ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ ପତ୍ନୀକୁ ଶିଳପୁଆରେ ଛେଚି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ। ମୃତକ ହେଲେ ଜି. ମାଲେସୁଙ୍କ ଝିଅ ମୋନିକା ପାଇକ। ତେବେ ପତ୍ନୀକୁ ହତ୍ୟା କରିବା ପରେ ନିଜେ ସ୍ବାମୀ ନରେନ୍ଦ୍ର ପାଇକ ମଧ୍ୟ ଗ୍ରାମ ନିକଟ କାଜୁ ଜଙ୍ଗଲରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ନରେନ୍ଦ୍ର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ପତ୍ନୀଙ୍କ ପରକୀୟା ପ୍ରୀତି ରହିଥିବା ସନ୍ଦେହ କରୁଥିବା ଓ କାହାରିକୁ ଛାଡ଼ିବେ ନାହିଁ ବୋଲି କହିଥିଲେ। ତେଣୁ ପରକୀୟା ପ୍ରୀତି ସନ୍ଦେହରୁ ସ୍ବାମୀ ନରେନ୍ଦ୍ର ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରୁଛି।
ପୁଲିସ ଞ୍ଚି ମୋନିକାଙ୍କ ରକ୍ତ ଜୁଡୁବୁଡୁ ଶବ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏନେଇ କେସ୍ ନମ୍ବର ୩୮/୨୫ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ଖଣ୍ଡୁଆଳ ସୂଚନା ଦେଇଛନ୍ତି। ଅନ୍ୟପଟେ ନରେନ୍ଦ୍ର ହତ୍ୟାକାଣ୍ଡ ଘଟାଇବା ପରେ ନିଖୋଜ ଥିଲା। ହେଲେ ସନ୍ଧ୍ୟାରେ ଗାଁ ନିକଟ କାଜୁ ଜଙ୍ଗଲରେ ଶବ ଝୁଲୁଥିବା ପୁଲିସକୁ ଖବର ମିଳିଥିଲା। ରାତି ହୋଇଥିବାରୁ ଶବ ଉଦ୍ଧାର ହୋଇନି। ଆଜି ଭୋର୍ ପ୍ରାୟ ୩ଟା ସମୟରେ ନରେନ୍ଦ୍ର ସ୍ତ୍ରୀ ମୋନିକା ମୁଣ୍ଡକୁ ଏକ ଶିଳପୁଆରେ ଛେଚିବା ସହ ଛାତିରେ ଛୁରି ଭୁସି ଏବଂ ଗଳାକାଟି ଘଟଣାସ୍ଥଳରୁ ପଳାଇଥିଲା ବୋଲି ମା’ ଜି. ସରୋଜିନୀ କହିଛନ୍ତି।