ଭୁବନେଶ୍ବର: ଅନ୍‌ଲାଇନ୍‌ ଗେମ୍‌ ଖେଳିବା ବେଶ୍‌ ବିପଜ୍ଜନକ ହୋଇଥିଲେ ହେଁ ଆଜିକାଲିର ଯୁବପିଢ଼ି ସେଥିପ୍ରତି ବେଶି ଆଗ୍ରହ ଦେଖାଉଥିବା ପରିଲକ୍ଷିତ ହେଉଛି। ଏହି ଅତ୍ୟାଧୁନିକ ଜୁଆଖେଳକୁ ନେଇ ଆଜି ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୨୩ ବର୍ଷୀୟ ଯୁବକ ଏହି ଖେଳରେ ୭ଲକ୍ଷ ଟଙ୍କା ହରାଇବା ପରେ ନିଜ ଜୀବନ ହାରିଦେଇଛନ୍ତି। ମୃତ ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଚମ୍ପାପୋଖରୀ ଅଞ୍ଚଳରେ ରହୁଥିବା ବିରଞ୍ଚି ନାୟକଙ୍କ ପୁଅ ବିକାଶ। ଧାରକରଜ ଶୁଝିବା ପରିସ୍ଥିତି ନଥିବାରୁ ମାନସିକ ଭାରସାମ୍ୟ ହରାଇ ବିକାଶ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିକାଶ ଏକ ଘରୋଇ ସଂସ୍ଥାରେ ପାଥୋଲୋଜି ଟେକ୍‌ନିସିଆନ୍‌ ଭାବେ କାମ କରୁଥିଲେ। କିନ୍ତୁ ସେ ଅଧିକ ଅର୍ଥ ଉପାର୍ଜନ ଲକ୍ଷ୍ୟରେ ଅନ୍‌ଲାଇନ୍‌ ଗେମ୍‌ରେ ମୁଣ୍ଡ ପୂରାଇଥିଲେ। ନିଜ ପାଖରେ ଥିବା ସମସ୍ତ ସଂଚିତ ଅର୍ଥ ହରାଇବା ସତ୍ତ୍ବେ ସେ ଏହି ଖେଳ ଛାଡ଼ିପାରି ନଥିଲେ। ବରଂ ଅନ୍‌ଲାଇନ୍‌ ଗେମ୍‌ ନିଶା ତାଙ୍କୁ ବେଶି ବେଶି ଘାରିଥିଲା। 

