷେତ୍ରର ଉନ୍ନତି ନେଇ ଆନ୍ତରିକତାର ନାହିଁ କି ଗୁରୁତ୍ବ ନାହିଁ।