ମହାନଦୀ ସେତୁରୁ ଦୁଇ ପ୍ରତାରିତ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପ୍ରତାରକ ଯୁବକ ଦ୍ବୟ ବାହା ନହେଲେ ପୁଣି ଆତ୍ମହତ୍ୟା କରିବୁ

ସମ୍ବଲପୁର : ସ୍ବାମୀଙ୍କ ପରିବାର ଏବେ ମୋତେ ଜୀବନରୁ ମାରିବା ଓ ଦୁଷ୍କର୍ମ କରିବା ଭଳି ଧମକି ଦେଉଛନ୍ତି। ମୁଁ ଏବେ ଗର୍ଭବତୀ ଅଛି, ମୋ ସ୍ବାମୀଙ୍କୁ ପୁଲିସ ଗିରଫ କରିଛି। ଆଉ ଜୀବନ ରଖି ଲାଭ କଣ? ମୋତେ ପ୍ରଥମେ ସ୍ବାମୀଙ୍କ ଠାରୁ ଦୂରେଇ ଦେଇ ବିବାହ କଲେ। ପରେ ଅଧା ବାଟରେ ଛାଡ଼ି ଦେଇ ଅନ୍ୟ ଜଣଙ୍କୁ ବିବାହ କରି ମୋ ପାଖରୁ ଦୂରେଇ ଗଲେ। ଏଭଳି ଅଭିଯୋଗ ଆଣିବା ସହ ଆତ୍ମହତ୍ୟା କରିବା ପାଇଁ ମହାନଦୀ ପୋଲ ଉପରକୁ ଚାଲି ଆସିଥିଲେ ଜଣେ ମହିଳା। ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ପୋଲ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ତାଙ୍କ ଅଭିଯୋଗ ଥିଲା, ସେ ଜାତିରେ ବ୍ରାହ୍ମଣ ହୋଇଥିଲେ ବି ଅନ୍ୟ ଧର୍ମର ପିଲାକୁ ଭଲ ପାଇ ବିବାହ କରିଥିଲେ। ଆଜି କିନ୍ତୁ ଅସହାୟ। ଘରୁ ଟଙ୍କା ଆଣିଲେ ତତେ ରଖିବୁ ବୋଲି ପୁଅ ଘର ଦାବି କରୁଥିବା ବେଳେ ବାପା କହୁଛନ୍ତି ତୁ’ ଅନ୍ୟ ଧର୍ମରେ ବିବାହ କଲୁ, ମୁଁ ଟଙ୍କାଟେ ଦେବିନି। ଏହାପରେ ମହିଳାଙ୍କ ସ୍ବାମୀ ଓ ତାଙ୍କ ପରିବାର ନିର୍ଯାତନା ଦେବା ଆରମ୍ଭ କରିଦେଲେ। ଛାଡ଼ପତ୍ର ପାଇଁ ପେପର୍‌ରେ ଦସ୍ତଖତ କରିବାକୁ କହିଲେ। ନ ମାନିବାରୁ ମାର୍‌ପିଟ୍ କରିବା ସହ କୋରେକ୍ସ ପିଆଇ ଛାଡ଼ି ଦେଲେ। ଏହାପରେ କୌଣସି ଉପାୟ ନପାଇ ମହିଳା ଜଣକ ଅନ୍ୟ ମହିଳାଙ୍କ ସହ ମିଶି ଆତ୍ମହତ୍ୟା କରିବା ପାଇଁ ଶୁକ୍ରବାର ସନ୍ଧ୍ୟା ୫ଟା ୪୫ ବେଳକୁ ମହାନଦୀ ଚାଉଁରପୁର ସେତୁ ଉପରକୁ ଚଢ଼ି ଯାଇଥିଲେ। କିଛି ସାମ୍ବାଦିକ ଏହା ଦେଖିବା ପରେ ଉଭୟଙ୍କୁ ବୁଝାସୁଝା କରି ପୁଲିସର ଜିମା ଦେଇଥିଲେ। ପୁଲିସ୍‌ ସେମାନଙ୍କୁ ସଖୀ ୱାନ୍‌ ଷ୍ଟପ୍ ସେଣ୍ଟର୍‌ରେ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ମହିଳା ଜଣକର ଏଫ୍‌ସିଆଇ ଅଧିକାରୀ ପ୍ରବୀଣ କୁମାର (୩୨)ଙ୍କ ସହ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ମହିଳା ଜଣକ ତାଙ୍କୁ ବିବାହ କରିପାରି ନଥିଲେ। ଅନ୍ୟ ଜଣଙ୍କୁ ବିବାହ କରିବା ପରେ ତାଙ୍କର ଏକ ଝିଅ ହୋଇଥିଲା ଯାହାର ବୟସ ଏବେ ସାଢ଼େ ୫ ବର୍ଷ। ତେବେ ବିବାହ ପରେ ପୁଣି ଥରେ ତାଙ୍କର ପୁରୁଣା ପ୍ରେମିକ ପରବୀନ୍‌ଙ୍କ ସହ ଦେଖା ହୋଇଥିଲା। ଏହାପରେ ପୁଣି ଥରେ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା। ଶେଷରେ ପ୍ରବୀଣଙ୍କ କଥାରେ ମହିଳା ଜଣକ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ତାଙ୍କ ପାଖକୁ ଚାଲି ଆସିଥିଲେ। ପାଖାପାଖି ୩ ବର୍ଷ ଉଭୟ ସମ୍ବଲପୁରରେ ଏକତ୍ର ରହୁଥିଲେ। ଗତ ଡିସେମ୍ବରରେ ପ୍ରବୀଣ ମହିଳାଙ୍କୁ ନ ଜଣାଇ ବିହାରରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଫଳରେ ୩ ବର୍ଷ ଏକାଠି ରହିବା ପରେ ଗତ ଫେବ୍ରୁଆରି ୫ ତାରିଖ ଦିନ ପ୍ରବୀଣ ତାଙ୍କୁ ଛାଡ଼ି ବିହାର ପଳାଇ ଯାଇଥିଲା। ଏହାପରେ ମହିଳା ଜଣକ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ପ୍ରବୀଣଙ୍କୁ ବିହାରରୁ ଗିରଫ କରି ଆଣି ଜେଲ୍‌ ପଠାଇ ଦେଇଛି। ତେବେ ପ୍ରବୀଣଙ୍କ ପରିବାର ଲୋକ ଏବେ ତାଙ୍କୁ ଓ ତାଙ୍କ ସାଢ଼େ ୫ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିବାକୁ ଧମକ ଦେଉଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ପ୍ରବୀଣ ତାଙ୍କୁ ଛାଡ଼ି ପଳାଇଲା ବେଳେ ତାଙ୍କର ୩ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି କରି ନେଇଥିବା ମଧ୍ୟ ମହିଳା ଜଣକ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ୍ ତାଙ୍କୁ ଓ ତାଙ୍କ ଝିଅକୁ ଧମକ ଦେଉଥିବା ପ୍ରବୀଣର ପିତା, ଚାଚା, ଜେଜେବାପା ଓ ତାଙ୍କ ଓକିଲଙ୍କୁ ଗିରଫ କରୁ ବୋଲି ସେ ଅନୁରୋଧ କରିଛନ୍ତି। ବର୍ତ୍ତମାନ ତାଙ୍କ ପେଟରେ ପ୍ରବୀଣଙ୍କ ଗର୍ଭ ଥିବା ବେଳେ ପୂର୍ବରୁ ସେ ପ୍ରବୀଣଙ୍କ ଯୋଗୁଁ ଏକାଧିକ ବାର ଗର୍ଭପାତ କରାଇଥିବା ଅଭିଯୋଗ କରିଛନ୍ତି।

ପ୍ରବୀଣ ପଳାଇବା ପରେ ଫେବ୍ରୁଆରି ୫ ତାରିଖରେ ମହିଳା ଜଣକ କ୍ଷେତରାଜପୁର ଥାନାରେ ଅଭିଯୋଗ କରି ମାମଲା ରୁଜୁ କରିବା ପାଇଁ କହିଥିଲେ। କିନ୍ତୁ ତାଙ୍କ ମାମଲା ରଖା ନଯାଇ ତାଙ୍କୁ ସଖି ୱାନ୍‌ ଷ୍ଟପ୍‌ ସେଣ୍ଟରକୁ ପଠାଇ ଦିଆ ଯାଇଥିଲା। ସଖି ସେଣ୍ଟର୍‌ରେ ସେ ୧୩ ତାରିଖ ଯାଏ ରହିବା ପରେ ୧୪ ଫେବ୍ରୁଆରି ଦିନ ଥାନାରେ ମାମଲା ହେଲା। କିନ୍ତୁ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିବାରେ ଟାଳଟୁଳ ନୀତି ପୋଷଣ କରିବାରୁ କୌଣସି ବାଟ ନପାଇ ଶେଷରେ ମହିଳା ଜଣକ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ। ଏସ୍‌ପି ସବୁ ଶୁଣିବା ପରେ ଥାନା ଅଧିକାରୀଙ୍କୁ ପ୍ରବୀଣର ଲୋକେସନ୍‌ ଟ୍ରାକ୍‌ କରି ଏକ ଟିମ୍‌କୁ ପାଟ୍‌ନା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ଟିମ୍‌ ବିହାର ଯାଇ ପ୍ରବୀଣଙ୍କୁ ଗିରଫ କରି ଗତ ୧୭ ତାରିଖ ଦିନ କୋର୍ଟ ଚାଲାଣ କରିଥିଲା। କିନ୍ତୁ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଟଙ୍କା ନେଇ ମାମଲାର ସମାଧାନ କରିବାକୁ ଥାନାରେ ତାଙ୍କୁ କୁହାଯାଇଥିଲା। ଏମିତିକି ତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରଲୋଭନ ଦେଖା ଯାଇଥିଲା। ହେଲେ ମହିଳା ଜଣଙ୍କ ବୁଝାମଣା କରି ନଥିଲେ। ସେ କହିଛନ୍ତି, ମୁଁ ଏବେ ଗର୍ଭବତୀ ଅଛି। ମୋ’ ପେଟରେ ପ୍ରବୀଣଙ୍କ ପିଲା ବଢ଼ୁଛି। ଯଦି ସନ୍ଦେହ ହେଉଛି ତାହାଲେ ଡିଏନ୍‌ଏ ଟେଷ୍ଟ କରାଯାଉ। ଟେଷ୍ଟ ପରେ ପ୍ରବୀଣ ମୋତେ ବିବାହ କରି ରଖନ୍ତୁ ନହେଲେ ମୁଁ ଆତ୍ମହତ୍ୟା କରିବି।

ଅନ୍ୟପଟେ ଅନ୍ୟ ମହିଳା ଜଣକ ମଧ୍ୟ ଲଭ୍‌ ସେକ୍ସ ଓ ଧୋକାର ଶିକାର ହୋଇଛନ୍ତି। ଦଲେଇପଡ଼ା ରାଜକୁମାର ଗଳିର ଗାଜି ରାଜା ନାମକ ଭିନ୍ନ ଧର୍ମର ଜଣେ ଯୁବକ ନିଜ ସାଙ୍ଗ ମାନଙ୍କ ସହଯୋଗରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲା ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହା ସହ ମହିଳାଙ୍କ ଅଶ୍ଳୀଳ ଫଟୋ ରଖି ତାଙ୍କୁ ବ୍ଲାଲମେଲ୍‌ କରିବା ସହ ବର୍ଷେ ଧରି ବାରମ୍ବାର ଦୁଷ୍କର୍ମ କରିଥିଲା। ତା’ ପରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ। ବିବାହ କରିବାକୁ କହିବାରୁ ଗାଜି ରାଜାର ପରିବାର ଲୋକେ ମାଡ଼ପିଟ କରିଥିଲେ। ପରେ ମହିଳା ଜଣକ ଶାସନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗାଜି ରାଜାର ସାଙ୍ଗ ଯୋଜନା କରି ତାଙ୍କୁ ଥାନାରୁ ଆଣି ବାଟରେ ଜାଣିଶୁଣି ଦୁର୍ଘଟଣା କରାଇଲେ। ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡ ଫାଟି ଯାଇଥିଲେ ମଧ୍ୟ ପୁଲିସ ଜାଣିଲେ ଅସୁବିଧା ହେବ କହି ତାଙ୍କୁ ଘରକୁ ନେଇ ଚିକିତ୍ସା କଲେ। ଏହାପରେ ମେଡିସିନ୍‌ ଦେଇ ଗର୍ଭପାତ କରାଇଥିଲେ। ମହିଳା ଜଣକ ଥାନାରେ ଅଭିଯୋଗ କରିବି ବୋଲି କହିବାରୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଇ ଉକ୍ତ ଯୁବକ ସହ ବିବାହ କରାଇ ଦେଲେ। ଏହାପରେ ଗାଜି ରାଜାର ପରିବାର ଲୋକେ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିବା ସହ ବାପ ଘରୁ ଟଙ୍କା ଆଣିବାକୁ ବାଧ୍ୟ କଲେ। ଅନ୍ୟ ପଟେ ଅନ୍ୟ ଧର୍ମରେ ବିବାହ କରିଥିବାରୁ ମହିଳାଙ୍କ ବାପା ମଧ୍ୟ ଟଙ୍କା ଦେବାକୁ ମନା କରିଦେଲେ। ଗାଜିରାଜା ଓ ତା’ର ସାଙ୍ଗମାନେ ମହିଳାଙ୍କୁ ଜୋର୍‌ ଜବରଦସ୍ତ ଛାଡ଼ପତ୍ର କାଗଜରେ ଦସ୍ତଖତ କରିବାକୁ କହିଥିଲେ। ମହିଳା ଜଣକ ନ ମାନିବାରୁ କୋରେକ୍ସ ପିଆଇ ପୀରବାବା ଛକରେ ଛାଡ଼ି ଚାଲି ଯାଇଥିଲେ। ବାପ ଘରୁ ସମ୍ପତ୍ତି ଆଉ ଟଙ୍କା ଆଣିଲେ ଘରେ ପୂରାଇବୁ ବୋଲି ପରିବାର ଲୋକେ କହୁଛନ୍ତି।

ଉଭୟ ମହିଳା ନିଜନିଜ ସ୍ବାମୀଙ୍କଠାରୁ ପ୍ରତାଡ଼ିତ ହେବା ପରେ ସଖୀ ସେଣ୍ଟର୍‌ରେ ପରସ୍ପରକୁ ଭେଟିଥିଲେ। ପରବର୍ତ୍ତୀ ସମୟରେ ଉଭୟ ଗୋଟିଏ ଭଡ଼ାଘର ନେଇ ଏକାଠି ରହୁଥିଲେ। ଶୁକ୍ରବାର ଦୁହେଁ ଏକାଠି ମହାନଦୀ ପୋଲ ଉପରକୁ ଆତ୍ମହତ୍ୟା କରିବାକୁ ଯାଇଥିବା ବେଳେ ସାମ୍ବାଦିକ ମାନେ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର