କାଳିଆପାଣି: ଅନଲାଇନ୍ ଜୁଆ ଖେଳି ସର୍ବସ୍ବାନ୍ତ ହୋଇଥିବା ଯୁବ ଖଣି କର୍ମଚାରୀ ଶେଷରେ ଜୀବନ ହାରିଛନ୍ତି। ମୃତ ଯୁବକ ହେଲେ କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ କାଦୁଅବନ୍ଦୀ ଗାଁର ବ୍ରଜବନ୍ଧୁ ନାୟକଙ୍କ ଏକମାତ୍ର ପୁଅ ଶ୍ରୀନିବାସ ଓରଫ୍ ଲିଙ୍କନ (୨୨)। ଶୋଇବା ଘରୁ ଝଲନ୍ତା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର ହୋଇଛି।
କାଳିଆପାଣି ଇମ୍ଫା ଖଣିର ଏକ ଘରୋଇ କମ୍ପାନିରେ ଠିକା କର୍ମଚାରୀ ଥିବା ଲିଙ୍କନ କିଛି ମାସ ପୂର୍ବରୁ ମୋବାଇଲ୍ରେ ‘ଦମନ’ ଖେଳି ଆସୁଥିଲେ। ଏହି ନିଷିଦ୍ଧ ଆପ୍ରେ ସେ ଲକ୍ଷାଧିକ ଟଙ୍କା ହରାଇଥିବା ଜଣାଯାଇଛି। ଏପରିକି ମା’ଙ୍କ ଜରିଆରେ ବିଭିନ୍ନ ଗ୍ରୁପ୍ରୁ ସେ ଋଣ ଉଠାଇଥିଲେ। ତାଙ୍କ ବ୍ୟାଙ୍କ ପାସ୍ବୁକ୍ ଯାଞ୍ଚ କଲେ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି। କାଳିଆପାଣି ପୁଲିସ ଆଜି ଶବ ଜବତ କରି ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୧୩/୨୪ ରୁଜୁ କରିଛି।