Advertisment

ତେଣୁ ସେ ଧାରକରଜ କରିବା ଆରମ୍ଭ କରିଦେଲେ ଏବଂ ଏମିତିରେ ୩ ଲକ୍ଷ ଟଙ୍କା ହରାଇଥିଲେ। କରଜଦାତାମାନେ ବିକାଶଙ୍କୁ ବାରମ୍ବାର ଟଙ୍କା ମାଗିବାରୁ କଥା ପରିବାର ଲୋକଙ୍କ କାନକୁ ଆସିଲା। ବିକାଶଙ୍କ ମା ମରିପଡ଼ି କରଜ ଟଙ୍କା ଶୁଝିବେ ବୋଲି ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଆଉ ଏହି ଗେମ୍‌ ନ ଖେଳିବାକୁ ବିକାଶକୁ ତାଗିଦ କରିଥିଲେ। କିନ୍ତୁ କିଛି ଦିନ ପରେ ବିକାଶ ପୁଣି ଏହି ଜୁଆଖେଳରେ ମାତିଲେ ଏବଂ କରଜ କରିଥିବା ୪ଲକ୍ଷ ଟଙ୍କା ବୁଡ଼ିଗଲା। କଥା ଲୁଚି ରହିଲା ନାହିଁ। ଏହାପରଠୁ ବିକାଶଙ୍କ ମାନସିକ ଅବସ୍ଥା ବିଗିଡ଼ିବାରେ ଲାଗିଲା। ସେ ବହୁ ସମୟରେ ନିରବ ରହୁଥିଲେ। ଆଜି ଘରେ କେହି ନଥିବା ବେଳେ ସେ ଫ୍ୟାନ୍‌ରେ ଝୁଲିପଡ଼ିଥିଲେ। କୌଣସି କାମରେ ବାହାରେ ଥିବା ବିକାଶଙ୍କ ମା ବାରମ୍ବାର ଫୋନ୍‌ କରିଥିଲେ ହେଁ ସେ ଜବାବ ଦେଇ ନଥିଲେ। ତେଣୁ ବିକାଶଙ୍କ ମା ଜଣେ ପଡ଼ୋଶୀଙ୍କୁ ଘଟଣା କ’ଣ ବୁଝିବାକୁ ଫୋନ୍‌ କରିଥିଲେ। ପଡ଼ୋଶୀଜଣକ ବିକାଶଙ୍କ ଘରକୁ ଯାଇ ଝରକା ବାଟେ ଏହି ଅଘଟଣ ଦେଖି ନିର୍ବାକ୍‌ ହୋଇଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଅଞ୍ଚଳରେ ହୁରି ପଡ଼ିଯାଇଥିଲା। ବିକାଶଙ୍କ ମା ଆସିବା ପରେପରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚିଥିଲା ଏବଂ ମୃତଦେହ ଜବତ କରାଯାଇଥିଲା। ପୁଲିସ ବିକାଶଙ୍କ ମୋବାଇଲ୍‌ ଫୋନ୍‌ ଜବତ କରି ଅଧିକ ଖୋଳତାଡ଼ ଚଳାଇଛି।

dsdsxc

ଜଳେଶ୍ୱର: ଅନ୍‌ଲାଇନ୍‌ ଗେମ୍‌ ଖେଳି ୫ ଲକ୍ଷ ଟଙ୍କା ହରାଇବାରୁ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଚମାରଗାଁ ପଞ୍ଚାୟତ ତେଘରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ ସର୍ବଜିତ(୪୪)। ସେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସର୍ବଜିତ ଚେନ୍ନାଇସ୍ଥିତ ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ। ୧୦ ବର୍ଷ ହେଲା ଚାକିରି ଛାଡ଼ି ଗାଁରେ ଟ୍ୟୁସନ୍‌ ପଢ଼ାଇ ଚଳୁଥିଲେ।

କିଛିଦିନ ହେଲା ସେ ଅଧିକ ରୋଜଗାର ନିଶାରେ ଅନ୍‌ଲାଇନ୍‌ ଗେମ୍‌ ଖେଳୁଛନ୍ତି। ସର୍ବଜିତ ଜୁପି ଅନ୍‌ଲାଇନ୍‌ ଗେମ୍‌ ଖେଳି ପ୍ରଥମେ ୨୦ ହଜାର ଟଙ୍କା ହରାଇଥିଲେ। ସେହି କ୍ଷତି ଭରଣା କରିବା ଲୋଭରେ ବାରମ୍ବାର ଖେଳି ପାଖାପାଖି ୫ ଲକ୍ଷ ଟଙ୍କା ହରାଇ ସାରିଲେଣି। ଆଜି ସକାଳେ ସେ ବିଚଳିତ ହୋଇ ନିଜ ତଣ୍ଟି ଓ ବାମ ହାତର ଶିରାକୁ ବ୍ଲେଡ୍‌ରେ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲ ଓ ସେଠାରୁ ଫକୀରମୋହନ ମେଡିକାଲ କଲେଜ ହସ୍‌‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସର୍ବଜିତ ବିବାହିତ; ୮ ବର୍ଷ ହେଲା ତାଙ୍କ ପତ୍ନୀ ଓ ୭ ବର୍ଷର ଝିଅ ଅଲଗା ରହୁଛନ୍ତି।