ଟାହିଟାପରାରୁ ପୁଣି ଆତ୍ମହତ୍ୟା, ଲୋକଲଜ୍ଜା ସହିନପାରି ବିଷ ପିଇଲେ ଯୁବତୀ

ଥାନାରେ ଅଟକ ରହିବାରୁ ଛିଗୁଲେଇଲେ ଲୋକେ, ପୂର୍ବରୁ ଭଦ୍ରକରେ ଟାହିଟାପରାରୁ ଦମ୍ପତି ଆତ୍ମହତ୍ୟା କରିଥିଲେ

କୋଷାଗୁମୁଡା : ଟାହିଟାପରା କିଭଳି ସାଂଘାତିକ ପରିସ୍ଥିତି ସୃଷ୍ଟିକରେ, କିଛିଦିନ ତଳେ ଭଦ୍ରକରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ିଥିଲା। ଏବେ ସମାନଧରଣର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍‌ରେ। ଜଣେ ଯୁବତୀ ବିଷପିଇ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ‌ କୋଷାଗୁମୁଡ଼ା ବ୍ଲକ୍‌ ଟେମରା ପଞ୍ଚାୟତ ଅନ୍ତର୍ଗତ ବେଲପୁଟି ଗାଁର ନବୀନା ପୂଜାରୀ (୨୨ବର୍ଷ) ଏବଂ ଅନ୍ୟ ଜଣେ ଯୁବତୀ ସଂପର୍କୀୟଙ୍କ ସହ ପଣ୍ଡୁଗୁଡ଼ା ଗାଁକୁ ଯାଉଥିଲେ। ତେବେ, ସନ୍ତୋଷପୁର ନିକଟରେ ରାତ୍ରି ପାଟ୍ରୋଲିଂରେ ଥିବା କୋଷାଗୁମୁଡ଼ା ପୁଲିସ ସେମାନଙ୍କୁ ରାସ୍ତାରେ ଅଟକାଇଥିଲା। ରାତି ପ୍ରାୟ ୧୦ଟାରେ ଥାନାକୁ ନେଇ ଅଟକ ରଖିଥିଲା। ଏହି ଖବର ପାଇ ରାତି ପ୍ରାୟ ୩ଟାରେ ନବୀନାଙ୍କ ମାମୁ ଏବଂ ଅନ୍ୟ ଜଣେ ଯୁବତୀଙ୍କ ଦାଦା ଥାନାରେ ପହଞ୍ଚିଥିଲେ। ପରିବାର ସଦସ୍ୟ ଥାନାରେ ପହଞ୍ଚିବାରୁ ପୁଲିସ ଉଭୟ ଯୁବତୀଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ଏହି ଘଟଣା ସଂପର୍କରେ ଗାଁର କିଛିଜଣ ଜାଣିବା ପରେ ନବୀନାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଲେ। କଟୁ କଥା କହି ସମସ୍ତଙ୍କ ସାମ୍ନାରେ ଅପମାନିତ କରିଥିଲେ। ପରିସ୍ଥିତି ଏମିତି ହେଲା ଯେ ନବୀନା ଘରୁ ବାହାରି ପାରିଲେ ନାହିଁ। ଲୋକେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କରିବାରୁ ଧୀରେଧରେରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ସାରା ଜୀବନ ଲୋକଙ୍କ କଥା ସହିବା ବଦଳରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ରବିବାର ଅପରାହ୍ନ ପ୍ରାୟ ଦୁଇଟାରେ ହଠାତ୍‌ ନବୀନାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ବେଳେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପରିବାର ଲୋକ କ’ଣ ହୋଇଛି ଜାଣିବାବେଳକୁ ସେ କୀଟନାଶକ ପିଇ ସାରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ଏଠାରେ ଉଲ୍ଲେଖ‌ଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ପଞ୍ଚାୟତରେ ନିର୍ବାଚନରେ ହାରିଯିବାରୁ ପ୍ରତିପକ୍ଷ ଦଳ ପରାଜିତ ପ୍ରାର୍ଥିନୀଙ୍କ ସ୍ବାମୀଙ୍କୁ ଟାହିଟାପରା କଲେ। ଗାଁଦାଣ୍ଡରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଗଳାଧକ୍କା ବି ମାରିଲେ। ଅପମାନ ସହି ପାରିଲେନି ସ୍ବାମୀ। ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ବାମୀଙ୍କ ଅବସ୍ଥା ଦେଖି ପତ୍ନୀ ବି ବିଷ ପିଇ ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଥିଲେ। ଗତ ୨୨ ତାରିଖରେ ସ୍ବାମୀଙ୍କ ଦଶାହରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର