ସରକାରୀ ସୁବିଧାରୁ ବଞ୍ଚିତ ଏସ୍‌ୟୁଏଚ୍‌ ଅନ୍ତେବାସୀ: ପୌରାଧିକାରୀଙ୍କୁ ଚିଠି ଲେଖିଲା ସୁଡ଼ା

‘ଘରୋଇ ସ୍କୁଲରେ ଶିଶୁମାନଙ୍କୁ ପଢ଼ାଅ, ତିନିମାସରେ ରିପୋର୍ଟ ଦିଅ’

ଭୁବନେଶ୍ବର : ସହରାଞ୍ଚଳ ବାସହୀନ ରହଣୀସ୍ଥଳ(ଏସ୍‌ୟୁଏଚ୍‌)ରେ ରହୁଥିବା ଅନ୍ତେବାସୀମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେବା ପରେ ସରକାର ଚେତିଛନ୍ତି। ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ମହାନଗର ନିଗମ କମିସନର, ପୌରସଂସ୍ଥା ଓ ଏନ୍‌ଏସି ପୌରାଧିକାରୀମାନଙ୍କୁ ଚିଠି ଲେଖିଛି ସୁଡା(ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା)। କେବଳ ଅନ୍ତେବାସୀ ନୁହନ୍ତି, ବରଂ ତାଙ୍କ ସହ ରହୁଥିବା ତଥା ସ୍ବତନ୍ତ୍ର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଉପଯୁକ୍ତ ସରକାରୀ ସୁବିଧା ପ୍ରଦାନ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି ଲେଖିଛନ୍ତି। ସେହିଭଳି ଶିଶୁମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା।

କେନ୍ଦ୍ର ସରକାରଙ୍କ ଜାତୀୟ ସହରାଞ୍ଚଳ ଜୀବିକା ମିସନ୍‌ ଅଧୀନରେ ରାଜ୍ୟର ୨୩ ଜିଲ୍ଲାରେ ୪୩ଟି ଏସ୍‌ୟୁଏଚ୍‌ କାମ କରୁଛି। ସେଲ୍ଟର ମ୍ୟାନେଜ୍‌ମେଣ୍ଟ ଏଜେନ୍ସି (ଏସ୍‌ଏମ୍‌ଏ) ଜରିଆରେ ରାଜ୍ୟ ସରକାର ଏଗୁଡ଼ିକୁ ପରିଚାଳନା କରୁଛନ୍ତି। ଏଥିରେ ଶତାଧିକ ବାସହୀନ ରହୁଛନ୍ତି। ଅନେକଙ୍କର ଆଧାରକାର୍ଡ ନାହିଁ କିମ୍ବା ଭୋଟର୍‌ ପରିଚୟପତ୍ର ମଧ୍ୟ ନାହିଁ। ବ୍ୟାଙ୍କ୍‌ ଆକାଉଣ୍ଟ ମଧ୍ୟ ନ ଥିବାରୁ କେତେକ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ ମଧ୍ୟ ଏଭଳି ଜରୁରୀ କାଗଜପତ୍ର ଅଭାବରୁ ସେମାନେ ବଞ୍ଚିତ ହେଉଛନ୍ତି। ଏକାଧିକ ଅଭିଯୋଗ ଆସିବାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ତାଗିଦ୍‌ କରିବା ପରେ ସୁଡା ସମ୍ପୃକ୍ତ ପୌରାଧିକାରୀ ଓ କମିସନରଙ୍କୁ ଚିଠି ଲେଖିଛି। ଅନ୍ତେବାସୀମାନଙ୍କ ଏହି ସବୁ ଜରୁରୀ କାଗଜପତ୍ର ପ୍ରସ୍ତୁତ କରିବା ସହ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟର ପ୍ରଗତି ନେଇ ପ୍ରତି ୩ମାସରେ ଥରେ ସୁଡାକୁ ରିପୋର୍ଟ ଦେବାକୁ କୁହାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରି ସେମାନଙ୍କୁ ଯୋଜନାରେ ସାମିଲ କରିବାକୁ ନିଶ୍ଚିତ କରିବାକୁ କୁହାଯାଇଛି।

ସେହିଭଳି ଏହି ଅନ୍ତେବାସୀଙ୍କ ମଧ୍ୟରେ ଅନେକ ଶିଶୁ ରହୁଛନ୍ତି, ଯେଉଁମାନଙ୍କୁ ସ୍ବତନ୍ତ୍ର ଯତ୍ନ ଓ ସୁରକ୍ଷା ଆବଶ୍ୟକତା ରହିଛି। ସାଧାରଣ ଶିଶୁଙ୍କଠାରୁ ଏମାନ‌େ ଅବହେଳିତ ଅବସ୍ଥାରେ ରହିଛନ୍ତି। କେତେକଙ୍କର ମା’ ନଥିବା ବେଳେ କେତେକଙ୍କର ବାପା ନାହାନ୍ତି। କେତେକ ଜନ୍ମରୁ ସ୍କୁଲ ଯାଇ ନାହାନ୍ତି। ଅନ୍ୟାନ୍ୟ ସରକାରୀ ସୁବିଧାସୁଯୋଗରୁ ବଞ୍ଚିତ ଅଛନ୍ତି। ଏଣୁ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ସହ ଉପଯୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ କୁହାଯାଇଛି। ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତ୍ୟେକ ଘରୋଇ ଶିକ୍ଷାନୁଷ୍ଠାନ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍‌ ସଂରକ୍ଷିତ ରଖୁଛନ୍ତି। ଏହି ଶିଶୁମାନେ ସେଠାରେ କିଭଳି ନାମ ଲେଖାଇ ପାଠ ପଢ଼ିବେ, ସେ ନେଇ ନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ସୁଡା।

ସମ୍ବନ୍ଧିତ ଖବର