କଟକ : ରାଜ୍ୟରେ ଏକମାତ୍ର ସହର ଭାବେ ଆତ୍ମହତ୍ୟାର ହଟସ୍ପଟ୍ ତାଲିକାର ଶୀର୍ଷରେ ରହିଛି ‘କଟକ’ । କରୋନାର ଦୁଇଟି ଲହରରେ ସହରରେ ସର୍ବାଧିକ ୧ ହଜାର ୪୪୦ ଜଣ ପୁରୁଷ ଓ ମହିଳା ଆତ୍ମହତ୍ୟା କରିଛନ୍ତି। ସେହିଭଳି, ୨୦୨୦ ଓ ୨୦୨୧ ଏହି ଦୁଇବର୍ଷ ମଧ୍ୟରେ ସାରାରାଜ୍ୟରେ ୧୧,୩୩୯ଜଣ ଆତ୍ମହତ୍ୟା କରିଛନ୍ତି। ଓଡ଼ିଶା ପୁଲିସ ପକ୍ଷରୁ ଏହିଭଳି ଏକ ଚାଞ୍ଚଲ୍ୟ ସୃଷ୍ଟିକାରୀ ରିପୋର୍ଟ ସାମ୍‌ନାକୁ ଆସିଛି।

Advertisment

ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ରାଜ୍ୟରେ ମୋଟ ୫ ହଜାର ୭୭୦ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ଏହାର ପୂର୍ବବର୍ଷ ଅର୍ଥାତ୍‌ ୨୦୨୦ ମସିହାରେ ମୋଟ ୫ ହଜାର ୫୬୯ ଜଣ ଆତ୍ମହତ୍ୟା କରିଥିଲେ। ମୋଟ୍‌ ୧ ହଜାର ୪୪୦ ଜଣ ଆତ୍ମହତ୍ୟା କରିଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ବିଷପିଇ ୭୭୫ ଜଣ ଆତ୍ମହତ୍ୟା କରିଛନ୍ତି। ରାଜ୍ୟରେ ଏହି ଦୁଇ ବର୍ଷ କରୋନା ସମୟରେ ଆତ୍ମହତ୍ୟା ପ୍ରବଣ ମାନସିକତା ସବୁଠାରୁ ଅଧିକ ମାତ୍ରାରେ କଟକ ସହର ବାସିନ୍ଦାଙ୍କ ଭିତରେ ଦେଖିବାକୁ ମିଳିଛି। ସର୍ବାଧିକ ୧ ହଜାର ୪୪୦ ଜଣ ପୁରୁଷ ଓ ମହିଳା ଆତ୍ମହତ୍ୟା କରିଛନ୍ତି ଏହି ସହରରେ। ଏହାପୂର୍ବରୁ ୨୦୧୮ମସିହାରେ ମୋଟ୍‌ ୪ ହଜାର ୫୯୨ ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୧୯ ମସିହାରେ ମୋଟ ୪ ହଜାର ୫୮୨ ଜଣ ଆତ୍ମହତ୍ୟା କରିଥିଲେ। ୨୦୧୮ ଓ ୨୦୧୯ ତୁଳନାରେ ୨୦୨୦ ଓ ୨୦୨୧ରେ ହଠାତ୍ ପାଖାପାଖି ୧ ହଜାରରୁ ୧୮ଶହ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି।

publive-image english.aarthiknews.com

କରୋନା କାଳରେ ସାଧାରଣ ଲୋକେ ମାନସିକ ସ୍ତରରେ ଏତେ ମାତ୍ରାରେ ଅସ୍ଥିର ହୋଇପଡ଼ିଛନ୍ତି ଯେ ଜୀବନ ହାରିବାକୁ ସତେଯେମିତି ବିକଳ ହେଇଥିବା ଓଡ଼ିଶା ପୁଲିସର ଏଭଳି ରିପୋର୍ଟରୁ ଆକଳନ କରାଯାଉଛି। ‌ସେହିଭଳି; କରୋନା ଦ୍ବିତୀୟ ଲହରରେ ୨୦୨୧ ବର୍ଷରେ କଟକ ସହରରେ ବିଷ ଖାଇ ୩୫୬ ଜଣ ଆତ୍ମହତ୍ୟା କରିଥିବାବେଳେ ପାଣିରେ ବୁଡ଼ି ୨୭ ଜଣ, ନିଆଁରେ ପୋଡ଼ିହୋଇ ୧୪୩ ଜଣ, ଫାଶି ଲଗାଇ ୩୪୯ ଜଣ, ଯୌତୁକଜନିତ କାରଣରୁ ୨ ଜଣ ଆତ୍ମହତ୍ୟା କରିଛନ୍ତି। ଏହିପରି ଭାବେ ମୋଟ ୮୭୭ ଜଣ ଆତ୍ମହତ୍ୟା କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ସାରାରାଜ୍ୟରେ କଟକ ଆତ୍ମହତ୍ୟାରେ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ବିତୀୟରେ ରହିଛି ସମ୍ବଲପୁର ଜିଲ୍ଲା । ଏହି ଜିଲ୍ଲାରେ ମୋଟ ୫୯୮ ଜଣ ଆତ୍ମହତ୍ୟା କରିଛନ୍ତି। ତୃତୀୟରେ ବ୍ରହ୍ମପୁର ସହର ଥିବା ବେଳେ ଏଠାରେ ୩୨୩ ଜଣ ଆତ୍ମହତ୍ୟା କରିଥିବା ଏହି ରିପୋର୍ଟ ସ୍ପଷ୍ଟ କରିଛି।

publive-image The Financial Express

ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର ଆତ୍ମହତ୍ୟା ଭଳି ଏଭଳି ମାନସିକ ବିକୃତି ପଛରେ କରୋନା ପ୍ରଭାବ ଥିବା ମତ ରଖିଛନ୍ତି। ଡାକ୍ତର କରଙ୍କ କହିବା ଅନୁଯାୟୀ, କରୋନା ସମୟରେ ସଂଗରୋଧ ଯୋଗୁଁ ଘରର ସମସ୍ତ ସଦସ୍ୟ ବାହାରକୁ ନଯାଇପାରି ଘରେ ଏକାଠି ରହିବା ଦ୍ବାରା ଚିଡ଼ିଚିଡ଼ାପଣ ବୃଦ୍ଧି ପାଇଲା। ଏଥିରୁ ହିଁ ମାନସିକ ଚାପ ବୃଦ୍ଧି ପାଇଲା। ଯୁବକମାନେ ନିଯୁକ୍ତି ହରାଇଲେ। ମନ୍ଦିର ବନ୍ଦ ରହିବାରୁ ଆଧ୍ୟାତ୍ମିକତାରେ ବିଶ୍ବାସ କରୁଥିବା ଲୋକେ ମନ୍ଦିର ଯାଇପାରିଲେ ନାହିଁ। ମନ୍ଦିରରେ ଅନେକ ମାତ୍ରାରେ ମାନସିକ ଚାପ ହ୍ରାସ ପାଇଥାଏ। ସବୁଆଡ଼ୁ ମାନସିକ ଚାପ କମାଇବାର ବାଟ ବନ୍ଦ ହୋଇଯିବାରୁ ମାନସିକ ଚାପ ଆତ୍ମହତ୍ୟାର ରୂପ ନେଲା। ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ କରୋନା ସମୟରେ ନିଜର ପ୍ରିୟଜନଙ୍କୁ ହରାଇ ଅନେକ ଲୋକ ଆତ୍ମହତ୍ୟା ବି କରିଛନ୍ତି। ସହରାଞ୍ଚଳରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପ୍ରସଂଗକୁ ନେଇ ସେ କହିଛନ୍ତି ଯେ ଗାଁରେ ଚା ଖଟି ପରମ୍ପରା ସହରରେ ଦେଖିବାକୁ ମିଳୁ ନଥିବା ବେଳେ ବ୍ୟକ୍ତି ପରସ୍ପରକୁ ଭେଟି ମନର ଅବସାଦ କମାଇପାରିଲେ ନାହିଁ। ସୋସିଆଲ୍ ମିଡିଆ ଭିତରେ କେବଳ ସହର ବାସିନ୍ଦା ସୀମିତ ରହିଗଲେ। ମନର ଆବେଗକୁ ବାଣ୍ଟିବାକୁ ସହରରେ ବନ୍ଧୁ ମିଳୁନାହାନ୍ତି। ଯଦ୍ବାରା ଚାପ ବୃଦ୍ଧି ପାଇ ଆତ୍ମହତ୍ୟାର ରୂପ ନେଇଥିବା ଡାକ୍ତର କର କହିଛନ୍ତି।